ପାଟି ସୁଆଦ
ଖାଆନ୍ତୁ ଓ ଖୁଆନ୍ତୁ ହରିୟାଲି ଚିକେନ ଟିକ୍କା

ହରିୟାଲି ଚିକେନ ଟିକ୍କା
ସାରା ଦେଶରେ ୧ରୁ ୭ ସେପ୍ଟେମ୍ବର ଯାଏ ଜାତୀୟ ପୋଷକ ସପ୍ତାହ ପାଳନ କରାଯାଇଥାଏ। ଫଳରେ ଲୋକେ ଖାଦ୍ୟର ସମସ୍ତ ଜରୁରୀ ତତ୍ତ୍ବର ଆବଶ୍ୟକତାକୁ ବୁଝିପାରିବେ। ଏଠାରେ ହରିୟାଲି ଚିକେନ ଟିକ୍କା ରେସିପି ଦିଆଯାଇଛି। ଏଥିରେ ପ୍ରୋଟିନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି ଭଳି ଜରୁରୀ ତତ୍ତ୍ବ ଅଧିକ ମାତ୍ରାରେ ମିଳିଥାଏ। ଏହା ସେବନ କରିବା ଦ୍ବାରା ଉତ୍ତମ ଶାରୀରିକ ବିକାଶ ହେବାରେ ସାହାଯ୍ୟ ମିଳେ।
କ’ଣ ଦରକାର
୫୦୦ ଗ୍ରାମ ଚିକେନ ଚଙ୍କସ, ଏକ ଚତୁର୍ଥାଂଶ କପ ଦହି, ୧ବଡ଼ ଚାମଚ କଟା ପୁଦିନା ପତ୍ର, ୩ଟି କଟା କଞ୍ଚା ଲଙ୍କା, ୪ରୁ ୫ଟି ରସୁଣ, ଖଣ୍ଡେ କଟା ଅଦା, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ଆମଚୁର ପାଉଡର, ଅଧ ଚାମଚ ଗମର ମସଲା, ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ଗ୍ରାଇଣ୍ଡରରେ ଧନିଆ, ପୁଦିନା, ଲଙ୍କା, ଅଦା-ରସୁଣ ଓ ଅଳ୍ପ ପାଣି ଦେଇ ପେଷ୍ଟ କରନ୍ତୁ। ଏହି ପେଷ୍ଟକୁ ଏକ ପାତ୍ରକୁ ବାହାର କରି ଏଥିରେ ଦହି ଓ ଶୁଖିଲା ମସଲା ମିଶାନ୍ତୁ। ଏଥିରେ ଚିକେନ ଖଣ୍ଡ ପକାଇ ମାରିନେଟ କରିବା ଲାଗି ୩୦ ମିନିଟ ଘୋଡ଼ାଇ ରଖନ୍ତୁ। ଏକ ପ୍ୟାନରେ ବଡ଼ ଚାମଚ ତେଲ କିମ୍ବା ଲହୁଣୀ ଗରମ କରି ଚିକେନକୁ ଧିମା ଆଞ୍ଚରେ ଭାଜନ୍ତୁ। ଆପଣ ଚିକେନକୁ ସିକରେ ଗୁନ୍ଥି ତନ୍ଦୁରୀ ବି କରିପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହରିୟାଲି ଚିକେନ ଟିକ୍କା। ଏହାକୁ ସର୍ଭିଂ ପ୍ଲେଟକୁ ବାହାର କରି ପିଆଜରେ ସଜାଇ ଗରମ ଗରମ ପରଷନ୍ତୁ।