ସମସ୍ତ ଫର୍ମାଟରୁ ଡି’ଭିଲିୟର୍ସଙ୍କ ଅବସର, ୨୦୧୮ରେ ଛାଡ଼ିଥିଲେ ଅନ୍ତର୍ଜାତୀୟ କ୍ରିକେଟ୍


ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଜର୍ସିରେ ଡି’ଭିଲିୟର୍ସ (ଫାଇଲ୍ ଫଟୋ)
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଏବି ଡି’ଭିଲିୟର୍ସ ତାଙ୍କ ୧୭ ବର୍ଷର କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜଣକ ଏବେ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ପଡ଼ିଆର ଚତୁର୍ଦିଗକୁ ଶଟ୍ ମାରିବାର ଦକ୍ଷତା ରଖୁଥିବାରୁ ତାଙ୍କୁ ମିଷ୍ଟର୍ ୩୬୦ ଡିଗ୍ରୀ ଭାବେ ମଧ୍ୟ କ୍ରିକେଟପ୍ରେମୀମାନେ ଜାଣନ୍ତି। ଏଥିସହ ୩୭ ବର୍ଷୀୟ ଡି’ଭିଲିୟର୍ସଙ୍କ ଏହି ନିଷ୍ପତ୍ତି ତାଙ୍କର ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ସହ ଦୀର୍ଘ ଦିନର ସମ୍ପର୍କରେ ମଧ୍ୟ ଭଟ୍ଟା ପକାଇଛି। ତାଙ୍କ ଅବସର ସଂକ୍ରାନ୍ତରେ ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇ ଡି’ଭିଲିୟର୍ସ ଉଲ୍ଲେଖ କରିଛନ୍ତି ଯେ କ୍ରିକେଟ୍ ସହ ପାଖାପାଖି ଦୁଇ ଦଶନ୍ଧି ଧରି ଜଡ଼ିତ ରହିବା ଏକ ଅବିଶ୍ବସନୀୟ ଯାତ୍ରା। ତେବେ ପ୍ରତିଟି ଯାତ୍ରାରେ ବିରାମ ଲାଗିଲା ଭଳି ଏହି ଯାତ୍ରାରେ ବି ଏବେ ବିରାମ ଲାଗିବାର ସମୟ ଆସିଯାଇଛି। କ୍ରିକେଟ୍ ବ୍ୟାଟ୍ ଧରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଆସିଛି। କିନ୍ତୁ ଏବେ ୩୭ ବର୍ଷ ବୟସରେ ପୂର୍ବଦିନର ସେ ସ୍ଫୂର୍ତ୍ତି ଆଉ ନାହିଁ ଓ ମନରେ ରହିଥିବା କ୍ରିକେଟ୍ ପ୍ରତି ଆତ୍ମୀୟତାରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି। ତେଣୁ ବର୍ତ୍ତମାନ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହୁଛି ବୋଲି ଡି’ଭିଲିୟର୍ସ ଦର୍ଶାଇଛନ୍ତି।

କ୍ରିକେଟରେ ସେ ପାଇଥିବା ଅପାର ସଫଳତା ପଛରେ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସହ ପତ୍ନୀ ଡାନିଏଲଙ୍କର ସବୁଠାରୁ ଅଧିକ ତ୍ୟାଗ ରହିଛି ବୋଲି ଡି’ଭିଲିୟର୍ସ କହିବା ସହ ଏବେ ପତ୍ନୀ ଓ ପିଲାମାନଙ୍କୁ ସମୟ ଦେବାର ଅବସର ଉପନୀତ ହୋଇଥିବା କହିଛନ୍ତି। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ ତଥା ମଧ୍ୟମକ୍ରମ ବ୍ୟାଟିଂର ମେରୁଦଣ୍ଡ ବୋଲାଉଥିବା ଡି’ଭିଲିୟର୍ସ ଗତ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ବିଶ୍ବର ସବୁଠାରୁ ଦାମୀ ଲିଗ୍ ଭାବେ ପରିଚିତ ଆଇପିଏଲରେ ଡି’ଭିଲିୟର୍ସ ଗତ ୨୦୧୧ଠାରୁ ବାଙ୍ଗାଲୋର୍ ଫ୍ରାଞ୍ଚାଇଜ୍ ସହ ଜଡ଼ିତ ରହିଆସିଛନ୍ତି। ଇତିମଧ୍ୟରେ ସେ ଏହି ଫ୍ରାଞ୍ଚାଇଜ୍ ପାଇଁ ୧୧ଟି ସିଜନ୍ ଖେଳିବା ସହ ଦଳର ଅଧିନାୟକ ରହିଆସିଥିବା ବିରାଟ କୋହଲିଙ୍କ ସହ ଅନେକ ସ୍ମରଣୀୟ ଭାଗୀଦାରୀ କରିପାରିଛନ୍ତି। ଆରସିବି ପକ୍ଷରୁ ସେ ୪ ହଜାର ୪୯୧ ରନ୍ କରିବା ସହ କୋହଲିଙ୍କ ପରେ ଦ୍ବିତୀୟ ସର୍ବାଧିକ ସ୍କୋରର୍ ରହିଛନ୍ତି। ଆହୁରି ତାଙ୍କର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ୨୦୧୫ ସିଜନ୍ ମ୍ୟାଚରେ ୧୩୩ ରନର ଅପରାଜିତ ଇନିଂସ ଆଇପିଏଲ୍ ଇତିହାସରେ ୩ୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ଏହାଛଡ଼ା ସେ ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ମଧ୍ୟ ୧୨୯ ରନ୍ କରି ଅପରାଜିତ ରହି ଆଉ ଏକ ଧୂଆଁଧାର ଇନିଂସ ଖେଳିଥିଲେ।

ସୂଚନାଯୋଗ୍ୟ ଯେ ୨୦୦୪ରେ ଟେଷ୍ଟ୍ ମାଧ୍ୟମରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଡି’ଭିଲିୟର୍ସ ୧୧୪ଟି ଟେଷ୍ଟରେ ୮ ହଜାର ୭୬୫ ରନ୍ କରିବା ସହ ୨ଟି ଟେଷ୍ଟ୍ ୱିକେଟ୍ ନେଇଥିଲେ। ଏହି ଫର୍ମାଟରେ ସେ ୨୨ଟି ଶତକ କରିବା ସହ ଅପରାଜିତ ୨୭୮ ରନର ଇନିଂସ ମଧ୍ୟ ଖେଳିଥିଲେ। ଏହାଛଡ଼ା ଦିନିକିଆରେ ସେ ୨୨୮ଟି ମ୍ୟାଚ୍ ଖେଳି ୫୩.୫୦ ହାରରେ ୯ ହଜାର ୫୭୭ ରନ୍ କରିଛନ୍ତି। ଦିନିକିଆରେ ୧୭୬ ରନ୍ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ରହିଥିବା ବେଳେ ଏହି ରନ୍ ସେ ୧୦୧.୦୯ ଷ୍ଟ୍ରାଇକ୍ ରେଟରେ କରିଛନ୍ତି। ଏହି ଫର୍ମାଟରେ ସେ ୨୫ଟି ଶତକ କରିବା ସହ ୨୦୦୫ରେ ଇଂଲଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିଥିଲେ। ସେହିପରି ଏହି ଫର୍ମାଟରେ ଦ୍ରୁତ ଶତକ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି, ଯାହାକି ସେ ମାତ୍ର ୩୧ଟି ବଲରେ କରିଥିଲେ। ଗତ ୨୦୧୫ରେ ସେ ଜୋହାନ୍ସବର୍ଗଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ସେହିପରି ଟି-୨୦ରେ ସେ ୭୮ଟି ମ୍ୟାଚରେ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବା ସହ ୨୬.୧୨ ହାରରେ ୧ ହଜାର ୬୭୨ ରନ୍ କରିଛନ୍ତି। ୨୦୦୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।