ଅପରାଧ
ବନ୍ଦ କୋଠାରୀରୁ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଘଟଣା ସ୍ଥଳରେ ପୋଲିସ୍ର ଛାନ୍ଭିନ୍
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା। ବନ୍ଦ କୋଠାରୀ ଭିତରୁ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ବାପା ଫେରାର୍ ଥିବା ଜଣାପଡ଼ିଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ଅନୁମାନ କରାଯାଉଛି। ମୃତକ ହେଲେ ସୋନି ପୋଦାର (୨୩) ତାଙ୍କର ଦୁଇ ଝିଅ ମୁସ୍କାନ (୫) ରାଧିକା (୩)। ସୋନିଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ବ୍ରଜରାଜନଗର ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ନାରାୟଣ ଓ ସୋନି ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡ଼ାରେ ରହୁଥିଲେ। ବୁଧବାର ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’ ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୋଲିସ୍କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମା’ ଓ ୨ ଝିଅ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି, ତାହା ଜଣାପଡ଼ି ନାହିଁ। ନାୟାରଣ ଫେରାର୍ ଥିବାରୁ ତାଙ୍କ ଉପରେ ପୁଲିସ ସନ୍ଦେହ କରୁଛି। ପାରିବାରିକ କହଳ କାରଣରୁ ନାରାୟଣ ହତ୍ୟା କରିଥାଇପାରେ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଘଟଣାସ୍ଥଳରେ ଝାରସୁଗୁଡ଼ା ଅତିରିକ୍ତ ଏସ୍ପି ପହଞ୍ଚି ତଦନ୍ତ କାର୍ଯ୍ୟ ତଦାରଖ କରୁଛନ୍ତି।
ସୂଚନା ଅନୁସାରେ, ପୋଦାର ପରିବାର ୬ ମାସ ପୂର୍ବରୁ ସେହି ପଡ଼ାର ଅନ୍ୟତ୍ର ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାର ସାନଭାଇ କଳାକାହ୍ନୁ ମଧ୍ୟ ନାରାୟଣ ସହ ରହୁଥିଲା। କଳାକାହ୍ନୁ ନିଜ ଭାଉଜ ସୋନିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବା ପରେ କଳାକାହ୍ନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହା ପରେ ସେମାନେ ପୂର୍ବ ଘର ଛାଡ଼ି ଅଚ୍ୟୁତାନନ୍ଦ ସୁରିଆଙ୍କ ଭଡ଼ାଘରେ ୫ମାସ ହେବ ରହୁଥିଲେ।