ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଲେ ସିଦ୍ଧୁ, ଦଳ ସହ ରହିବେ


ନବଜୋତ ସିଂ ସିଦ୍ଧୁ (ଫାଇଲ୍ ଫଟୋ)
ପଞ୍ଜାବ କଂଗ୍ରେସରେ ଗତ କିଛିଦିନ ହେଲା ଚାଲିଥିବା ଡ୍ରାମା ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। ପୂର୍ବତନ କ୍ରିକେଟର ତଥା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁଙ୍କର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ଜାରି ରହିଥିବା ବିବାଦରେ ନବଜୋତଙ୍କୁ ରାଜ୍ୟ ପିସିସି ସଭାପତି ଭାବେ ହାଇକମାଣ୍ଡ୍ ନିଯୁକ୍ତି ଦେଇଥିଲେ। ପରେ ହାଇକମାଣ୍ଡଙ୍କ ନିର୍ଦେଶ କ୍ରମେ ହିଁ କ୍ୟାପଟେନ୍ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ସିଦ୍ଧୁଙ୍କ ଅନୁଗତ ବୋଲାଉଥିବା ଚରନଜିତ୍ ସିଂ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିକଟରେ ତାଙ୍କ ମନ୍ତ୍ରିମଣ୍ଡଳର ୧୫ ଜଣ ସଦସ୍ୟ ମଧ୍ୟ ଶପଥ ପାଠ କରିଥିଲେ। ତେବେ ଏପରି ସ୍ଥିତିରେ ମଙ୍ଗଳବାର ଅଚାନକ ସିଦ୍ଧୁ ତାଙ୍କ ପିପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅବଶ୍ୟ ସେ ଦଳ ସହ ରହି ସାମାନ୍ୟ କର୍ମୀ ପରି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଟ୍ବିଟର୍ ମାଧ୍ୟମରେ ସିଦ୍ଧୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି। କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ନିଜର ଇସ୍ତଫା ନେଇ ଲେଖିଥିବା ଚିଠି ମଧ୍ୟ ସୋସାଲ୍ ମିଡିଆରେ ସିଦ୍ଧୁ ପୋଷ୍ଟ୍ କରିଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଯେଉଁ ବ୍ୟକ୍ତିବିଶେଷ ବୁଝାମଣା କରେ, ସେବେଠାରୁ ତା’ର ଚରିତ୍ରର ଅବକ୍ଷୟ ଘଟେ। ସେ କଦାପି ପଞ୍ଜାବର ଭବିଷ୍ୟତ ଓ ପଞ୍ଜାବର ବିକାଶ ପାଇଁ କଂଗ୍ରେସର ରହିଥିବା ଏଜେଣ୍ଡା ସହ ବୁଝାମଣା କରିପାରିବେ ନାହିଁ। ତେଣୁ ସେ ପିପିସିସି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି। ଅବଶ୍ୟ କଂଗ୍ରେସର କର୍ମୀ ଭାବେ ସେ କାର୍ଯ୍ୟ କରିବା ଜାରି ରଖିବେ ବୋଲି ସିଦ୍ଧୁ ଉକ୍ତ ଚିଠିରେ ଦର୍ଶାଇଛନ୍ତି।

ଗତ କିଛି ସପ୍ତାହ ହେଲା ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ହାଇ ଡ୍ରାମାରେ ସିଦ୍ଧୁଙ୍କ ଅଚାନକ ଇସ୍ତଫା ଏକ ନୂଆ ମୋଡ଼ ଆଣିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କ୍ୟାପଟେନ୍ ଅମରିନ୍ଦରଙ୍କ ସହ ତାଙ୍କର ବିବାଦରେ ସିଦ୍ଧୁ ବିଜୟୀ ହୋଇଥିଲେ। ନିଜେ ପିପିସିସି ସଭାପତି ପଦ ହାତେଇବା ସହ ମୁଖ୍ୟମନ୍ତ୍ରୀ ରହିଥିବା କ୍ୟାପଟେନ୍ ଅମରିନ୍ଦରଙ୍କୁ ବିଦା କରିବାରେ ସକ୍ଷମ ହୋଇଥିଲେ। ଅଧିକନ୍ତୁ ତାଙ୍କ ପସନ୍ଦର ପ୍ରାର୍ଥୀ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗତ ସେପ୍ଟେମ୍ବର ୨୦ ତାରିଖରେ ଶପଥ ଗ୍ରହଣ କରିଥିଲେ। ଏହାର ୬ ଦିନ ପରେ ଅର୍ଥାତ୍ ଗତ ରବିବାର ଅପରାହ୍ନରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବି ରାଜ୍ୟପାଳଙ୍କ ଦ୍ବାରା ଶପଥ ଗ୍ରହଣ କରିଥିଲେ। କିନ୍ତୁ କ୍ୟାବିନେଟରେ ସାମିଲ୍ ହୋଇଥିବା ମନ୍ତ୍ରୀମାନଙ୍କୁ ନେଇ ଦଳ ଭିତରେ ବ୍ୟାପକ ଦ୍ବନ୍ଦ୍ବ ରହିଥିଲା। ଦୋଆବାର ୬ ଜଣ କଂଗ୍ରେସ ବିଧାୟକ ଓ ଜଣେ ପଞ୍ଜାବ କଂଗ୍ରେସ କମିଟିର ପୂର୍ବତନ ସଭାପତି ମନ୍ତ୍ରିମଣ୍ଡଳରେ ସାମିଲ୍ ଥିବା ରାଣା ଗୁରଜିତ୍ ସିଂଙ୍କୁ ହଟାଇବାକୁ ଦାବି କରିବା ସହ ଏନେଇ ସିଦ୍ଧୁଙ୍କୁ ଚିଠି ଲେଖିଥିଲେ। ଗୁରଜିତଙ୍କର ଖଣି ସ୍କାମରେ ନାମ ଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ଜଣେ ଦଳିତ ବିଧାୟକଙ୍କୁ ମନ୍ତ୍ରୀ ଭାବେ ସାମିଲ୍ କରିବା ସକାଶେ ସେମାନେ ଦାବି କରିଥିଲେ। କିନ୍ତୁ ଉକ୍ତ ୭ ଜଣ କଂଗ୍ରେସ ନେତାଙ୍କ ଦାବିକୁ ଅଣଦେଖା କରାଯାଇଥିଲା ଓ ରବିବାର ଗୁରଜିତ୍ ଶପଥ ପାଠ କରିଥିଲେ। ଅନ୍ୟପକ୍ଷରେ ମଙ୍ଗଳବାର ସିଦ୍ଧୁ ଇସ୍ତଫା ଦେଇଥିବା ବେଳେ କ୍ୟାପଟେନ୍ ଅମରିନ୍ଦର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ସକାଶେ ଦିଲ୍ଲୀ ଗସ୍ତ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।