ଓଡ଼ିଆ ଜାତିକୁ ଶକ୍ତିଶାଳୀ ଓ ସମୃଦ୍ଧ କରିବା ପାଇଁ ସଂକଳ୍ପ ନେବା ଜରୁରୀ: ଧର୍ମେନ୍ଦ୍ର

ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ ୨୦୨୨’କୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’ରେ ପ୍ରଦର୍ଶିତ ଓଡ଼ିଶୀ ନୃତ୍ୟ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ‘ଓଡ଼ିଆ ସମାଜ’ ପକ୍ଷରୁ ‘ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ ୨୦୨୨’ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ନୂଆଦିଲ୍ଲୀସ୍ଥିତ କମାନୀ ଅଡିଟୋରିୟମଠାରେ ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଉ ମାତ୍ର ୧୪ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଆଉ ୨୪ ବର୍ଷ ପରେ ୨୦୪୭ ସୁଦ୍ଧା ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଏଥିପାଇଁ ଓଡ଼ିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ। ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ଏହି ପର୍ବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପଦ୍ମଭୂଷଣ ପାଇଁ ମନୋନୀତ ପ୍ରଖ୍ୟାତ  ସାହିତ୍ୟିକା ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଧର୍ମେନ୍ଦ୍ର।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପଟ୍ଟଚିତ୍ର, ପଖାଳ, ହସ୍ତତନ୍ତ, ସମ୍ବଲପୁରୀ ଶାଢୀ ଓଡ଼ିଆଙ୍କ ପରିଚୟ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଓଡ଼ିଆ ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡ଼ିଆର ଚରିତ୍ର। ଅତୀତରେ ନୌବାଣିଜ୍ୟ କଳା, ଅନନ୍ୟ କୀର୍ତ୍ତିରାଜି ଓ ସୁକ୍ଷ୍ମ କାରିଗରୀ ଏହାର ବଳିଷ୍ଠ ପ୍ରମାଣ। ମହିମା ଧର୍ମର ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ବିଚାର ଆଦର୍ଶକୁ ୟୁଜିସି ଦ୍ୱାରା ଏକ ପାଠ୍ୟକ୍ରମ ଭାବରେ ସ୍ୱୀକୃତି ଦିଆଯାଇଛି।  ଏହା ଉପରେ ଅଧିକ ଅନୁସନ୍ଧାନ ପାଇଁ ଗବେଷଣା ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହିପରି ଓଡ଼ିଆ ପରମ୍ପରା ଏବଂ ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି।

ସେ କହିଛନ୍ତି, ଇତିହାସରେ ଘଟିଥିବା ସଂଗ୍ରାମକୁ ସ୍ୱୀକୃତି ଦେବା ପାଇଁ ତଥ୍ୟ ଆଧାରିତ ହୋଇଥିବା ଦରକାର। ଏସବୁ ବିଷୟକୁ ଆମେ ଓଡ଼ିଆ ଭାବରେ ଆତ୍ମବିଶ୍ଳେଷଣ କରିବା ଜରୁରୀ।  ଜୟୀ  ରାଜଗୁରୁ, ବକ୍ସି ଜଗବନ୍ଧୁ, ମାଧୋ ସିଂହ, ଶହୀଦ ଲକ୍ଷ୍ମଣ ନାଏକ, ବାଜି ରାଉତଙ୍କ ଭଳି ଓଡ଼ିଆ ଜାତି ପାଇଁ ସମର୍ପିତ ତଥା ଇତିହାସ ପୃଷ୍ଠାରେ ଆନାଲୋଚିତ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ପରାକ୍ରମର ବିଷୟ ଉପରେ ଗବେଷଣା କରିବା ପାଇଁ ଆଇସିଏଚଆର ପକ୍ଷରୁ ଉଦ୍ୟମ କରାଯାଉଛି। ଓଡିଶାର  ‘ପାଇକ ବିଦ୍ରୋହ’ ର ବୀରତ୍ୱପୂର୍ଣ୍ଣ ଘଟଣାକୁ ଜାତୀୟ ସ୍ତରରେ ଧାରାବାହିକ ‘ବିଦ୍ରୋହୀ’ ନାମରେ ପ୍ରସାରିତ ହୋଇଛି। ଏକ ବୀରତ୍ୱପୂର୍ଣ୍ଣ ଏବଂ ଶୌର୍ଯ୍ୟମୟ ଜାତିର ଉତ୍ତରପିଢି ଭାବେ ପୂର୍ବପୁରୁଷଙ୍କ ଅଦମ୍ୟ ସାହସର ଗାଥାକୁ ନେଇ ଓଡ଼ିଆ ଜାତି ଏଥିପାଇଁ ନିଶ୍ଚୟ ଗୌରବାନ୍ୱିତ ଅନୁଭବ କରିବ। ‘ବିଦ୍ରୋହୀ’ ଭଳି ଉଚ୍ଚକୋଟିର  ଧାରାବାହିକକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରାଯାଇଥିବାରୁ ସେ ଧାରାବାହିକର ପ୍ରଯୋଜକ ସୁବ୍ରତ ସିହ୍ନା, କଳାକାର ଓ ସମସ୍ତ ସମସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ଧର୍ମେନ୍ଦ୍ର।

ଓଡ଼ିଆ ସମାଜ ପକ୍ଷରୁ  ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ  ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’ପରି ସାଂସ୍କୃତିକ ମହାକୁମ୍ଭ ରାଜ୍ୟ ଓ ଦେଶ ବାହାରେ ରହୁଥିବା ଏକାଧିକ ପ୍ରବାସୀ ଓଡ଼ିଆଙ୍କୁ ଏକତ୍ର କରିବା ସହ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡ଼ିଆ ରାନ୍ଧଣା, ଗୌରବମୟ ଇତିହାସକୁ ଭାରତ ସମେତ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ତାଞ୍ଜାନିଆ, ରୁଷ, ୟୁଏଇ ଭଳି ରାଷ୍ଟ୍ରର ଲୋକଙ୍କ ନିକଟରେ ପହଞ୍ଚାଇବ। ଓଡ଼ିଆ ସମାଜର ଏହି ସାଧୁ ଉଦ୍ୟମ ପାଇଁ ଆୟୋଜକ ସଂସ୍ଥାର ସମସ୍ତ ସଦସ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’ରେ ଆକର୍ଷଣୀୟ ଓ ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ ଓ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରଙ୍କ ପ୍ରେରଣାଦାୟୀ ସାକ୍ଷାତକାର ସହିତ ଓଡ଼ିଶାର ଅନନ୍ୟ ଓ ନିଆରା ରୂପକୁ ଉପସ୍ଥାପନ କରାଯିବ। ଏଥିରେ ‘ଓଡ଼ିଆ ସମାଜ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶାର ଅବିସ୍ମରଣୀୟ ପ୍ରାଣସ୍ୱରୂପ ସମୃଦ୍ଧ ଇତିହାସ, ସଂସ୍କୃତି, ପର୍ଯ୍ୟଟନ ସମ୍ପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥର ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଜୀବବିଜ୍ଞାନୀ ଆଦିତ୍ୟ ପ୍ରସାଦ ଦାସ, ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ବାବା ବଳିଆ ଓ ନରସିଂହ ପ୍ରସାଦ ଗୁରୁ ନିଜର ଅନୁଭୂତି ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଉପସ୍ଥାପନ କରିବେ। ଉଦ୍ୟୋଗୀ ସୁକୀର୍ତ୍ତି ପଟ୍ଟନାୟକ, ନୃତ୍ୟଶିଳ୍ପୀ ଅରୁନ୍ଧତୀ ଗଡ଼ନାୟକ ଓ ବାଇକ୍ ମୋଡିଫାୟର୍‌ ଗଙ୍ଗା ପଟ୍ଟନାୟକ ଆଦି ଯୁବ ପ୍ରତିଭାଙ୍କର ସଫଳତାର କାହାଣୀ ଯୁବପିଢିଙ୍କୁ ପ୍ରେରଣା ଦେବ। ଆଗ୍ରହୀ ଶ୍ରୋତା ଓ ଦର୍ଶକମାନେ ମାର୍ଚ୍ଚ ୨୬ ତାରିଖ ପରି ମାର୍ଚ୍ଚ ୨୭ ତାରିଖ ରବିବାର ସନ୍ଧ୍ୟା ସାଢ଼େ ୬ଟାରେ www.odishaparba.live ମାଧ୍ୟମରେ ଭର୍ଚୁଆଲ୍ ‘ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ ୨୦୨୨’ର ଏହି ବିଶାଳ ବୈଶ୍ୱିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।