ଲୋକପ୍ରିୟ ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରଲୋକ


ମିହିର ଦାସ (ଫାଇଲ ଫଟୋ)
ଭୁବନେଶ୍ବର/କଟକ: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ। ଆରପାରିରେ ବର୍ଷୀୟାନ ଅଭିନେତା। ଜୀବନର ରଙ୍ଗମଞ୍ଚରେ ନିଜର ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି। ଆଜି ଅପରାହ୍ଣରେ ୬୩ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୮ ଡିସେମ୍ବର ୨୦୨୧ରେ ଡାଇଲିସିସ ସମୟରେ ହୃଦଘାତ ହେବାରୁ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ହେବ ସେ କିଡ଼ନୀଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଏହା ପରଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।  କିଡ଼ନୀଜନିତ ବ୍ୟାଧିରେ ପୀଡ଼ିତ ବରିଷ୍ଠ ଅଭିନେତା ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁ ସେ ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ପରଲୋକରେ ଶୋକାଭିଭୂତ ହୋଇପଡିଛନ୍ତି। ପିଲାଟି ବେଳୁ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖି ପାରିଥିବା ମିହିର ଦାସ ଆଜି ଆଉ ନାହାନ୍ତି ବୋଲି ଅନେକ ସହ କଳାକାର, ନିର୍ଦେଶକ ଓ ଦର୍ଶକ ବିଶ୍ୱାସ କରିପାରୁ ନାହାନ୍ତି।

୧୯୫୯ ମସିହା ଫେବୃଆରୀ ୧୧ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ବହୁମୁଖୀ ଅଭିନୟ ପ୍ରତିଭା ମିହିର ଦାସ ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇ ଓଡ଼ିଶା‌ର ଘରେ ଘରେ ପରିଚିତ ଥିଲେ। ପ୍ରାୟ ୨୫୫ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ଓ ୫୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ସର୍ବାଧିକ ଓଡିଆ ଚିତ୍ରରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଛନ୍ତି। ଜୀବନ୍ତ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ଥଲେ ମିହିର ଦାସ। ଏକାଧାରରେ ଜଣେ ସହଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ ଅଭିନେତା ଓ ନାୟକ ଭାବେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସେ ପ୍ରଥମେ ଗୋବିନ୍ଦ ତେଜଙ୍କ ନିର୍ଦେଶିତ ‘ରାମାୟଣ’ (୧୯୮୦) ଚଳଚ୍ଚିତ୍ରରେ ଶତ୍ରୃଘ୍ନ ଚରିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ‘ରାମାୟଣ’, ‘ସ୍କୁଲ ମାଷ୍ଟର’ ଓ ‘ଛ’ମାଣ ଆଠ ଗୁଣ୍ଠ’ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ‘ଏଇ ତ ଦୁନିଆ’ ଚଳଚ୍ଚିତ୍ରରୁ ସହଅଭିନେତା ଭାବେ ଓଡିଆ ଚଳଚ୍ଚିତ୍ର ଜଗତରେ ପରିଚୟ ଲାଭ କରିଥବା ମିହିର ହର ପଟ୍ଟନାୟକଙ୍କ ନିର୍ଦେଶିତ ‘ପୁଅ ମୋର ଭୋଳା ଶଙ୍କର’ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ କରି ସେ ରାତାରାତି ଜଣେ ସଫଳ ନାୟକ ହୋଇପାରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ଏବେ ମଧ୍ୟ ମନେ ରଖିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ଅନ୍ୟ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ୧୯୯୯ରେ ‘ବିଧାତା’, ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ୨୦୦୭ରେ ‘ମୁଁ ତତେ ଲଭ କରୁଛି’ ଓ ୨୦୧୧ରେ ‘ପ୍ରେମ ଅଢେଇ ଅକ୍ଷର’ ପାଇଁ ମିହିରଙ୍କୁ ମିଳିଥିଲା ଅନେକ ସମ୍ମାନ ଓ ପୁରସ୍କାର। ସେ ଅଭିନୟ କରିଥିବା ଚଳଚ୍ଚିତ୍ରଗୁଡିକ ମଧ୍ୟରେ  ୧୯୮୬ରେ ‘ଏଇ ଆମ ସଂସାର’, ୧୯୮୭ରେ ‘ଆକାଶର ଆଖି’ ଓ ‘ଏଇ ତ ଦୁନିଆ’, ୧୯୮୮ରେ ‘କନ୍ୟାଦାନ’, ୧୯୮୯ରେ ‘ପ୍ରତିଶୋଧ ଅପରାଧ ନୁହେଁ’ ଓ ‘ସାଗର’, ୧୯୯୦ରେ ‘ହସ ଲୁହ ଭରା ଦୁନିଆ’, ‘ହିସାବ କରିବା କାଳିଆ’, ‘ଭରସା’ ଓ ‘ପରଦେଶୀ ଚଢେଇ’, ୧୯୯୧ରେ ‘କି ହେବ ଶୁଆ ପୋଷିଲେ’, ୧୯୯୨ରେ ‘ଘର ମୋର ସ୍ୱର୍ଗ’, ୧୯୯୩ରେ ‘ଅନୁପମା’, ‘ଭାଗ୍ୟ ହାତେ ଡୋରି’ ଓ ‘ଶ୍ରଦ୍ଧାଞ୍ଜଳି’, ୧୯୯୪ରେ ‘ଭାଇ ହେଲା ଭଗାରୀ’, ‘ଗଢି ଜାଣିଲେ ଘର ସୁନ୍ଦର’, ‘ମହୁଆ’ ଓ ‘ମୁକ୍ତି ମଶାଲ’, ୧୯୯୬ରେ ‘ସୁହାଗ ସିନ୍ଦୁର’ ଓ ‘ଜୀବନଧାରା’, ୧୯୯୭ରେ ‘ଭୁଲ କାହାର’ ଓ ‘ଗଙ୍ଗା ଯମୁନା’, ୧୯୯୮ରେ ‘ଅହଲ୍ୟା’, ‘ଲକ୍ଷ୍ମୀର ଅଭିସାର’, ‘ପବିତ୍ର ବନ୍ଧନ’, ‘ସହର ଜଳୁଛି’, ‘ସ୍ତ୍ରୀ’, ‘ବାଜି’,‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’ ,‘ମିଷ୍ଟର୍‌ ମଜନୁ’, ‘ଅଗସ୍ତ୍ୟ’,‘ସୌଭାଗ୍ୟବତୀ’, ‘ପ୍ରେମ ଅଢେଇ ଅକ୍ଷର’, ‘ଭିଜା ମାଟିର ସ୍ୱର୍ଗ’ ଇତ୍ୟାଦି ରହିଛି। ଉଚ୍ଚକୋଟିର ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କର କିଛି ଚଳଚ୍ଚିତ୍ର ଏବେ ଶୁଭମୁକ୍ତି ଅପେକ୍ଷାରେ ରହିଛି।

ସେହିପରି ଚଳଚ୍ଚିତ୍ର ବ୍ୟତୀତ ଛୋଟ ପରଦାରେ ମଧ୍ୟ ମିହିର ଦାସ ବେଶ୍‍ ପରିଚିତ ଥିଲେ। ସେ ୨୦ରୁ ଊର୍ଦ୍ଧ୍ବ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ପ୍ରଥମେ ସେ ‘ମୂଲିଆ’ ଧାରାବାହିକରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ‘କାଆଗେ କହିବି ଗୁହାରୀ’, ‘କାଳରାତ୍ରୀ’, ‘ଜୀବନ’, ‘ଚିନ୍ତା ନ କର’ ଚିନ୍ତାମଣିକୁ’, ‘ବିଲୁଆ ବିଚାର’ ଓ ‘ଉତ୍ତରଦାୟୀ’ ଭଳି ଧାରାବାହିକରେ ଅଭିନୟ କରିଛନ୍ତି। ପିଲାଟି ବେଳେ ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ସେତେବେଳେ ସ୍କୁଲ ବାର୍ଷିକ ଉଛବରେ ଅନୁଷ୍ଠିତ ହେଇଥିବା ‘ମଣିକାଞ୍ଚନ’ ନାଟକରେ ପ୍ରଥମେ ଅଭିନୟ କରି ପ୍ରଶଂସିତ ହୋଇଥିଲେ। କଟକ ରେଭେନ୍ସା କଲେଜରେ ଆଇଏ ଦ୍ୱିତୀୟ ବର୍ଷ ପଢିବା ବେଳେ ସେ ‘ସେମାନେ ବି ମୋର’ ଡ୍ରାମାରେ ବାପା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ପୁଣି ନାଟ୍ୟ ସମ୍ପାଦକ ଭାବେ ନାଟକ ମଞ୍ଚସ୍ଥ ଓ ଅଭିନୟ ମଧ୍ୟ କରିଥିଲେ। କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଉଥିବା ଅନେକ ନାଟକରେ ଅଭିନୟ କରି ସେ ପ୍ରଶଂସିତ ହୋଇଥିଲେ।

ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ। ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ। ଏହାପରେ ସେ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ତାଙ୍କ ପୁଅ ଅମ୍ଲାନ ବର୍ତ୍ତମାନ  ଓଲିଉଡର ଜଣେ ଆଗଧାଡ଼ିର ନାୟକ। ପୂର୍ବରୁ ତାଙ୍କର ପତ୍ନୀ ସଂଗୀତାଙ୍କର ମଧ୍ୟ କିଛି ବର୍ଷ ତଳେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।