ଅପରାଧ
ଅଷ୍ଟ୍ରେଲିଆରେ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ଆନନ୍ଦ ଗିରି

ଆନନ୍ଦ ଗିରି (ଫାଇଲ ଫଟୋ)
ଗତ ସୋମବାର ସନ୍ଧ୍ୟାରେ ଅଖିଳ ଭାରତୀୟ ଅଡ଼ାଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ବେଳେ ଏହି ମାମଲାରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରାଯାଇଛି। ନରେନ୍ଦ୍ର ଗିରି ଛାଡ଼ିଯାଇଥିବା ସୁଇସାଇଡାଲ୍ ନୋଟରେ ତାଙ୍କର ଆତ୍ମହତ୍ୟା ପାଇଁ ସେ ଆନନ୍ଦଙ୍କୁ ଦାୟୀ କରିଛନ୍ତି। ଆନନ୍ଦ ତାଙ୍କର ଏକ ଫଟୋକୁ କଦର୍ଯ୍ୟ କରି ସୋସାଲ୍ ମିଡିଆରେ ଭାଇରାଲ୍ କରିବା ଫଳରେ ସେ ସମାଜ ଚକ୍ଷୁରେ ବେଶ୍ ଲଜ୍ଜିତ ହୋଇ ଶେଷରେ ଆତ୍ମହତ୍ୟା କରି ଚରମ ନିଷ୍ପତ୍ତି ନେଇଥିବା ମହନ୍ତ ନରେନ୍ଦ୍ର ଗିରି ଛାଡ଼ିଯାଇଥିବା ୧୨ ପୃଷ୍ଠା ସମ୍ବଳିତ ସୁଇସାଇଡାଲ୍ ନୋଟରେ ଉଲ୍ଲେଖ କରିଛନ୍ତି। ତେବେ ଆନନ୍ଦ ନିଜକୁ ଉତ୍ତର ପ୍ରଦେଶର ବଡେ ହନୁମାନ ମନ୍ଦିରର ମହନ୍ତ ବୋଲାଉଥିବା ବେଳେ ତାଙ୍କ ନାମରେ ପୂର୍ବରୁ ବହୁ ସାଂଘାତିକ ମାମଲା ମଧ୍ୟ ଥିବା ତଦନ୍ତ ବେଳେ ପଦାକୁ ଆସିଛି। ଅଖାଡ଼ା ଓ ମଠରେ ଦିନକୁ ଦିନ ଆନନ୍ଦଙ୍କର ମହତ୍ତ୍ବ ଓ ପ୍ରଭାବ ବଢ଼ିବା ଫଳରେ ସେ କ୍ରମଶଃ ଇଂଲିଶ୍ ଶିଖିଥିଲେ। ବିଦେଶରେ ପ୍ରଚାର କରିବା ଦିଗରେ ସଫଳତା ପାଇବା ସକାଶେ ସେ ଇଂରାଜୀ ଶିଖିଥିଲେ। ସେ ମଧ୍ୟ ଧାର୍ମିକ ପ୍ରଚାର କାର୍ଯ୍ୟରେ ଅଷ୍ଟ୍ରେଲିଆ ଯାଇଥିଲେ। କିନ୍ତୁ ଗତ ୨୦୧୯ରେ ସେ ସେଠାରେ ଗିରଫ ହୋଇଥିଲେ। ଦୁଇ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ସେଠାକାର ପୋଲିସ୍ ଆନନ୍ଦଙ୍କୁ ଗିରଫ କରିଥିଲା।
ଏହି ଘଟଣା ୨୦୧୬ରୁ ୨୦୧୮ ମଧ୍ୟରେ ଘଟିଥିଲା। ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ଅନ୍ତର୍ଗତ ସିଡନୀ ଉପକଣ୍ଠସ୍ଥ ରୁଟି ହିଲ୍ଠାରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ଆନନ୍ଦ ଜଣେ ୨୯ ବର୍ଷୀୟା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ। ସେହିପରି ଦ୍ବିତୀୟ ଘଟଣାଟି ଗତ ୨୦୧୮ ନଭେମ୍ବରରେ ଘଟିଥିଲା। ଏହି ଘଟଣାରେ ଆନନ୍ଦ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ସିଡନୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ। ଆନନ୍ଦଙ୍କ ନାମରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଥିଲା। ଗତ ମେ’ ୨୦୧୯ରେ ଯେତେବେଳେ ଆନନ୍ଦ ଅଷ୍ଟ୍ରେଲିଆ ଗସ୍ତରେ ୬ ଦିନ ପାଇଁ ଯାଇଥିଲେ, ସେତେବେଳେ ଉପରୋକ୍ତ ଦୁଇଟି ଅଭିଯୋଗ ପାଇଁ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ସେ ନିଜର ଧାର୍ମିକ ପ୍ରଚାର କାର୍ଯ୍ୟ ଶେଷ କରି ଭାରତ ଫେରୁଥିବା ସମୟରେ ବିମାନବନ୍ଦରରେ ତାଙ୍କୁ ପୋଲିସ୍ ଅଧିକାରୀମାନେ ଗିରଫ କରିଥିଲେ। ୩୮ ବର୍ଷୀୟ ଆନନ୍ଦଙ୍କୁ ତୁରନ୍ତ କୋର୍ଟ ଜାମିନ୍ ଦେବାକୁ ମନା କରିଦେଇଥିଲେ। ତେଣୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେଠାରେ କିଛିଦିନ ରହିବା ପରେ ପରବର୍ତ୍ତୀ ସମୟରେ ଆନନ୍ଦଙ୍କୁ ସସର୍ତ୍ତ ଜାମିନ୍ ମିଳିଥିଲା। ସେ ଦୈନିକ ଥାନାରେ ହାଜର ହେବେ ଓ ଜଣେ ହିନ୍ଦୁ ସ୍ବାମୀ ଭାବେ କଦାପି ଅଷ୍ଟ୍ରେଲିଆରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି କୋର୍ଟ ଜାମିନ୍ ବେଳେ ସର୍ତ୍ତ ରଖିଥିଲେ। ଅନ୍ୟପକ୍ଷରେ ନରେନ୍ଦ୍ର ଗିରିଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଆନନ୍ଦ ଓ ସାଧୁ ଆଦ୍ୟା ତିୱାରୀଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ୍ ରିମାଣ୍ଡରେ ପଠାଇ ଦିଆଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ