ଭୁବନେଶ୍ବର: ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ପ୍ରଥମ ଚଳଚ୍ଚିତ୍ର ତଥା ପ୍ରଥମେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ସୀତା ବିବାହ’ର ୮୬ ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ର ଉତ୍ସବ ଓ ଦିବଙ୍ଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଏକାଦଶାହରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଓ ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ବିଶେଷ ଅତିଥି ଭାବେ ଯୋଗଦେଇ ପ୍ରତିନିଧିର ସମ୍ପାଦକ ପ୍ରଦୀପ୍ତ କୁମାର ପତିଙ୍କ ସମେତ ୧୧ ଜଣ ସାମ୍ବାଦିକଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ।
ସଂସ୍କୃତି ଓ ସଂସ୍କୃତିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଓ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେବ। ଜଣେ କିମ୍ବା ଗୋଟିଏ ସଙ୍ଗଠନ ଚାହିଁଲେ ସଫଳତା ମିଳିବ ନାହିଁ। ବରଂ ସମସ୍ତଙ୍କ ମିଳିତ ସହଯୋଗରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ସିନେମା ଆଗକୁ ବଢ଼ିପାରିବ। ସଂରକ୍ଷଣ ହୋଇ ନ ପାରି ନଷ୍ଟ ହୋଇଯାଇଥିବା ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ପୁଣିଥରେ ଉଜ୍ଜୀବିତ କରି ରଖିବାକୁ ସେ ପ୍ରଯୋଜକମାନଙ୍କୁ ପରାମର୍ଶ ଦେଇଥିଲେ। ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ବିଶେଷ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତ୍ତମାନ ସମୟରେ ଆମେ ବାହାର ରାଜ୍ୟର କଳା, ସଂସ୍କୃତି, ସାହିତ୍ୟ, ସିନେମା ଓ ପରମ୍ପରାକୁ ଗୁରୁତ୍ବ ଦେଉଛୁ। ସେହି ଧାରାରୁ ଫେରିବାକୁ ହେବ। ଓଡ଼ିଶାର ମୌଳିକ କାହାଣୀ, ବିଷୟବସ୍ତୁ ଆଧାରରେ ସିନେମା ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ପ୍ରଯୋଜକମାନେ ଉଚ୍ଚାକୋଟୀର ମୌଳିକ କାହାଣୀକୁ ନେଇ ସିନେମା ନିର୍ମାଣ କଲେ ଓଡ଼ିଆ ଚଳଚ୍ଚିତ୍ର ଜଗତ ବହୁ ଆଗକୁ ଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ ସୁବୋଧ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନକଲ ବଦଳରେ ମୌଳିକଧର୍ମୀ କାହାଣୀକୁ ନେଇ ଓଡ଼ିଆ ସିନେମା କରିବାକୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ପ୍ରଦୀପ୍ତ କୁମାର ପତି, ଶଶିଭୂଷଣ ସାହୁ, କେଶବ ପାଣି, ଐଶ୍ବର୍ଯ୍ୟା ପରିଜା, ବନ୍ଦନା ସେଠୀ, ରଶ୍ମୀରଞ୍ଜନ ସ୍ବାଇଁ, ରୋଜାଲିନ୍ ମିଶ୍ର, ସୁନୀଲ ଲେଙ୍କା, ଲକ୍ଷ୍ମୀନାରାୟଣ ନନ୍ଦ, ସମୀର ରଞ୍ଜନ ଦାସ, କବିତା ସ୍ବାଇଁ ପ୍ରମୁଖ ୧୧ ଜଣ ସାମ୍ବାଦିକଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ହାଲି ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଯୋଜକ ଲୁଟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଯୋଜକ ଅତିସ୍ ରାଉତ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଅଭିନେତ୍ରୀ ଗୁଡ଼ି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବିନ୍ଦ୍ର ବିଶ୍ବାଳ, ସମୀର ରାଉତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଙ୍ଗୀତଜ୍ଞ ଅବନୀକାନ୍ତ ଦାସଙ୍କ ନେତୃତ୍ବରେ କଣ୍ଠଶିଳ୍ପୀ ସୌରଭ ନାୟକ, ଆଦ୍ୟାଶା ଦାସ, ଛନ୍ଦା ମିଶ୍ର, ସୁକାନ୍ତ ପଣ୍ଡା, ଜଶସ୍ବିନୀ ପ୍ରମୁଖ ଦିବଙ୍ଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଏକାଦଶାହରେ ତାଙ୍କ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି କଣ୍ଠଶିଳ୍ପୀମାନେ ଗୋଟିଏ ପରେ ଗୋଟିଏ ପ୍ରଫୁଲ୍ଲ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ।