ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ୍ ଅମରିନ୍ଦର ସିଂ


ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଉଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ
ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ବରିଷ୍ଠ କଂଗ୍ରେସ ନେତା ତଥା କ୍ୟାପଟେନ୍ ଅମରିନ୍ଦର ସିଂ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଂସଦୀୟ ଦଳ (ସିଏଲପି) ବୈଠକ ଆରମ୍ଭ ହେବାର କେଇ ଘଣ୍ଟା ପୂର୍ବରୁ କ୍ୟାପଟେନ୍ ଅମରିନ୍ଦର ଗଭର୍ଣ୍ଣର୍ ବନୱାରିଲାଲ୍ ପୁରୋହିତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅପମାନିତ ଅନୁଭବ କରିବାରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି। ଗତ ୫୨ ବର୍ଷର ରାଜନୀତି ଜୀବନରେ ପୂର୍ବରୁ କଦାପି ଏତେଟା ଅପମାନିତ ଅନୁଭବ କରି ନ ଥିଲି। ନିଜର ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କ୍ୟାପଟେନ୍ ଅମରିନ୍ଦର କହିଛନ୍ତି। ଶନିବାର ଅପରାହ୍ନରେ କ୍ୟାପଟେନ୍ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ପୂର୍ବାହ୍ନରେ କଂଗ୍ରେସ ହାଇକମାଣ୍ଡ୍ ସୋନିଆ ଗାନ୍ଧି ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ କହିଥିବା ଆଲୋଚନା ହେଉଛି। ଜଣେ ନୂଆ ନେତାଙ୍କୁ ନିର୍ବାଚନ କରିବା ଦିଗରେ ଏହା ସୁବିଧା ହେବ ବୋଲି ସୋନିଆ କହିଥିଲେ ହେଁ କ୍ୟାପଟେନ୍ ଅମରିନ୍ଦର ପଦ ଛାଡ଼ିବାକୁ ରାଜି ହୋଇ ନ ଥିଲେ। ଯଦି ତାଙ୍କ ଉପରେ ଅଧିକ ଚାପ ପଡ଼େ, ତା’ହେଲେ ସେ ଦଳରୁ ଇସ୍ତଫା ଦେବାକୁ ପସନ୍ଦ କରିବେ ବୋଲି କହିଥିବା ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଏଥିସକାଶେ ପ୍ରସ୍ତୁତି ପାଇଁ କ୍ୟାପଟେନ୍ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲା।

ଅନ୍ୟପକ୍ଷରେ ଶନିବାର ଚଣ୍ଡିଗଡ଼ରେ ସିଏଲପି ବୈଠକ ଦଳୀୟ ମୁଖ୍ୟାଳୟଠାରେ ଜାରି ରହିଛି। ପଞ୍ଜାବ ଦାୟିତ୍ବରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ୍ ପୂର୍ବାହ୍ନ ୧୧ଟା ୩୯ ମିନିଟ୍ ସମୟରେ ଟ୍ବିଟ୍ କରି ଦଳର ନେତାମାନଙ୍କୁ ଅପରାହ୍ନ ୫ଟା ବେଳେ ଏହି ବୈଠକରେ ଯୋଗ ଦେବାକୁ ଡାକିଥିଲେ। ଏହି ବୈଠକରେ ପୂର୍ବତନ ପିସିସି ସଭାପତି ତଥା କ୍ୟାପଟେନ୍ ଅମରିନ୍ଦରଙ୍କ ଅନ୍ୟତମ ବିଶ୍ବସ୍ତ ସୁନୀଲ ଝାଖଡଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିବାର ଆଶା ରହିଛି। ତେବେ ଅମରିନ୍ଦର ଏହି ବୈଠକରେ ଯୋଗ ଦେଇନାହାନ୍ତି। ଅମରିନ୍ଦରଙ୍କ ବ୍ୟତୀତ ତାଙ୍କ ପ୍ରମୁଖ ସଚିବ ସୁରେଶ କୁମାର ଓ ରାଜନୈତିକ ସଚିବ କ୍ୟାପଟେନ୍ ସନ୍ଦୀପ ସାନ୍ଧୁ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ସହ କ୍ୟାପଟେନ୍ ଅମରିନ୍ଦରଙ୍କ ବିବାଦ ଆରମ୍ଭ ହେବା ପରେ ସିଦ୍ଧୁ କ୍ରମାଗତ ଭାବେ ହାଇକମାଣ୍ଡଙ୍କ ନିକଟତର ହୋଇ ଶେଷରେ ପିସିସି ସଭାପତି ପଦ ହାସଲ କରିଥିଲେ। ନିୟମିତ ବ୍ୟବଧାନରେ ସିଦ୍ଧୁ ଓ ଅମରିନ୍ଦରଙ୍କ ସମର୍ଥକଙ୍କ ମଧ୍ୟରେ ବାକବିତଣ୍ଡା ପର୍ବ ଜାରି ରହିଥିଲା। ଏହା କ୍ରମଶଃ କ୍ୟାପଟେନ୍ ଅମରିନ୍ଦରଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା। ଗୋଟିଏ ପଟେ ପାର୍ଟି ହାଇକମାଣ୍ଡର୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିଦ୍ଧୁଙ୍କୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ତାଙ୍କ ପ୍ରତି ଅବହେଳା କରୁଥିବା ମଧ୍ୟ ସେ ଅନୁଭବ କରିପାରିଥିଲେ। ସେହିପରି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କ୍ୟାପଟେନ୍ ଅମରିନ୍ଦର ଦଳ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଥିବାରୁ ସେ ଅପମାନିତ ଅନୁଭବ କରିଥିବା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।