ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ନିରାଶାରେ ପରିଣତ ହୋଇଛି। ବର୍ତ୍ତମାନ ଦେଶର ସ୍ଥିତି ଯାହା, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଇ ପାରିବ ନାହିଁ ବୋଲି ୪୫ତମ ଜିଏସ୍ଟି ପରିଷଦ ବୈଠକରେ ସହମତି ପ୍ରକାଶ ପାଇଛି। ଲକ୍ଷ୍ନୌରେ ବସିଥିବା ଜିଏସଟି ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଆଣିବାକୁ ଆଲୋଚନା ହୋଇଥିଲା। ତେବେ ରାଜ୍ୟମାନେ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଯଦି ପେଟ୍ରୋଲ ଓ ଡିଜେଲ ଜିଏସ୍ଟି ପରିସରଭୁକ୍ତ ହୋଇଥାନ୍ତା, ତା’ହେଲେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୫ ଟଙ୍କା ଓ ଡିଜେଲ ଲିଟର ପିଛା ଦାମ ୨୦ ଟଙ୍କା କମ୍ ହୋଇଥାନ୍ତା। ଏହାଦ୍ୱାରା ସାଧାରଣ ଲୋକ ଉପକୃତ ହୋଇଥାନ୍ତେ। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ନିଜର ରାଜସ୍ୱ ସଂଗ୍ରହରେ କ୍ଷତି ସହିଥାନ୍ତେ। ତେଣୁ ସାଧାରଣ ଲୋକମାନେ ପୂର୍ବଭଳି ୧୦୦ରୁ ଅଧିକ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କିଣିବେ। ପେଟ୍ରୋଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟିକସ ପାଉଛନ୍ତି। କୋରୋନା ଲଢେଇ ପାଇଁ ଅଧିକ ଅର୍ଥ ଦରକାର ହେଉଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରାଯିବାକୁ ରାଜ୍ୟମାନେ ବିରୋଧ କରିବାରୁ ସାଧାରଣ ଲୋକେ ପୂର୍ବ ଭଳି ମହଙ୍ଗାରେ ପେଟ୍ରୋଲ ଓ ଡିଜେଲ କିଣିବେ।