ଭୁବନେଶ୍ବର: ଚାଲିଗଲେ କମଳ ଦେଶ ରାଜକୁମାର। ଆଉ ଶୁଣିବାକୁ ମିଳିବନି ସୁମଧୁର ‘କମଳ ଦେଶ ରାଜକୁମର ମୋ ହାତରେ ପୁଷ୍ପଧନୁ…’। ଆଉ ନାହାନ୍ତି ଏହି ସୁମଧୁର ସଙ୍ଗୀତର କାଳଜୟୀ ସ୍ରଷ୍ଟା ତଥା ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ‘…ଲକ୍ଷେ ରାଜାରେ ମଉଡ଼ମଣି ମୋ’ ନାମ ଚନ୍ଦ୍ରଭାନୁ’ର ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଭୁବନେଶ୍ବର ସତ୍ୟନଗରସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲଙ୍କର ପରଲୋକ ଘଟିଛି। ରବିବାର ରାତି ପ୍ରାୟ ୯ଟାରେ ରାତ୍ରିଭୋଜନ କରି ସେ ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଅକ୍ସିଜେନ୍ ସ୍ତର ହଠାତ୍ କମିଯାଇଥିଲା। ଏହାର କିଛି ସମୟ ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦ, ଦୁଇ ବୋହୂଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ସଙ୍ଗୀତ ଜଗତକୁ ବିଶେଷ ଅବଦାନ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ପ୍ରଫୁଲ୍ଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଫୁଲ୍ଲଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।
୧୬ ଫେବୃୟାରୀ ୧୯୩୯ ମସିହାରେ ପୁରୀର ଏକ କୁଳୀନ ବ୍ରାହ୍ମଣ ତଥା ସଙ୍ଗୀତଶିଳ୍ପୀଙ୍କ ପରିବାରରେ ବାପା ବୈଦ୍ୟନାଥ କର ଓ ମା’ ସୁଶୀଳା କରଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ବିଶିଷ୍ଟ ତବଲା ବାଦକ ଥିବାରୁ ବଡ଼ବଡ଼ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଙ୍ଗୀତ ବିଶାରଦ ଉପାଧି ହାସଲ କରିଥିଲେ।
ସେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ପରିଚିତ ହୋଇଥିଲେ। ଦୀର୍ଘ ଦଶନ୍ଧି ଧରି ସେ ଅନେକ ମନଛୁଆଁ ସଙ୍ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜଣେ ଗାୟକ ଓ ଗୀତିକାର ଭାବେ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଜଗତରେ ସେ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ପ୍ରଫୁଲ୍ଲ କର। ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଜଣେ ଗୀତିକାର, ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଗୀତ ରଚନାରେ ସେ ଯେମିତି ସିଦ୍ଧହସ୍ତ ଥିଲେ, ତାହାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଚମତ୍କାର ଭେଟି ଦେଇଥିଲେ। ପୁଣି କଣ୍ଠଶିଳ୍ପୀ ଭାବେ ତାଙ୍କର ନିଆରା ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡ଼ିଥିଲା। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦେଶନାରେ ପାଦ ଥାପିଥିଲେ। ପ୍ରଥମ ଚଳଚ୍ଚିତ୍ରର ଆଠଟି ଯାକ ଗୀତ ସୁପର୍ହିଟ୍ ହେବା ସହ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ପ୍ରଫୁଲ୍ଲ। ଏହା ପରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ବହୁ ବର୍ଷ ଧରି ଆଧିପତ୍ୟ ଜାହିର କରିଥିଲେ। ପ୍ରାୟ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇ ତଥା କଣ୍ଠଦାନ କରି ସେ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟମୟ କରିଥିଲେ। ସେ ୧୦ରୁ ଅଧିକ ବଙ୍ଗଳା ଫିଲ୍ମରେ ମଧ୍ୟ କଣ୍ଠଦାନ କରିଥିଲେ।
ଓଡ଼ିଆ ସଙ୍ଗୀତରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ ପ୍ରଫୁଲ୍ଲ କର। ବହୁ ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ମହଲରେ ବେଶ୍ ଆଦୃତି ଲାଭ କରିଥିଲା। ଦୃଷ୍ଟିହୀନ ପିଲାଙ୍କୁ ନେଇ ସେ ‘କୃତାଞ୍ଜଳି’ ନାମରେ ଏକ କ୍ୟାସେଟ୍ କରିଥିଲେ। ଏହା ବେଶ୍ ଲୋକପ୍ରିୟ ହୋଇଥିଲା। ପ୍ରଫୁଲ୍ଲ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ତାଙ୍କ ନିର୍ଦେଶନାରେ ଗୀତ ଗାଇ ବହୁ କଣ୍ଠଶିଳ୍ପୀ ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୦୪ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ୨୦୦୮ରେ ସ୍ବଣ୍ବର୍ଣ୍ଣ ସଞ୍ଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୦ରେ ବାଳକୃଷ୍ଣ ଦାଶ ସମ୍ମାନ, ୨୦୧୧ରେ ଫିଟଫାଟ ବାଇସ୍କୋପ୍ ସମ୍ମାନ, ୨୦୧୨ରେ କାଦମ୍ବିନୀ ପୁରସ୍କାର ଓ ପରମ୍ପରା ସମ୍ମାନ, ୨୦୧୩ରେ ୧୧ତମ କୁମାର ଉତ୍ସବରେ ସହଦେବ ପାଢୀ ପୁରସ୍କାର ଆଦି ପାଇଥିଲେ। ସଙ୍ଗୀତ କ୍ଷେତ୍ରରେ ତାଙ୍କ ଜୀବନବ୍ୟାପୀ ସାଧନା ତଥା ବିଶେଷ ଅବଦାନ ଲାଗି ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରଖିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼ି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୬ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଡି ଲିଟ୍ ଉପାଧି ଦିଆଯାଇଥିଲା। ୨୦୧୭ ମସିହାରେ ‘ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ’ ପକ୍ଷରୁ ତାଙ୍କୁ ଚକୋଲେଟ୍ ଲିଜେଣ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଫୁଲ୍ଲ କର ଥିଲେ ଜଣେ ରୁଚିସମ୍ପନ୍ନ ସ୍ତମ୍ଭକାର। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଠକୀୟ ମହଲରେ ବେଶ୍ ଆଦୃତି ଲାଭ କରିଛି। ଶେଷ ଜୀବନ ପର୍ଯ୍ୟନ୍ତ ସେ ବେଶ୍ ଚଳଚଞ୍ଚଳ ଓ କର୍ମତତ୍ପର ଥିଲେ।