ଅପରାଧ
ରୋହିଣୀ କୋର୍ଟ ପରିସରରେ ଗ୍ୟାଙ୍ଗୱାର୍: ଗ୍ୟାଙ୍ଗଷ୍ଟର୍ ଗୋଗୀ ସମେତ ୩ ମୃତ

ରୋହିଣୀ କୋର୍ଟ ପରିସରରେ ଆମ୍ବୁଲାନ୍ସ
ସ୍ଥାନୀୟ ରୋହିଣୀ କୋର୍ଟ ପରିସରରେ ଶୁକ୍ରବାର ଦୁଇ ଗ୍ୟାଙ୍ଗଷ୍ଟର୍ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ଏହି ଗୁଳିକାଣ୍ଡ ଘଟଣାରେ ଜଣେ ଆଇନଜୀବୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡ ଟିଲୁ ତାଜପୁରିଆ ଗ୍ୟାଙ୍ଗ୍ ଓ ଗ୍ୟାଙ୍ଗଷ୍ଟର୍ ଜିତେନ୍ଦ୍ର ଓରଫ୍ ଗୋଗି ଗ୍ୟାଙ୍ଗ୍ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସହରରେ ଏହି ଦୁଇଟି ଗ୍ୟାଙ୍ଗ୍ ମଧ୍ୟରେ ପୂର୍ବରୁ ମଧ୍ୟ ଶତ୍ରୁତା ରହିଆସିଛି। ଉଭୟ ଜିତେନ୍ଦ୍ର ଗୋଗି ଓ ଟିଲୁ ତାଜପୁରିଆ କଲେଜରେ ପାଠ ପଢ଼ୁଥିବା ସମୟରୁ ପରସ୍ପର ବିରୋଧରେ ଲଢ଼େଇ କରିଆସୁଥିବା ବେଳେ ଏବେ ବି ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଅହିନକୂଳ ସମ୍ପର୍କ ଜାରି ରହିଛି। ଉଭୟଙ୍କ ମଧ୍ୟରେ ୨୦୧୦ ପୂର୍ବରୁ ବନ୍ଧୁତ ରହିଥିଲା। କିନ୍ତୁ ଦିଲ୍ଲୀ ଉପକଣ୍ଠସ୍ଥ ଏକ କଲେଜର ଷ୍ଟୁଡେଣ୍ଟ୍ ୟୁନିଅନ୍ ନିର୍ବାଚନକୁ ନେଇ ଉଭୟ ପରସ୍ପରର ବିରୋଧୀ ହୋଇଥିଲେ, ଯାହାକି ପରେ ଗ୍ୟାଙ୍ଗ୍ ୱାରର ରୂପ ନେଇଆସିଛି। ଗତ ୨୦୧୮ରେ ଗୋଗି ଓ ଟିଲୁ ଗ୍ୟାଙ୍ଗ୍ ମଧ୍ୟରେ ବୁରାରିଠାରେ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ୫ ଜଣ ଆହତ ହୋଇଥିଲେ। ଅଦ୍ୟାବଧି ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଅତି କମରେ ଉଭୟ ପକ୍ଷର ଶହେ ଜଣ ଲୋକ ମୃତ୍ୟୁବରଣ କରିସାରିଛନ୍ତି।
ଶୁକ୍ରବାର ହୋଇଥିବା ଗୁଳିକାଣ୍ଡରେ ନିଜେ ଗ୍ୟାଙ୍ଗଷ୍ଟର୍ ଜିତେନ୍ଦ୍ର ମାନ୍ ଓରଫ୍ ଗୋଗି ନିହତ ହୋଇଛି। ସେ ଦିଲ୍ଲୀ-ହରିୟାଣା ସୀମାବର୍ତ୍ତୀ ଆଲିପୋର୍ ଅଞ୍ଚଳର ନିବାସୀ ରହିଥିଲା। ସେ ତା’ର ଅପରାଧିକ କାର୍ଯ୍ୟକଳାପ ପାଇଁ ଦିଲ୍ଲୀ ପୋଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସ୍ଥାନ ପାଇଥିଲା। ସେ ତିହାର ଜେଲରେ ରହିଥିବା ସମୟରେ ଦୁବାଇର ଜଣେ ବ୍ୟବସାୟୀଠାରୁ ୫ କୋଟି ଟଙ୍କାର ଚାନ୍ଦା ଦାବି କରି ବେଶ୍ ଚର୍ଚ୍ଚିତ ହୋଇଥିଲା। ଜିତେନ୍ଦ୍ର ଗୋଗି ଦାଦାବଟି ଆଦାୟ କରିବା, ମୁଣ୍ଡ ଜାମିନ୍ ପାଇଁ ଅପହରଣ କରିବା, ହତ୍ୟା ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ଜେଲରେ ରହି ବି ପରିଚାଳନା କରିଆସୁଥିଲା। ସେ ତିନି ତିନି ଥର ପୋଲିସ୍ ହେପାଜତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଗତ ୨୦୧୬ ଜୁଲାଇ ୩୦ ତାରିଖରେ ଜିତେନ୍ଦ୍ର ଦିଲ୍ଲୀ ପୋଲିସ୍ ହାତରୁ ବାହାଦୁରଗଡ଼ଠାରେ ଖସି ପଳାଇଥିଲା। ଅନ୍ୟପକ୍ଷରେ ଟିଲୁ ତାଜପୁରିଆ ମଧ୍ୟ ତିହାର ଜେଲରେ ବନ୍ଦ ଥିଲେ ମଧ୍ୟ ଜେଲ୍ ଭିତରୁ ନିଜର ଅପରାଧିକ ସାମ୍ରାଜ୍ୟକୁ ପରିଚାଳନା କରୁଥିଲା। ଗତ ୨୦୧୦ଠାରୁ ଆରମ୍ଭ ହୋଇଥିବା ଏହି ଗ୍ୟାଙ୍ଗୱାର୍ ୨୦୧୩ରେ ଅଧିକ ଘନୀଭୂତ ହୋଇଥିଲା, ଯେତେବେଳେ ପୋଲିସ୍ ଗୁଳିରେ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ନିହତ ହୋଇଥିଲା। ୨୦୧୩ରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ନୀତୁ ଡାବୋଡିଆ ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲା। ଏହାଛଡ଼ା ଦିଲ୍ଲୀର ଡନ୍ ବୋଲାଉଥିବା ନୀରଜ ବାୱନିୟା ମଧ୍ୟ ଜେଲରେ ଭର୍ତ୍ତି ହୋଇଥିଲା। ଏହାପରେ ଗୋଗି ଓ ଟିଲୁ ଗୋଷ୍ଠୀ ମଧ୍ୟରେ ଗତ ୧୦ ବର୍ଷ ହେଲା ଆଧିପତ୍ୟ ବିସ୍ତାର କରିବା ସକାଶେ ଏକରକମ ପ୍ରତିଦ୍ବନ୍ଦ୍ବିତା ଚାଲିଆସିଛି।