କିରାଣି ଓ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ବ୍ୟାପକ ଆୟବହିର୍ଭୂତ ସମ୍ପତ୍ତି ଠାବ


ଭୁବନେଶ୍ବରସ୍ଥିତ ଭିଜିଲାନ୍ସ ନିର୍ଦେଶାଳୟ କାର୍ଯ୍ୟାଳୟ (ଫାଇଲ୍ ଫଟୋ)
ବଲାଙ୍ଗିର/ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦୁଇ ଜଣ ସରକାରୀ କର୍ମଚାରୀଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଦୁଇ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଲେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିବା ରମେଶ କୁମାର ନାଗ ଓ ଅନ୍ୟ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ଋଷିନାଥ ବରାଳ। ନାଗଙ୍କ ବଲାଙ୍ଗିରର ଶାନ୍ତିପଡ଼ାସ୍ଥିତ ବାସଭବନ, ତାଲପାଲିପଡ଼ାରେ ଥିବା ତାଙ୍କ ପୈତୃକ ଘର ସହ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଚଢ଼ାଉ ବେଳେ ବିଭିନ୍ନ ଆକାଉଣ୍ଟ ଓ ଜମିବାଡି କାଗଜପତ୍ର ତଥା କିଛି ସୁନାଗହଣା ମିଳିଥିବା ସୂଚନା ମିଳିଛି। ବଲାଙ୍ଗିର ଡିଏସପିଙ୍କ ନେତୃତ୍ୱରେ ବଲାଙ୍ଗିର,ସୋନପୁର ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉ କରିଥିଲେ। ନାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲା।  ଏହାକୁ ଭିତ୍ତି କରି ଟିମ୍ ତଦନ୍ତ କରିବା ସହ ଗୁରୁବାର ତାଙ୍କ ଘର ଉପରେ ଚଢ଼ାଉ କରିଥିଲା। ତେବେ ନାଗ ଏନେଇ କହିଛନ୍ତି ଯେ ତାଙ୍କ ନିକଟରେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଶାନ୍ତିପଡ଼ାରେ ଥିବା ତିନି ମହଲା କୋଠାରେ ଭାଇମାନେ ମିଶି କରି ରହୁଥିବା ବେଳେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିବା ନାଗ ସଫେଇ ଦେଇ କହିଛନ୍ତି।

ସେହିପରି ଋଷିନାଥଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍ ଏହି ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗର ୪ ଜଣ ଡିଏସପିଙ୍କ ନେତୃତ୍ୱରେ ୮ ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିଲେ। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର୍, ନଗଦ ୧.୩୦ ଲକ୍ଷ ଟଙ୍କା ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଋଷିନାଥ ଆୟ ବହିର୍ଭୂତ ସମ୍ପର୍ତ୍ତି ଠୁଳ କରିଥିବା ନେଇ ଏକାଧିକ ବାର ଅଭିଯୋଗ ହେବା ପରେ ଗୁରୁବାର ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଋଷିନାଥଙ୍କୁ ଭୁବନେଶ୍ୱରରେ ଥିବା କ୍ରାଇମବ୍ରାଞ୍ଚ ଅଫିସକୁ ଆଣି ଭିଜିଲାନ୍ସ ପଚରାଉଚରା ଜାରି ରଖିଛି। ଏଥିସହ ଋଷିନାଥଙ୍କ ସ୍ଥାବର ଅବସ୍ଥାବର ସମ୍ପତ୍ତିର ଖୋଳତାଡ ମଧ୍ୟ ଭିଜିଲାନ୍ସ କରୁଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।