ଖେଳକୁଦ
ଟି-୨୦ ବିଶ୍ବକପ୍ ପରେ କୋଚ୍ ପଦରୁ ଯିବେ ଶାସ୍ତ୍ରୀ, ଫେରିପାରନ୍ତି କୁମ୍ବଲେ

ରବି ଶାସ୍ତ୍ରୀ ଓ ଅନୀଲ କୁମ୍ବଲେ (ଫାଇଲ୍ ଫଟୋ)
ନିକଟରେ ଭାରତର ଅଧିନାୟକ ବିରାଟ କୋହଲି ତିନିଟିଯାକ ଫର୍ମାଟରେ ନେତୃତ୍ବ ନେବାକୁ ଅକ୍ଷମ ଥିବା କଥା ପ୍ରକାଶ କରିବା ସହ ଆଗାମୀ ଟି-୨୦ ବିଶ୍ବକପ୍ ପରେ କ୍ଷୁଦ୍ର ଫର୍ମାଟରେ ନେତୃତ୍ବ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବା ତାଙ୍କର ଏପରି ନିଷ୍ପତ୍ତିର ମୁଖ୍ୟ କାରଣ ହୋଇଥିବା ବେଳେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟି-୨୦ ଦଳର ନେତୃତ୍ବ ବର୍ତ୍ତମାନ ଉପଅଧିନାୟକ ରହିଥିବା ରୋହିତ ଶର୍ମା ନେବା ଏକରକମ ଥୟ। ସେହିପରି ଦଳର ମୁଖ୍ୟ କୋଚ୍ ରହିଥିବା ରବି ଶାସ୍ତ୍ରୀ ମଧ୍ୟ ଟି-୨୦ ବିଶ୍ବକପ୍ ପରେ ଏହି ପଦବୀ ଛାଡ଼ିବେ। ତେଣୁ ତାଙ୍କ ସ୍ଥାନରେ ପୁଣିଥରେ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେ ଏହି ଦାୟିତ୍ବକୁ ଫେରିବାର ସମ୍ଭାବନା ରହିଛି ବୋଲି ବିସିସିଆଇ ପ୍ରକାଶ ସମ୍ଭାବନା ପ୍ରକାଶ ପାଇଛି। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ବିସିସିଆଇ ତାଙ୍କୁ ଓ ପୂର୍ବତନ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ପଦ ସକାଶେ ଆବେଦନ କରିବାକୁ କହିବାର ସମ୍ଭାବନା ରହିଛି। କୁମ୍ବଲେ ପୂର୍ବରୁ ୨୦୧୬-୧୭ ସିଜନରେ ପାଖାପାଖି ବର୍ଷ ଭାରତୀୟ ଟିମର କୋଚ୍ ରହିସାରିଛନ୍ତି। ସେତେବେଳେ ସଚିନ୍ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟି (ସିଏସି) ତାଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ଥାନରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ମତଭେଦ କାରଣରୁ ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ନିକଟରୁ ଭାରତ ହାରିବା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।
ବିସିସିଆଇର ଜନୈକ କର୍ମକର୍ତ୍ତାମାନେ କହିଛନ୍ତି ଯେ ଗତ ୨୦୧୭ରେ ଯେପରି ଭାବେ ଅଧିନାୟକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ବିସିସିଆଇ କୁମ୍ବଲେଙ୍କ ଇସ୍ତଫାପତ୍ର ଗ୍ରହଣ କଲା, ତାହା କଦାପି ଗ୍ରହଣଯୋଗ୍ୟ ନ ଥିଲା। ତେଣୁ ତାଙ୍କୁ ପୁନର୍ବାର ସୁଯୋଗ ଦିଆଗଲେ ହିଁ ତାଙ୍କ ପ୍ରତି ହୋଇଥିବା ଅପମାନରେ ସୁଧାର ଅଣାଯାଇପାରିବ। ତା’ଛଡ଼ା କୁମ୍ବଲେ କିମ୍ବା ଲକ୍ଷ୍ମଣ କେଉଁ ସମୟରେ ଆବେଦନ କରିବାକୁ ସମୟ ପାଇବେ, ତା’ ମଧ୍ୟ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ବିସିସିଆଇ ଶାସ୍ତ୍ରୀଙ୍କ ବିଦାୟ ପରେ କେବଳ ଭାରତୀୟ କୋଚ୍ଙ୍କୁ ଟିମ୍ ଇଣ୍ଡିଆ ଦାୟିତ୍ବ ଦେବା ସପକ୍ଷରେ ରହିଛି। ବିଶେଷକରି କୁମ୍ବଲେ ଓ ଲକ୍ଷ୍ମଣଙ୍କ ପରି ଶହେରୁ ଊର୍ଦ୍ଧ୍ବ ଟେଷ୍ଟ୍ ଖେଳିଥିବା ଖେଳାଳିଙ୍କ ପାଖରେ କୋଚିଂ ଦେବାର ବି ଢେର୍ ଅଭିଜ୍ଞତା ରହିଥିବାରୁ ସେମାନେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ସକାଶେ ସମ୍ପୂର୍ଣ୍ଣ ଫିଟ୍। କୌଣସି ବିଦେଶୀ କୋଚ୍ଙ୍କ ବିଷୟରେ ଏବେ କୌଣସି ଚିନ୍ତା କରାଯାଇ ନ ଥିବା ବିସିସିଆଇର ଉକ୍ତ ଅଧିକାରୀ ଜଣକ କହିଛନ୍ତି। ସେହିପରି ବର୍ତ୍ତମାନ ଦଳର ବ୍ୟାଟିଂ କୋଚ୍ ଥିବା ବିକ୍ରମ ରାଠୋର୍ ମୁଖ୍ୟ କୋଚ୍ ହେବେ କି ବୋଲି ପଚରାଯିବାରେ ଅଧିକାରୀ ଜଣକ କହିଛନ୍ତି ଯେ ସେ ଏହି ପଦ ସକାଶେ ଆବେଦନ କରିପାରନ୍ତି। କିନ୍ତୁ ମୁଖ୍ୟ କୋଚ୍ ହେବା ସକାଶେ ଏବେ ବି ତାଙ୍କ ପାଖରେ ଯୋଗ୍ୟତା ହୋଇନାହିଁ। ସେ ଅତିରିକ୍ତ କୋଚ୍ ପାଇଁ ଫିଟ୍। ନୂଆ ମୁଖ୍ୟ କୋଚ୍ ଆସିବା ପରେ ସେ ତାଙ୍କର ନିଜସ୍ବ ସପୋର୍ଟ ଷ୍ଟାଫ୍ ଚୟନ କରିବେ। ତେଣୁ ସେ ସପୋର୍ଟ ଷ୍ଟାଫ୍ ରହିବେ କି ନାହିଁ, ତା’ ନୂଆ କୋଚ୍ ନିଯୁକ୍ତି ପରେ ସ୍ପଷ୍ଟ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ