ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ, କେନ୍ଦ୍ରୀୟ ଯୋଜନାର ପ୍ରଶଂସା କଲେ ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଅନେକ ଜନକଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ମୋଦୀ ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ମଧ୍ୟ ଶୁଭାରମ୍ଭ କରିଛନ୍ତି। କୋରୋନା ସଂକ୍ରମଣ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ‘କୋୱିନ୍’ ଆପର ଉପଯୋଗିତାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଚ୍ଚ ପ୍ରଶଂସା କରିବା ସହ ଏହି ଆପ୍ ମାଧ୍ୟମରେ ସାଧାରଣ ଲୋକେ ଟିକାକରଣ ପାଇଁ ପଞ୍ଜିକରଣ କରିବା ସହ ପ୍ରମାଣପତ୍ର ଆଦି ହାସଲ କରିପାରିଛନ୍ତି। ତେଣୁ ଏହା କୋଭିଡ୍ ସମୟରେ ଜନସାଧାରଣଙ୍କ କାର୍ଯ୍ୟରେ ଲାଗିଥିବା ସବୁଠାରୁ ବଡ଼ ଯୋଜନା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଆୟୁଷ୍ମାନ୍ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ଦେବାକୁ ଯାଇ ମୋଦୀ କହିଛନ୍ତି ଯେ ରାସନଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠି ୟୁପିଆଇ ପହଞ୍ଚିପାରିଛି। ଏହା କୌଣସି ସାଧାରଣ ଲୋକ ନିକଟରେ ମଧ୍ୟ ପହଞ୍ଚିବାରେ ସକ୍ଷମ ହୋଇଛି। ଦେଶରେ ୧୩୫ କୋଟି ଜନତାଙ୍କ ମଧ୍ୟରୁ ୧୧୮ କୋଟି ଲୋକଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ ୮୦ କୋଟି ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ତା’ଛଡ଼ା ଦେଶର ୪୩ କୋଟି ମହିଳା ବ୍ୟାଙ୍କରେ ଜନଧନ ଆକାଉଣ୍ଟ୍ ଖୋଲି ସ୍ବାବଲମ୍ବୀ ହୋଇପାରିଛନ୍ତି। ତେଣୁ ଭାରତ ବ୍ୟତୀତ ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ବଡ଼ ପରିମାଣର ଡିଜିଟାଲ୍ ଭିତ୍ତିଭୂମି ଉପଲବ୍ଧ ନ ଥିବ ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ ଦେଶର ହସ୍ପିଟାଲଗୁଡ଼ିକର ସ୍ଥିତିକୁ ସୁଧାରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ପର୍ଯୟଟକମାନଙ୍କୁ ସ୍ବାଗତ କରିବା ସକାଶେ ମଧ୍ୟ ବିଭିନ୍ନ ସ୍ଥାନର ବିକାଶ କରାଯାଉଛି। ସେହିପରି ଦେଶରେ ଯେତେ ଅଧିକ ପରିମାଣର ଲୋକ କୋଭିଡ୍ ଟିକା ନେବେ, ବିଦେଶୀ ପର୍ଯ୍ୟଟକମାନେ ଦେଶକୁ ଆସିବା ସକାଶେ ସେତିକି ସୁରକ୍ଷିତ ମନେ କରିବେ। ଦିନକୁ ଦିନ ଟିକାକରଣ ସଂଖ୍ୟା ବଢ଼ୁଥିବା ବେଳେ ଉନ୍ନତ ସ୍ବାସ୍ଥ୍ୟଗତ ଭିତ୍ତିଭୂମି ଯୋଗାଇ ଦେବା ସକାଶେ ଉଦ୍ୟମ ଜାରି ରହିଛି। ଏହା କୋଭିଡ୍ ସଂକ୍ରମଣ ସତ୍ତ୍ବେ ବିଦେଶୀ ଲୋକମାନଙ୍କୁ ଭାରତର ଆତିଥ୍ୟ ଗ୍ରହଣ କରିବାକୁ ଆକର୍ଷିତ କରିପାରିବ ବୋଲି ମୋଦୀ କହିଛନ୍ତି। ସେହିପରି ଦେଶର ହିମାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଆଦି ପ୍ରମୁ ଖପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କର ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ସୋମବାର ବିଶ୍ବ ପର୍ଯ୍ୟଟନ ଦିବସ ହୋଇଥିବା ବେଳେ ଆଗାମୀ ଦିନରେ ଦେଶର ପରିବର୍ତ୍ତିତ ସ୍ବାସ୍ଥ୍ୟଗତ ଭିତ୍ତିଭୂମି ନିଶ୍ଚିତ ଭାବେ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସଶକ୍ତ କରିପାରିବ ବୋଲି ମୋଦୀ କହିଛନ୍ତି। ଅଧିକରୁ ଅଧିକ ଟିକା ଦିଆଯିବା ଦ୍ବାରା ଅଧିକରୁ ଅଧିକ ପର୍ଯ୍ୟଟକ ଦେଶକୁ ବୁଲିବା ସକାଶେ ଆସିପାରିବ ବୋଲି ମୋଦୀ କହିଛନ୍ତି। ସ୍ବାସ୍ଥ୍ୟ ସୁବିଧାର ଉନ୍ନତି କରାଯିବା ସହ କୌଣସି ଗରିବ ଓ ମଧ୍ୟବିତ୍ତ ପରିବାରର ସଦସ୍ୟମାନେ ଔଷଧ ପାଇଁ ସବୁଠାରୁ କମ୍ ଖର୍ଚ୍ଚ କରନ୍ତୁ ବବୋଲି କେନ୍ଦ୍ର ସରକାର ଚାହାଁନ୍ତି। ତେଣୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ଜରୁରୀକାଳୀନ ଔଷଧ ମହଦୁଜ ରଖାଯିବା ସହ ଅସ୍ତ୍ରୋପଚାର ଓ ଡାଇଲିସିସ୍ ଆଦି ପାଇଁ ଉନ୍ନତ ମାନର ସରଞ୍ଜାମ ରଖାଯାଇଛି ବୋଲି ମୋଦୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।