କୋହଲି ୩ଟି ଯାକ ଫର୍ମାଟରେ ଅଧିନାୟକ ରହିବେ: ବିସିସିଆଇର କୋଷାଧ୍ୟକ୍ଷ


ବିରାଟ କୋହଲି (ଫାଇଲ ଫଟୋ)
ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ରୋହିତ ଶର୍ମା ଭାରତର ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବେ ବୋଲି ସୋମବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିରାଟ କୋହଲି କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତର ଅଧିନାୟକ ରହିବେ ଏବଂ ତାଙ୍କ ବ୍ୟାଟିଂ ଉପରେ ମନୋନିବେଶ କରିବେ। ହେଲେ ଏହି ଖବରକୁ ଖଣ୍ଡନ କରିଛନ୍ତି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ୍‌। ବିରାଟ କୋହଲି କ୍ରିକେଟ୍‌ର ୩ଟିଯାକ ବର୍ଗରେ ଭାରତର ଅଧିନାୟକ ରହିବେ। ଧଳା ବଲ୍‌ କ୍ରିକେଟ୍‌ରେ ରୋହିତ ଅଧିନାୟକ ହେବେ ବୋଲି ଖବରରେ କୌଣସି ସତ୍ୟତା ନାହିଁ ବୋଲି ଅରୁଣ ଧୁମଲ ଜୋର୍‌ଦେଇ କହିଛନ୍ତି।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ବ ଏବଂ ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନଦେବା ଲାଗି ବିରାଟ କୋହଲି ଆଉ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବାକୁ ଚାହୁନାହାନ୍ତି। ୟୁଏଇରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ସେ ସୀମିତ ଓଭର ଦଳର ଅଧିନାୟକ ନ ହେବାକୁ ମନସ୍ଥ କରି ସାରିଛନ୍ତି। ଏହା ବିଷୟରେ ସେ ଭାରତୀୟ ଦଳର ପରିଚାଳନା ମଣ୍ଡଳୀକୁ ଜଣାଇ ଦେଇଛନ୍ତି। ଏହାର ଜବାବରେ ଅରୁଣ ସିଂହ ଧୁମଲ କହିଛନ୍ତି, ଏହାସବୁ ଫାଲ୍‌ତୁ କଥା। ଏପରି କିଛି ବି ହେଉନାହିଁ। ତୁମେ ଗଣମାଧ୍ୟମର ପ୍ରତିନିଧି କେବଳ ଏପରି ଆଲୋଚନା କରୁଛ। ବିସିସିଆଇର କର୍ମକର୍ତ୍ତା ଦୁଇ ପୃଥକ୍ ଅଧିନାୟକ ହେବା ସନ୍ଦର୍ଭରେ କୌଣସି ଆଲୋଚନା କରିନାହାନ୍ତି। ବିରାଟ କୋହଲି ହିଁ କ୍ରିକେଟ୍‌ର ୩ଟି ଯାକ ବର୍ଗରେ ଅଧିନାୟକ ରହିବେ।

ମହେନ୍ଦ୍ର ସିଂହ ଧୋନି ନେତୃତ୍ବରୁ ଓହରିଯିବାରୁ କୋହଲି କ୍ରିକେଟ୍‌ର ୩ଟିଯାକ ବର୍ଗରେ ଭାରତର ଅଧିନାୟକ ରହିଛନ୍ତି। ଭାରତୀୟ କ୍ରିକେଟ୍‌ ଇତିହାସରେ କୋହଲି ସଫଳତମ ଅଧିନାୟକ। ଟେଷ୍ଟରେ କୋହଲିଙ୍କ ଅଧୀନରେ ଭାରତ ୬୫ଟି ମ୍ୟାଚ୍‌ ଖେଳି ୩୮ଟି ଜିତିଛନ୍ତି। ପୁଣି ଦିନିକିଆରେ କୋହଲିଙ୍କ ନେତୃତ୍ବରେ ଭାରତ ୯୫ ମ୍ୟାଚ୍‌ରୁ ୬୫ଟିରେ ବିଜୟୀ ହୋଇଛି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ କୋହଲିଙ୍କ ନେତୃତ୍ବରେ ଭାରତ ୪୫ଟି ମ୍ୟାଚ୍‌ ଖେଳି ୨୯ଟି ଜିତିଛି। ତେବେ କୋହଲିଙ୍କ ଅଧୀନରେ ଭାରତ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ଜିତିନାହିଁ। ୨୦୧୭ରେ କୋହଲିଙ୍କ ନେତୃତ୍ବରେ ଭାରତ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପାକିସ୍ତାନଠାରୁ ଏବଂ ୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।