ପ୍ରଥମ କ୍ବାଲିଫାୟର୍ ଭାବେ ୟୁଏସ୍ ଓପନ ଟାଇଟଲ୍ ଜିତିଲେ ରାଡୁକାନୁ


ଐତିହାସିକ ସଫଳତା ପରେ ଟ୍ରଫି ଧରିଥିବା ରାଡୁକାନୁ
ନ୍ୟୁୟର୍କ: ଚଳିତ ୟୁଏସ୍ ଓପନର ମହିଳା ସିଙ୍ଗଲ୍ସ ଫାଇନାଲ୍ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଟିନଏଜରଙ୍କ ମଧ୍ୟରେ ଖେଳାଯାଇଛି। ଏଥିରେ ବ୍ରିଟେନର କ୍ବାଲିଫାୟର୍ ଏମ୍ମା ରାଡୁକାନୁ କାନାଡାର ଅନ୍ୟତମ ଟିଏନଜର୍  ତଥା ୭୩ତମ ରାଙ୍କ୍ ଖେଳାଳି ୧୯ ବର୍ଷୀୟା ଲିଲାହ ଫର୍ଣ୍ଣାଣ୍ଡେଜଙ୍କୁ ୬-୪, ୬-୩ ସିଧାସଳଖ ସେଟରେ ପରାସ୍ତ କରି ଚାମ୍ପିଅନ୍ ହେବା ସହ ପୁରସ୍କାର ରାଶି ବାବଦରେ ୨.୫ ନିୟୁତ ଟଙ୍କା ଅର୍ଥ ୨.୧ ନିୟୁତ ୟୁରୋ ହାସଲ କରିଛନ୍ତି। ସେ ପ୍ରଥମ କ୍ବାଲିଫାୟର୍ ଭାବେ କୌଣସି ଗ୍ରାଣ୍ଡସ୍ଲାମରେ ଟାଇଟଲ୍ ହାସଲ କରିବାର ଗୌରବ ମଧ୍ୟ ପାଇଛନ୍ତି। ଏଥିସହ ୧୮ ବର୍ଷୀୟା ରାଡୁକାନୁ ଦେଶ ପକ୍ଷରୁ ଦୀର୍ଘ ୪୪ ବର୍ଷ ପରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ଡବ୍ଲ୍ୟୁଟିଏ ରାଙ୍କିଙ୍ଗରେ ଦେଢ଼ ଶହ ଉପରେ ରହିଥିବା ରାଡୁକାନୁ ଗତ ଦୁଇ ସପ୍ତାହ ଧରି ଚମତ୍କାର ପ୍ରଦର୍ଶନ କରିବା ସହ ୩ ଜଣ ଟପ୍ ୫ ଖେଳାଳିଙ୍କୁ ବିଦାୟ ପଥ ଦେଖାଇଥିଲେ। ତିନିଟି କ୍ବାଲିଫାଇଙ୍ଗ୍ ମ୍ୟାଚରେ ଗୋଟିଏ ବି ସେଟରେ ପରାସ୍ତ ହୋଇ ନ ଥିବା ରାଡୁକାନୁ କ୍ରମାଗତ ଭାବେ ୭ଟି ମୁଖ୍ୟ ଡ୍ର’ ମ୍ୟାଚ୍ ଜିତି ଚାମ୍ପିଅନ୍ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ୧୯୭୭ ମସିହାରେ ଭର୍ଜିଅନିଆ ୱେଡ୍ ୱିମ୍ବଲଡନ ଓପନରେ ଚାମ୍ପିଅନ୍ ହୋଇଥିଲେ। ଏହାପରେ ୧୯୬୮ରେ ସେ ୟୁଏସ୍ ଓପନରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ। ତେଣୁ ଦୀର୍ଘ ୫୨ ବର୍ଷ ପରେ ରାଡୁକାନୁ ପ୍ରଥମ ବ୍ରିଟିଶ୍ ମହିଳା ଖେଳାଳି ଭାବେ ଦେଶ ପକ୍ଷରୁ ୟୁଏସ୍ ଓପନରେ ଚାମ୍ପିଅନ୍ ହୋଇପାରିଛନ୍ତି।

ରାଡୁକାନୁ ଚାମ୍ପିଅନ୍ ହେବା ପରେ ନିଜର ଭାବପ୍ରବଣତାକୁ ରୋକିପାରି ନ ଥିଲେ। ବରଂ ଖୁସିରେ ଏକପ୍ରକାର କାନ୍ଦି ପକାଇଥିଲେ। ରାଡୁକାନୁଙ୍କ ଚମକପ୍ରଦ ବିଜୟକୁ ରାଣୀ ଏଲିଜାବେଥ୍ ୧୧ ପ୍ରଶଂସାକରିବା ସହ ଏତେ କମ୍ ବୟସରେ ବଡ଼ ବଡ଼ ହସ୍ତୀମାନଙ୍କୁ ପଛରେ ପକାଇଦେବା କଦାପି ସାମାନ୍ୟ ସଫଳତା ନୁହେଁ ବୋଲି କହିଛନ୍ତି। ଏହା ରାଡୁକାନୁଙ୍କ କଠିନ ପରିଶ୍ରମ ଓ ତ୍ୟାଗର ଫଳ ବୋଲି ରାଣୀ ଏଲିଜାବେଥ୍ କହିଛନ୍ତି। ସେହିପରି ରାଡୁକାନୁଙ୍କ ଐତିହାସିକ ସଫଳତାର ପ୍ରତ୍ୟକ୍ଷ ସାଥୀ ହୋଇଥିଲେ ଦେଶର ପୁରୁଷ ଟେନିସ୍ ଲିଜେଣ୍ଡ୍ ଟିମ୍ ହେନମାନ୍। ଫାଇନାଲ୍ ମ୍ୟାଚ୍ ଦେଖିଥିବା ୨୩ ହଜାର ୭ ଶହ ଦର୍ଶକଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଦର୍ଶକମାନଙ୍କ ମହଜୁଦ ଓ ସମର୍ଥନ ନେଇ ରାଡୁକାନୁ କହିଛନ୍ତି ଯେ ବ୍ୟାପକ ମାତ୍ରାରେ ଗର୍ଜିନିଆବାସୀଙ୍କ ସହ ଟିମ୍‌ଙ୍କ ପରି କିମ୍ବଦନ୍ତୀ ଖେଳାଳି ଏଠାରେ ଉପସ୍ଥିତ ରହି ମୋତେ ଉତ୍ସାହିତ କରିଥିବାରୁ ଆଗାମୀ ଦିନରେ ସେମାନଙ୍କ ପଥ ଅନୁସରଣ କରି ଆହୁରି ଅଧିକ ସଫଳତା ପାଇବେ ବୋଲି ରାଡୁକାନୁ ଆଶା କରିଛନ୍ତି। ଅନ୍ୟପକ୍ଷରେ ରନର୍ସଅପ୍ ହୋଇଥିବା ଫର୍ଣ୍ଣାଣ୍ଡେଜ୍ ଫାଇନାଲରେ ପହଞ୍ଚିବା ପୂର୍ବରୁ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ନାଓମୀ ଓସାକା, ଦ୍ବିତୀୟ ସିଡ୍ ଆରିନା ସାବାଲେଙ୍କା, ପଞ୍ଚମ ସିଡ୍ ଏଲିନା ସ୍ବିତୋଲିନା ଓ ତିନି ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ଆଞ୍ଜେଲିକ୍ କର୍ବରଙ୍କୁ ପରାସ୍ତ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।