ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ନେଲା ସିବିଆଇ


ମହନ୍ତ ନରେନ୍ଦ୍ର ଗିରି (ଫାଇଲ୍ ଫଟୋ)
ଭାରତୀୟ ଅଖାଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରି ଗତ ସୋମବାର ଆତ୍ମହତ୍ୟା କରିଥିବା ବେଳେ ଏହି ମାମଲାରେ ତାଙ୍କର ପ୍ରମୁଖ ଶିଷ୍ୟ କୁହାଯାଉଥିବା ଆନନ୍ଦ ଗିରିଙ୍କ ସହ ଏକାଧିକ ଗିରଫଦାରୀ ହୋଇଛି। ତେବେ ଇତିମଧ୍ୟରେ ଉତ୍ତର ପ୍ରଦେଶ ପୋଲିସଠାରୁ ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରାଯାଇଛି। ମହନ୍ତ ନରେନ୍ଦ୍ର ଗିରି ଏକ ୧୨ ପ୍‌ଷ୍ଠା ବିଶିଷ୍ଟ ସୁଇସାଇଡାଲ୍ ନୋଟ୍ ଛାଡ଼ି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଆନନ୍ଦ ଗିରିଙ୍କ ଦ୍ବାରା ଭାଇରାଲ୍ କରାଯାଇଥିବା ତାଙ୍କର ଏକ ଆପତ୍ତିଜନକ ଫଟୋ କାରଣ ବୋଲି ଦର୍ଶାଇଛନ୍ତି। ତେବେ ତଦନ୍ତକୁ ଅଧିକ ତ୍ବରାନ୍ବିତ କରିବା ସକାଶେ ଗୁରୁବାର  ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଶୁକ୍ରବାର ଏହି ମାମଲାର ତଦନ୍ତ ଦାୟିତ୍ବ ପାଇବା ପରେ ତୁରନ୍ତ ସିବିଆଇ ତା’ର ପଦକ୍ଷେପ ନେବା ଆରମ୍ଭ କରିବାକୁ ଯାଇ ଗୋଟିଏ ଟିମ୍‌ ଗଠନ କରିଛି। ଏଥିସହ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ମାମଲା ମଧ୍ୟ ରୁଜୁ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସିବିଆଇର ତଦନ୍ତକାରୀ ଟିମ୍‌ରେ ଥିବା ସଦସ୍ୟମାନେ ଦିଲ୍ଲୀରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିବେ। ସିବିଆଇ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ଅସଲ କାରଣ ଜାଣିବା ପାଇଁ ଏକ ୬ ଜଣିଆ ଟିମ ଗଠନ କରିଥିବା ଜଣାପଡ଼ିଛି।

ପୋଲିସଠାରୁ ଦସ୍ତାବିଜ ସଂଗ୍ରହ କରିବା ପରେ ସିବିଆଇ ସମ୍ପୂର୍ଣ୍ଣ ଘଟଣାରେ ଗିରଫ ହୋଇଥିବା ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ମନ୍ଦିରର ପୂଜକ ଆଦ୍ୟଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି। ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ସୁଇସାଇଡାଲ୍ ନୋଟ୍‌ରେ ଆନନ୍ଦ ଗିରିଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ଉଲ୍ଲେଖ କରିଥିଲେ। ସେମାନେ ତାଙ୍କୁ ହଇରାଣ ଓ ଅପମାନିତ କରୁଥିବା କରୁଥିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ଉକ୍ତ ନୋଟରେ ଉଲ୍ଲେଖ କରିଥିଲେ। ଗତ ସୋମବାର ସନ୍ଧ୍ୟାରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଘମ୍ବରି ମଠସ୍ଥିତ ତାଙ୍କ କୋଠରିରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମହନ୍ତ ଗିରିଙ୍କୁ ଶେଷ ଥର ପାଇଁ ସୋମବାର ମଧ୍ୟାହ୍ନଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ କୋଠରିର କବାଟ ବାଡ଼େଇଥିଲେ ହେଁ ମହନ୍ତ ନରେନ୍ଦ୍ର ଗିରି କୌଣସି ଉତ୍ତର ଦେଇ ନ ଥିଲେ। ପରେ କୋଠରିରେ କବାଟ ଭାଙ୍ଗି ମହନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେତେବେଳେ କୋଠରି ମଧ୍ୟରେ ମହନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ଏଥିସହ ତାଙ୍କ କୋଠରିରୁ ଗୋଟିଏ ସୁଇସାଇଡାଲ୍ ନୋଟ୍ ମଧ୍ୟ ମିଳିଥିଲା। ଏଥିରେ ସେ ତାଙ୍କର ଇଚ୍ଛା ଓ ତାଙ୍କୁ ସମସ୍ୟାରେ ପକାଉଥିବା ଲୋକଙ୍କ ନାମ ଉଲ୍ଲେଖ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।