ଦ୍ବିତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସିରିଜ୍ ପୋଛିନେଲା ଭାରତ


ୱିକେଟ୍ ନେବା ପରେ ପ୍ଲେୟର ଅଫ୍ ଦ ମ୍ୟାଚ୍ ହର୍ଷଲ ପଟେଲ
ରାଞ୍ଚି: ବୁଧବାରଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଘରୋଇ ଟିମ୍ ଭାରତ ସିରିଜ୍ ପୋଛିନେଇଛି। ପ୍ରଥମ ଥର ପାଇଁ ରୋହିତ ଶର୍ମା ବିଧିବଦ୍ଧ ଅଧିନାୟକ ଦାୟିତ୍ବ ତୁଲାଉଥିବା ବେଳେ ମୁଖ୍ୟ କୋଚ୍ ଭାବେ ଟିମ୍ ଇଣ୍ଡିଆ ପକ୍ଷରୁ ରାହୁଲ୍ ଦ୍ରାବିଡ ଡେବ୍ୟୁ କରିଛନ୍ତି। ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଶୁକ୍ରବାର ରାଞ୍ଚିଠାରେ ଖେଳାଯାଇଥିବା ଦ୍ବିତୀୟ  ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ବିକେଟରେ ହରାଇ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଏହି ସିରିଜ ବିଜୟ ଦ୍ବାରା ଭାରତ ନିଜର ବିଶ୍ବକପ ପରାଜୟଜନିତ ଗ୍ଲାନିକୁ କିଛିଟା ଲାଘବ କରିବାରେ ସକ୍ଷମ ହୋଇଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହ ରୋହିତ ଓ ଦ୍ରାବିଡ ଯୋଡ଼ି ସେମାନଙ୍କ କ୍ୟାରିୟରର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଶୁକ୍ରବାର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆହ୍ବାନ ପାଇବା ପରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୩ ରନ୍ କରିଥିଲା। କିନ୍ତୁ ପ୍ରଥମେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଏବଂ ପରେ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୧୭.୨ ଓଭରରେ ୩ ଓ୍ବିକେଟ ହରାଇ ୧୫୪ ରନର ବିଜୟ ଲକ୍ଷ୍ୟକୁ ହରାଇ ହାସଲ କରିନେଇଥିଲା। ଦମଦାର ବୋଲିଂ ପାଇଁ ହର୍ଷଲ ପଟେଲ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ଦ୍ବିତୀୟ ପାଳିରେ ଭାରତର ଦୁଇ ଓପନର ଲୋକେଶ ରାହୁଲ୍ ଓ ଅଧିନାୟକ ରୋହିତ ଶର୍ମା ୧୩.୨ ଓଭରରେ ୧୧୭ ରନ୍ ଯୋଡ଼ିଥିଲେ।  ରାହୁଲ୍ ମାତ୍ର ୪୯ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୬୫ ରନ୍ କରି ଆଉଟ୍ ହେବା ପରେ ରୋହିତଙ୍କ ସହ ମିଶି ଭେଙ୍କଟେଶ ଆୟର୍ ୧୮ ରନ୍ ଯୋଡ଼ିଥିଲେ। ରୋହିତ ରାହୁଲ୍ ମାତ୍ର ୩୬ଟି ବଲ୍ ଖେଳି ଗୋଟିଏ ଚୌକା ଓ ୫ଟି ଛକା ସହ ୫୫ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ଆସି ମାତ୍ର ୧ ରନ୍ କରି ସଅଳ ଆଉଟ୍ ହୋଇଥିଲେ। ଆୟର୍ ୧୧ଟି ବଲ୍ ଖେଳି ୨ଟି ଚୌକା ସହ ୧୨ ରନ୍ ଓ ଋଷଭ ପନ୍ତ୍ ୬ଟି ବଲ୍ ଖେଳି ୨ଟି ଛକା ସହ ୧୨ ରନ୍ କରି ଅପରାଜିତ ରହିଥିବା ବେଳେ ୧୪ତମ ଓଭରର ପ୍ରଥମ ଦୁଇଟି ବଲରେ ୨ଟି ଛକା ଲଗାଇ ଦଳୀୟ ସ୍କୋରକୁ ୧୫୪/୩ରେ ପହଞ୍ଚାଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟିମ୍ ସାଉଦି ୩ଟିଯାକ ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବା ପାଇଁ ଆହ୍ବାନ ପାଇବା ପରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୩ ରନ୍ କରିଥିଲା। ଦଳ ପକ୍ଷରୁ ଓପନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଲ ମିଚେଲ ଦ୍ବିତୀୟ ସର୍ବାଧିକ ୩୧ ରନ୍ କରିଥିଲେ। ଗପ୍ଟିଲ୍ ମାତ୍ର ୧୫ଟି ବଲରେ ୩ଟି ଚୌକା ଓ ୨ଟି ଛକା ସହ ୩୧ ରନ୍ କରି ଆଉଟ୍ ହେବା ପରେ ମାର୍କ ଚାପମାନ୍ ୧୭ଟି ବଲରେ ୩ଟି ଚୌକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଡାରିଲ ମିଚେଲ ୨୮ଟି ବଲରେ ୩ଟି ଚୌକା ସହ ୩୧ ରନ୍ କରି ଆଉଟ୍ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୨୧ଟି ବଲରେ ଗୋଟିଏ ଚୌକା ଓ ୩ଟି ଛକା ସହ ସର୍ବାଧିକ ୩୪ ରନ୍ କରି ଆଉଟ୍ ହୋଇଥିଲେ। ଆଉ କେହି ବଡ଼ ସ୍କୋର୍ କରିପାରି ନ ଥିଲେ। କେବଳ ଟିମ୍ ସାଇଫର୍ଟ ଗୋଟିଏ ଚୌକା ସହ ୧୩ ରନ୍ କରିଥିଲେ। ଘରୋଇ ଦଳ ପକ୍ଷରୁ ହର୍ଷଲ ପଟେଲ ୨ଟି ଏବଂ ଭୁବନେଶ୍ବର କୁମାର, ଦୀପକ ଚହର, ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସିରିଜର ସିରିଜର ତୃତୀୟ ମ୍ୟାଚ୍ ରବିବାର କୋଲକାତାଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।