ଅପରାଧ
ଚାରି ଜଣଙ୍କୁ ମାରି କ୍ରେନରେ ଝୁଲାଇଦେଲେ ତାଲିବାନୀ

ଚାରି ଜଣଙ୍କୁ ହତ୍ୟା କରିବା ପରେ ତାଲିବାନୀ ସେମାନଙ୍କୁ କ୍ରେନରେ ଝୁଲାଇବାର ଦୃଶ୍ୟ
ତାଲିବାନ ଆତଙ୍କୀମାନେ ଦେଶରେ ଚାରି ଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଛକଗୁଡିକରେ କ୍ରେନରେ ଝୁଲାଇ ରଖିଛନ୍ତି। ହେରାତ ପ୍ରଦେଶର ଡେପୁଟି ଗଭର୍ଣ୍ଣର ମାୱାଲାୱି ଶିର ଅହମଦ ମୁହାଜିର କହିଛନ୍ତି, ବିଭିନ୍ନ ସର୍ବସାଧାରଣ ସ୍ଥାନଗୁଡିକରେ ମୃତଦେହକୁ ପ୍ରଦର୍ଶିତ କରାଯାଇଛି, ଯଦ୍ଦ୍ୱାରା ଅପହରଣକାରୀଙ୍କୁ କିଭଳି ଦଣ୍ଡ ଦିଆଯାଏ, ତାହା ସାଧାରଣ ଲୋକ ଦେଖିପାରିବେ।
ତାଲିବାନ ପକ୍ଷରୁ କୁହାଯାଇଛି ଯେ ଏହି ଚାରି ଜଣ ଅପହରଣ ଘଟଣାରେ ସଂପୃକ୍ତ ଥିଲେ। ତାଲିବାନ ଆତଙ୍କୀମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିବାପରେ ମୃତଦେହକୁ ଆଣି କ୍ରେନରେ ଝୁଲାଇ ଦେଇଥିଲେ। ସେହି ସ୍ଥାନରେ କ୍ରେନ ଚାରିପଟେ ବନ୍ଧୁକଧାରୀ ତାଲିବାନୀମାନେ ଛିଡା ହୋଇଥିବାବେଳେ ପଥଚାରୀମାନେ ଭୟ ଓ ଆଶ୍ଚର୍ଯ୍ୟରେ ତାହାକୁ ଚାହିଁ ରହିଥିଲେ। ସୂଚନାଯୋଗ୍ୟ ଯେ ତାଲିବାନ ତାହାର ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ପୂର୍ବ ଶାସନ ସମୟରେ ମଧ୍ୟ ଅନୁରୂପ କ୍ରୁର ଆଚରଣ ପ୍ରଦର୍ଶନ କରିଥିଲା।