ଜୋକୋଭିଚଙ୍କ କ୍ୟାରିୟର୍ ଗ୍ରାଣ୍ଡସ୍ଲାମ୍ ସ୍ବପ୍ନ ଧୂଳିସାତ୍, ବିବାହ ବାର୍ଷିକୀରେ ପ୍ରଥମ ଟାଇଟଲ୍ ଜିତିଲେ ମେଡଭେଡେଭ୍


ଟ୍ରଫି ସହ ମେଡଭେଡେଭ୍, ସାଥୀରେ ଅଛନ୍ତି ପତ୍ନୀ
ଚଳିତ ୟୁଏସ୍ ଓପନ୍ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଥିବା ବେଳେ ଏଥିରେ ରୁଷିଆର ଦ୍ବିତୀୟ ସିଡ୍ ଖେଳାଳି ଡାନିଲ୍ ମେଡଭେଡେଭ୍ ଚାମ୍ପିଅନ୍ ହୋଇଛନ୍ତି। ପୂର୍ବରୁ ଚଳିତ ବର୍ଷର ତିନିଟିଯାକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ସହ ବିଶ୍ବର ଏକ ନମ୍ବର ଖେଳାଳି ସର୍ବିୟା ତାରକା ନୋଭାକ୍ ଜୋକୋଭିଚ୍ ଗତ ଟୋକିଓ ଅଲିମ୍ପିକ୍ସରେ ବି ସ୍ବର୍ଣ୍ଣପଦକ ଜିତିଥିଲେ। ତା’ଛଡ଼ା ଏଠାରେ କ୍ରମାଗତ ଭାବେ ବିଜୟ ସହ ଆଗେଇ ଚାଲିଥିବା ଜୋକୋଭିଚ୍ କ୍ୟାରିୟର୍ ଗ୍ରାଣ୍ଡସ୍ଲାମ୍ ହାସଲ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଥିଲା। ଏପରିକି ୧୯୮୮ ମସିହା ପରେ ଜର୍ମାନୀର ତାରକା ମହିଳା ଟେନିସ୍ ଖେଳାଳି ଷ୍ଟେଫି ଗ୍ରାଫଙ୍କ ପରେ ଜୋକୋଭିଚଙ୍କ ପାଖରେ କ୍ୟାରିୟର୍ ଗୋଲ୍ଡ ଗ୍ରାଣ୍ଡସ୍ଲାମ୍ ଜିତିବାର ସୁଯୋଗ ମଧ୍ୟ ରହିଥିଲା। କିନ୍ତୁ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମେଡଭେଡେଭ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋକୋଭିଚଙ୍କ ସମସ୍ତ ସ୍ବପ୍ନକୁ ଧୂଳିସାତ୍ କରିଦେଇଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ଯଦିଓ ଜୋକୋଭିଚ୍ ଫେବରିଟ୍ ଥିଲେ, କିନ୍ତୁ ପ୍ରାରମ୍ଭରୁ ମେଡଭେଡେଭ୍ ଚମତ୍କାର ପ୍ରଦର୍ଶନ ପୂର୍ବକ ମ୍ୟାଚ୍‌କୁ ୬-୪,୬-୪,୬-୪ରେ ଜିତିନେଇଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହୋଇଥିବା ବେଳେ ନିଜ ବିବାହ ବାର୍ଷିକୀରେ ପତ୍ନୀଙ୍କ ପାଇଁ ଏହା ତାଙ୍କର ଭେଟି ବୋଲି ଟ୍ରଫି ଗ୍ରହଣ ଅବସରରେ ମେଡଭେଡେଭ୍ କହିଛନ୍ତି।

ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ସେ ଏଠାକୁ ଜୋକୋଭିଚ୍‌ଙ୍କୁ ବିଜୟୀ କରାଇବାକୁ ଆସିନାହାନ୍ତି। ଶେଷରେ ନିଜର ଏହି କଥା ରକ୍ଷା କରିବାରେ ମେଡଭେଡେଭ୍ ସଫଳ ହୋଇଛନ୍ତି। ପତ୍ନୀଙ୍କ ପାଇଁ ବିବାହ ବାର୍ଷିକୀରେ କୌଣସି ପ୍ରକାର ସ୍ବତନ୍ତ୍ର ଯୋଜନା ରଖି ନ ଥିବାରୁ ଏହି ଟ୍ରଫି ହିଁ ତାଙ୍କ ପାଇଁ ଉପହାର ବୋଲି ମେଡଭେଡେଭ୍ କହିଛନ୍ତି। ମ୍ୟାଚ୍ ପାଇଁ କୋର୍ଟକୁ ଓହ୍ଲାଇବା ବେଳେ ଜୋକୋଭିଚଙ୍କ ପରି ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାତେଇସାରିଥିବା ଖେଳାଳିଙ୍କ ବିରୋଧରେ ବିଜୟୀ ହେବେ ବୋଲି କଦାପି ଭାବି ନ ଥିଲେ। କିନ୍ତୁ ପ୍ରଥମ ସେଟରେ ବିଜୟୀ ହେବା ପରେ ତାଙ୍କର ଆତ୍ମବିଶ୍ବାସ ବହୁଗୁଣିତ ହୋଇଥିଲା ଓ ବର୍ତ୍ତମାନ ସେ ମ୍ୟାଚ୍ ଜିତିପାରିବେ ବୋଲି ଦୃଢ଼ନିଶ୍ଚିତ ଥିଲେ ବୋଲି ମେଡଭେଡେଭ୍ କହିଛନ୍ତି। ଅନ୍ୟପକ୍ଷରେ ଜୋକୋଭିଚ୍ କ୍ୟାରିୟର୍ ଗ୍ରାଣ୍ଡସ୍ଲାମ୍ ସୁଯୋଗ ହରାଇବା ସହ ଓପନ୍ ଏରାରେ ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାରେ ମଧ୍ୟ ବିଫଳ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ସେ ୨୦ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ସହ ସ୍ପେନର ରାଫେଲ୍ ନାଡାଲ୍ ଓ ସ୍ବିଜରଲାଣ୍ଡର ରାଫେଲ୍ ନାଡାଲଙ୍କ ସମକକ୍ଷ ରହିଥିଲେ। ସେମିଫାଇନାଲରେ ବିଜୟୀ ହୋଇ କ୍ୟାରିୟରରେ ୩୧ତମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପ୍ରବେଶ କରିବା ପରେ ଚଳିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିବା ନାଡାଲ୍ ଓ ଫେଡେରରଙ୍କୁ ଅତିକ୍ରମ କରିବେ ବୋଲି ଆଶା କରାଯାଉଥିଲା। ଅନ୍ୟପକ୍ଷରେ ପୂର୍ବରୁ ଦୁଇ ଥର ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ମେଡଭେଡେଭ୍ ଟାଇଟଲ୍ ଅର୍ଜନ କରିପାରି ନ ଥିଲେ। ଦୁଇ ବର୍ଷ ତଳେ ଏହି ଟୁର୍ଣ୍ଣାମେଣ୍ଟ୍ ଫାଇନାଲରେ ସେ ନାଡାଲଙ୍କଠାରୁ ହାରିଥିବା ବେଳେ ଚଳିତ ବର୍ଷ ପ୍ରାରମ୍ଭରେ ଖେଳାଯାଇଥିବା ଅଷ୍ଟ୍ରେଲିଆନ୍ ଓପନରେ ଜୋକୋଭିଚ୍‌ଙ୍କଠାରୁ ହାରିଥିଲେ। ତେଣୁ ରବିବାର ସେ ଏହି ପରାଜୟର ପ୍ରତିଶୋଧ ନେଇପାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।