ମୁଖ୍ୟ ଖବର
ଇମ୍ରାନଙ୍କ ଖେଳ ଶେଷ: ଶେହବାଜ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ
ଅନାସ୍ଥା ପ୍ରସ୍ତାବରେ ସରକାର ବିରୋଧରେ ୧୭୪ଟି ଭୋଟ୍, ଇମ୍ରାନ୍ଙ୍କୁ ହଟାଗଲା

ଶେହବାଜ ଶରିଫ ଓ ଇମ୍ରାନ ଖାନ (ଫାଇଲ ଫଟୋ)
ଇସଲାମାବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଗୋଟି ଚାଳନା ଫଳ ହେଲା ଓଲଟା। ଇମ୍ରାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ସଂସଦ (ନ୍ୟାସନାଲ ଆସେମ୍ବ୍ଲି) ଭଙ୍ଗ ଓ ସାନି ନିର୍ବାଚନ ନିର୍ଦେଶକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇବା ସହ ସଂସଦକୁ ପୁନଃସ୍ଥାପନ ଓ ଅନାସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୯ ତାରିଖରେ ଭୋଟ ଲାଗି ନିର୍ଦେଶ ଦେଇଥିଲେ। କିନ୍ତୁ ଇମ୍ରାନ ସରକାର ଏହାକୁ ଯଥାସମ୍ଭବ ଏଡାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଶନିବାର ମଧ୍ୟରାତ୍ରିରେ ପାକିସ୍ତାନ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ଇମ୍ରାନ ସରକାରଙ୍କ ବିରୋଧରେ ୧୭୪ ଖଣ୍ଡ ଭୋଟ୍ ପଡ଼ିବାରୁ ସରକାର ହାରିଯାଇଛି। ଆଉ ଇମ୍ରାନ୍ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ପାକିସ୍ତାନ ଇତିହାସରେ ଇମ୍ରାନ ଖାନ୍ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଆସ୍ଥା ଭୋଟ ହାରି ବିଦା ହୋଇପାରିଛନ୍ତି। ବିରୋଧୀଦଳ ନେତା ଶେହବାଜ ଶରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ଶନିବାର ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ଇମ୍ରାନ ସରକାରଙ୍କ ଅନେକ ଡ୍ରାମା ପରେ ମଧ୍ୟରାତ୍ରିରେ ଆସ୍ଥା ଭୋଟ ହୋଇଥିଲା। ଏଥିରେ ୧୭୪ ଜଣ ବିରୋଧୀ ସଦସ୍ୟ ଇମ୍ରାନ ସରକାରଙ୍କ ବିରୋଧରେ ଭୋଟ ଦେଇଥିଲେ। ଫଳସ୍ଵରୂପ ଇମ୍ରାନ ସରକାର ଆସ୍ଥା ଭୋଟରେ ହାରିଯାଇଥିଲା। କାରଣ ଇମ୍ରାନ ସରକାରଙ୍କ ବହିଷ୍କାର ପାଇଁ ୧୭୨ ଖଣ୍ଡ ଭୋଟଠାରୁ ଅଧିକ ଆବଶ୍ୟକ ଥିଲା। ପାକିସ୍ତାନ ସଂସଦରେ ସମାଜବାଦୀ, ଉଦାରବାଦୀ ତଥା ମୂଳ ଧାର୍ମିକ ପାର୍ଟିର ଇନ୍ଦ୍ରଧନୁ ମିଳିତ ବିରୋଧୀ ୧୭୪ ଜଣ ସଦସ୍ୟଙ୍କ ସମର୍ଥନ ହାସଲ କରିଥିଲେ। ଏହା ପରେ ଇମ୍ରାନ୍ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ବିରୋଧୀଦଳ ନେତା ଶେହବାଜ ଶରିଫ ଆସ୍ଥା ଭୋଟ ଜିତିବା ପରେ ମିଳିତ ବିରୋଧୀ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସ୍ଥା ଭୋଟ୍ ସମୟରେ ଇମ୍ରାନ୍ ନିମ୍ନ ଗୃହରେ ଉପସ୍ଥିତ ନ ଥିଲେ। ତାଙ୍କ ଦଳର ସାଂସଦମାନେ ଏକ ପଦଯାତ୍ରା କରିଥିଲେ।
ବିରୋଧୀଦଳ ନେତା ଶେହବାଜ ଶରିଫ ସଂସଦକୁ କହିଛନ୍ତି ଯେ ନୂତନ ମିଳିତ ମଞ୍ଚ ପାକିସ୍ତାନକୁ ପୁନଃନିର୍ମାଣ କରିବ। ପିଏମଏଲ-ଏନ ନେତା ଶେହବାଜ କହିଛନ୍ତି, ଆମେ ପ୍ରତିଶୋଧ ନେବୁ ନାହିଁ। ଆମେ କାହାକୁ ଜେଲକୁ ପଠାଇବୁ ନାହିଁ। କିନ୍ତୁ ଆଇନ ନିଜସ୍ୱ ପଥ ଗ୍ରହଣ କରିବ। ସେହିଭଳି ବିରୋଧୀ ପାକିସ୍ତାନ ପିପଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଛନ୍ତି, ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି। ପାକିସ୍ତାନ ବର୍ତ୍ତମାନ ପୁଣି ପୁରୁଣା ପାକିସ୍ତାନ ହୋଇପାରିଛି।
ଅନ୍ୟପଟେ ଇମ୍ରାନ ଓ ଶାସକ ଦଳ ନିରୁତ୍ତର ରହିଛନ୍ତି। ପାକିସ୍ତାନରେ ଆର୍ଥିକ ସଂକଟକୁ ନେଇ ବିରୋଧୀ ଦଳଗୁଡିକ ମାର୍ଚ୍ଚ ୮ରେ ଇମ୍ରାନ ଖାନଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଆଗତ ପରେ ଦେଶର ରାଜନୀତିରେ ଅଚଳାବସ୍ଥା ଦେଖାଯାଇଥିଲା। ଅନାସ୍ଥା ପ୍ରସ୍ତାବକୁ ଇମ୍ରାନ ବିଦେଶୀ ଷଡ଼ଯନ୍ତ୍ର କହି ଏହା ବିରୋଧରେ ବିଦ୍ରୋହ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ତେବେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଉପବାଚସ୍ପତି କାସିମ୍ ଏହାକୁ ଖାରଜ କରିଦେଇଥିଲେ। ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଇମ୍ରାନ ସଂସଦକୁ ଭାଙ୍ଗି ସାନି ନିର୍ବାଚନ ଲାଗି ରାଷ୍ଟ୍ରପତି ଆଲଭିଙ୍କୁ ସୁପାରିସ କରିଥିଲେ। ସୁପାରିସ ଆଧାରରେ ରାଷ୍ଟ୍ରପତି ସଂସଦକୁ ଭାଙ୍ଗିବା ସହ ସାନି ନିର୍ବାଚନ ପାଇଁ ନିର୍ଦେଶ ଦେଇଥିଲେ। ଦେଶର ଏହି ରାଜନୈତିକ ଘଟଣାକ୍ରମ ଉପରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ ପୂର୍ବକ ଏହାର ଶୁଣାଣି କରିଥିଲେ। ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଜବାବ ଓ ତଥ୍ୟ ଆଧାରରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଓ ଉପବାଚସ୍ପତିଙ୍କ ନିର୍ଦେଶକୁ ଅସିଦ୍ଧ ଘୋଷଣା କରି ଏପ୍ରିଲ ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ନିର୍ଦେଶ ଦେଇଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ