ସର୍ବାଧିକ ଗୋଲ୍ ତାଲିକାରେ ପେଲେଙ୍କୁ ଅତିକ୍ରମ କଲେ ମେସି


ଗୋଲ୍ ଦେବା ପରେ ମେସି
ବୁଏନସ୍ ଏୟର୍ସ: ଆର୍ଜେଣ୍ଟିନାର ମହାନ୍ ଫୁଟବଲର୍ ଲିଓନେଲ୍ ମେସି ନିକଟରେ ବାର୍ସିଲୋନା ଟିମଠାରୁ ସମ୍ପର୍କ ତୁଟାଇ ଦେଇ ନୂଆ ଦଳରେ ସାମିଲ୍ ହୋଇଛନ୍ତି। ତେବେ ଗୁରୁବାର ସେ ତାଙ୍କ ଚମକପ୍ରଦ କ୍ୟାରିୟରରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କରିଛନ୍ତି। ଗୁରୁବାର ଖେଳାଯାଇଥିବା ବିଶ୍ବକପ୍ କ୍ବାଲିଫାୟର୍ସରେ ଆର୍ଜେଣ୍ଟିନା ବଲିଭିଆକୁ ୩-୦ରେ ପରାସ୍ତ କରିଥିବା ବେଳେ ଏଥିରେ ବ୍ରାଜିଲର ମହାନ୍ ଖେଳାଳି ପେଲେଙ୍କୁ ଅତିକ୍ରମ କରିଛନ୍ତି ମେସି। ଏଥିସହ ଦକ୍ଷିଣ ଆମେରିକୀୟ ଫୁଟବଲ୍ ଇତିହାସରେ ମେସି ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଛନ୍ତି। ୩୪ ବର୍ଷୀୟ ମେସି ଅଦ୍ୟାବଧି ୭୯ଟି ଗୋଲ୍ କରିଥିବା ବେଳେ ପେଲେ ୭୭ଟି ଗୋଲ୍ କରିଛନ୍ତି। ଗୁରୁବାର ଏଠାକାର ମୋନୁମେଣ୍ଟାଲ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଆର୍ଜେଣ୍ଟିନା ଅଧିନାୟକ ମେସି ୨୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଚତୁର୍ଦ୍ଦଶ ମିନିଟରେ ଦଳକୁ ଆଗୁଆ କରାଇଥିଲେ। ସେ ଜଣେ ବଲିଭିଆ ଡିଫେଣ୍ଡରଙ୍କୁ ମାତ୍ ଦେଇ ବକ୍ସ ବାହାରୁ ଜବରଦସ୍ତ କିକ୍ ମାରିଥିଲେ ଓ ଏହି କିକ୍ ବଲିଭିଆ ଗୋଲକିପର୍ କାର୍ଲୋସ୍ ଲାମ୍ପେଙ୍କୁ ପରାସ୍ତ କରି ଗୋଲ୍ ପୋଷ୍ଟ୍ ଭିତରେ ପ୍ରବେଶ କରିଥିଲା। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ବଜାୟ ରଖିଥିବା ବେଳେ ଦ୍ବିତୀୟାର୍ଦ୍ଧରେ ପୁଣିଥରେ ମେସି ତାଙ୍କ ଚମତ୍କାରିତା ଦେଖାଇଥିଲେ।

୬୪ତମ ମିନିଟରେ ସେ ଦ୍ବିତୀୟ ଗୋଲ୍ ଦେଇଥିଲେ। ସେ ଷ୍ଟ୍ରାଇକର୍ ଲାଉଟାରୋ ମାର୍ଟିନେଜ୍‌ଙ୍କ ସହଯୋଗରେ ବଲକୁ ନେଇ ବଲିଭିଆ ସର୍କଲରେ ପ୍ରବେଶ କରିଥିଲେ। ଶେଷରେ ୬ ଥରର ବାଲନ୍ ଡି’ଓର୍ ବିଜେତା ଏହାକୁ ଗୋଲରେ ପରିଣତ କରି ତାଙ୍କର ଦ୍ବିତୀୟ ଗୋଲ୍ ସ୍କୋର୍ କରିଥିଲେ। ଏହାପରେ ୮୮ତମ ମିନିଟରେ ମେସି ତାଙ୍କର ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ଏକ ଶଟକୁ ଲାମ୍ପେ ରୋକିବାରେ ବିଫଳ ହେବାରୁ ଉକ୍ତ ରିବାଉଣ୍ଡ୍ ଶଟକୁ ସଂଗ୍ରହ କରି ମେସି ଏହାକୁ ଗୋଲରେ ପରିଣତ କରିପାରିଥିଲେ। ଏହି ପ୍ରତିଯୋଗିତାରେ ଅଦ୍ୟାବଧି ଆର୍ଜେଣ୍ଟିନା ସମୁଦାୟ ୧୮ ପଏଣ୍ଟ୍ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବଲିଭିଆ ୬ ପଏଣ୍ଟ୍ ପାଇ ନବମ ସ୍ଥାନରେ ରହିଛି। ରବିବାରର ମ୍ୟାଚଟି ବାତିଲ୍ ହୋଇଯାଇଥିବାରୁ ବ୍ରାଜିଲ୍ ଓ ଆର୍ଜେଣ୍ଟିନା ଗୋଟିଏ ଲେଖାଏଁ କମ୍ ମ୍ୟାଚ୍ ଖେଳିଛନ୍ତି। ଉକ୍ତ ବାତିଲ୍ ମ୍ୟାଚଟିର ଭାଗ୍ୟ କ’ଣ ହେବ, ସେନେଇ ଆୟୋଜକ ଅଦ୍ୟାବଧି ନିଷ୍ପତ୍ତି ନେଇନାହାନ୍ତି। ବ୍ରାଜିଲ୍ ସ୍ବାସ୍ଥ୍ୟ ଏଜେଣ୍ଟମାନେ ୪ ଜଣ ଆର୍ଜେଣ୍ଟିନା ଖେଳାଳିଙ୍କୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ବାଦ୍ ଦେବାକୁ କହିବା ପରେ ଏହି ମ୍ୟାଚଟି ବାତିଲ୍ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।