ପଞ୍ଚଭୂତରେ ବିଲୀନ ହେଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ


ସ୍ବର୍ଗଦ୍ବାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଫୁଲ୍ଲ କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି
ପୁରୀ: ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ, ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଭୁବନେଶ୍ବରରୁ ତାଙ୍କ ପାର୍ଥିବ ଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା। ସୋମବାର ଅପରାହ୍‌ଣ ପ୍ରାୟ ୪ଟା ୫୦ ସମୟରେ ସ୍ବର୍ଗଦ୍ବାରଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହୋଇଛି।  ତାଙ୍କ ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ସ୍ବଗତଃ ପ୍ରଫୁଲ୍ଲ କରଙ୍କ ସାନପୁଅ ମହାପ୍ରସାଦ କର, ଝିଅ ସନ୍ଧ୍ୟାରାଣୀ ଓ ଦୁଇ ବୋହୂଙ୍କ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ.ବିଶାଳ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ କଳାପ୍ରେମୀ ତଥା ପ୍ରଫୁଲ କରଙ୍କ ପ୍ରଶଂସକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଶିଷ୍ଟ ସଙ୍ଗୀତଜ୍ଞ, ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ଭୁବନେଶ୍ବର ସତ୍ୟନଗରସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲଙ୍କର ପରଲୋକ ଘଟିଥିଲା। ରବିବାର ରାତି ପ୍ରାୟ ୯ଟାରେ ରାତ୍ରିଭୋଜନ କରି ସେ ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଅକ୍ସ‌ିଜେନ୍ ସ୍ତର ହଠାତ୍‌ କମିଯାଇଥିଲା। ଏହାର କିଛି ସମୟ ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦ, ଦୁଇ ବୋହୂଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସଙ୍ଗୀତ ଜଗତକୁ ବିଶେଷ ଅବଦାନ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ପ୍ରଫୁଲ୍ଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଫୁଲ୍ଲଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।

୧୬ ଫେବୃୟାରୀ ୧୯୩୯ ମସିହାରେ ପୁରୀର ଏକ କୁଳୀନ ବ୍ରାହ୍ମଣ ତଥା ସଙ୍ଗୀତଶିଳ୍ପୀଙ୍କ ପରିବାରରେ ବାପା ବୈଦ୍ୟନାଥ କର ଓ ମା’ ସୁଶୀଳା କରଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ବିଶିଷ୍ଟ ତବଲା ବାଦକ ଥିବାରୁ ବଡ଼ବଡ଼ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଙ୍ଗୀତ ବିଶାରଦ ଉପାଧି ହାସଲ କରିଥିଲେ।

ସେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ପରିଚିତ ହୋଇଥିଲେ। ଦୀର୍ଘ ଦଶନ୍ଧି ଧରି ସେ ଅନେକ ମନଛୁଆଁ ସଙ୍ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜଣେ ଗାୟକ ଓ ଗୀତିକାର ଭାବେ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଜଗତରେ ସେ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ପ୍ରଫୁଲ୍ଲ କର। ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଜଣେ ଗୀତିକାର, ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଗୀତ ରଚନାରେ ସେ ଯେମିତି ସିଦ୍ଧହସ୍ତ ଥିଲେ, ତାହାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଚମତ୍କାର ଭେଟି ଦେଇଥିଲେ। ପୁଣି କଣ୍ଠଶିଳ୍ପୀ ଭାବେ ତାଙ୍କର ନିଆରା ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡ଼ିଥିଲା। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦେଶନାରେ ପାଦ ଥାପିଥିଲେ। ପ୍ରଥମ ଚଳଚ୍ଚିତ୍ରର ଆଠଟି ଯାକ ଗୀତ ସୁପର୍‌ହିଟ୍‌ ହେବା ସହ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ  ପ୍ରଫୁଲ୍ଲ। ଏହା ପରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ବହୁ ବର୍ଷ ଧରି ଆଧିପତ୍ୟ ଜାହିର କରିଥିଲେ। ପ୍ରାୟ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇ ତଥା କଣ୍ଠଦାନ କରି ସେ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟମୟ କରିଥିଲେ। ସେ ୧୦ରୁ ଅଧିକ ବଙ୍ଗଳା ଫିଲ୍ମରେ ମଧ୍ୟ କଣ୍ଠଦାନ କରିଥିଲେ।

ଓଡ଼ିଆ ସଙ୍ଗୀତରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ ପ୍ରଫୁଲ୍ଲ କର। ବହୁ ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ‌ଦୃଷ୍ଟିହୀନ ପିଲାଙ୍କୁ ନେଇ ସେ ‘କୃତାଞ୍ଜଳି’ ନାମରେ ଏକ କ୍ୟାସେଟ୍‌ କରିଥିଲେ। ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ପ୍ରଫୁଲ୍ଲ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ତାଙ୍କ ନିର୍ଦେଶନାରେ ଗୀତ ଗାଇ ବହୁ କଣ୍ଠଶିଳ୍ପୀ ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୦୪ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଜୟ‌ଦେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ୨୦୦୮ରେ ସ୍ବଣ୍ବର୍ଣ୍ଣ ସଞ୍ଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୦ରେ ବାଳକୃଷ୍ଣ ଦାଶ ସମ୍ମାନ, ୨୦୧୧ରେ ଫିଟଫାଟ ବାଇସ୍କୋପ୍‌ ସମ୍ମାନ, ୨୦୧୨ରେ କାଦମ୍ବିନୀ ପୁରସ୍କାର ଓ ପରମ୍ପରା ସମ୍ମାନ, ୨୦୧୩ରେ ୧୧ତମ କୁମାର ଉତ୍ସବରେ ସହଦେବ ପାଢୀ ପୁରସ୍କାର ଆଦି ପାଇଥିଲେ। ସଙ୍ଗୀତ କ୍ଷେତ୍ରରେ ତାଙ୍କ ଜୀବନବ୍ୟାପୀ ସାଧନା ତଥା ବିଶେଷ ଅବଦାନ ଲାଗି ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରଖିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼ି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୬ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଡି ଲିଟ୍‌ ଉପାଧି ଦିଆଯାଇଥିଲା। ୨୦୧୭ ମସିହାରେ ‘ଚକୋଲେଟ୍‌ ମ୍ୟୁଜିକ୍‌ ଆୱାର୍ଡ’ ପକ୍ଷରୁ ତାଙ୍କୁ ଚକୋଲେଟ୍‌ ଲିଜେଣ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଫୁଲ୍ଲ କର ଥିଲେ ଜଣେ ରୁଚିସମ୍ପନ୍ନ ସ୍ତମ୍ଭକାର। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଛି। ଶେଷ ଜୀବନ ପର୍ଯ୍ୟନ୍ତ ସେ ବେଶ୍‌ ଚଳଚଞ୍ଚଳ ଓ କର୍ମତତ୍ପର ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।