ବୁଲାବୁଲି
ସାରନାଥ ପର୍ଯ୍ୟଟନସ୍ଥଳୀର ମହତ୍ତ୍ବ ଅନେକ

ପ୍ରତୀକାତ୍ମକ ଫଟୋ
ଗଙ୍ଗା ଓ ବରୁଣ ନଦୀର ସଙ୍ଗମସ୍ଥଳୀ ନିକଟରେ ଉତ୍ତର ପ୍ରଦେଶର ବାରାଣସୀ ଠାରୁ ୧୦ କିମି ଉତ୍ତର-ପୂର୍ବରେ ଏକ ଛୋଟ ଗାଁ ସାରନାଥ ଅବସ୍ଥିତ। ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ସାରନାଥରେ ଦେଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ନାମ ଦିଆଯାଇଛି ଓ ଏହା ବୌଦ୍ଧ ମତ ପ୍ରଚାର ପ୍ରସାରର ଆରମ୍ଭ ଥିଲା। ବୌଦ୍ଧ ଧର୍ମର ଚାରି ପ୍ରମୁଖ ତୀର୍ଥ ସ୍ଥଳ ମଧ୍ୟରେ ସାରନାଥ ଅନ୍ୟତମ। ବୌଦ୍ଧ ଧର୍ମ ବ୍ୟତୀତ ସାରନାଥକୁ ଜୈନ ଓ ହିନ୍ଦୁ ଧର୍ମରେ ବି ମହତ୍ତ୍ବ ଦିଆଯାଏ। ଜୈନ ଗ୍ରନ୍ଥରେ ଏହାକୁ ସିଂହପୁର କୁହାଯାଏ। ଜୈନ ଧର୍ମର ଏକାଦଶ ତୀର୍ଥଙ୍କର ଶ୍ରେୟାଂସନାଥଙ୍କ ଜନ୍ମ ଏଠାରୁ କିଛି ଦୂରରେ ହୋଇଥାଏ ବୋଲି କୁହାଯାଏ। ଏଠାରେ ସାରଙ୍ଗନାଥ ମହାଦେବଙ୍କ ମନ୍ଦିର ବି ରହିଛି।
ସାରଙ୍ଗନାଥ ମନ୍ଦିରର ଗର୍ଭଗୃହରେ ଦୁଇଟି ଶିବଲିଙ୍ଗ ଏକାଠି ରହିଛି। ଏଠାରେ ଜୁଲାଇ-ଅଗଷ୍ଟ ମାସରେ ବଡ଼ ଧରଣର ପ୍ରସିଦ୍ଧ ମେଳା ହୋଇଥାଏ। ସାରନାଥ ଏକ ତୀର୍ଥସ୍ଥଳୀ ହେବା ସହିତ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟ। ଏହା ସାଂସ୍କୃତିକ ମହତ୍ତ୍ବ ସହିତ ରହସ୍ୟ ପାଇଁ ବି ଜଣାଶୁଣା। ସାରନାଥରେ ଅନେକ ମନ୍ଦିର, ମଠ, ସଂଗ୍ରହାଳୟ ଓ ଉଦ୍ୟାନ ରହିଛି। ଏହା ବୌଦ୍ଧ ଧର୍ମ ଓ ଏହାର ଇତିହାସକୁ ସମର୍ପିତ। ଚାଲନ୍ତୁ ଜାଣିବା ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।
ଅଶୋକ ସ୍ତମ୍ଭ
ସାରନାଥରେ ମହାନ ସମ୍ରାଟ ଅଶୋକ ଅନେକ ସ୍ତୁପ ନିର୍ମାଣ କରିଥିଲେ। ଏଠାରେ ସେ ପ୍ରସିଦ୍ଧ ଅଶୋକ ସ୍ତମ୍ଭ ବି ନିର୍ମାଣ କରିଥିଲେ। ଏବେ ଏହାର ଅଳ୍ପ କିଛି ଅବଶେଷ ରହିଛି। ଏହି ସ୍ତମ୍ଭରେ ନିର୍ମିତ ୪ ସିଂହ ଏବେ ଭାରତର ଜାତୀୟ ଚିହ୍ନ। ସେହିପରି ସ୍ତମ୍ଭରେ ଥିବା ଚକ୍ର ଜାତୀୟ ପତାକାରେ ସ୍ଥାନ ପାଇଛି।
ଡିଅର ପାର୍କ
ଏଠାରେ ଥିବା ଡିଅର ପାର୍କ ବି ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏଠାରେ ଗୌତମ ବୁଦ୍ଧ ପ୍ରଥମ ଉପଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଡିଅର ପାର୍କସ୍ଥିତ ଧମେଖ ସ୍ତୁପରେ ଗୌତମ ବୁଦ୍ଧ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ସନ୍ଦେଶ ଦେଇଥିଲେ।
ଚୌଖଣ୍ଡି ସ୍ତୁପ
ସାରନାଥରେ ଥିବା ଅନେକ ସ୍ତୁପ ମଧ୍ୟରେ ଚୌଖଣ୍ଡି ସ୍ତୁପ ଅନ୍ୟତମ। ଏଠାରେ ବୁଦ୍ଧଦେବଙ୍କ ଅସ୍ଥି ରଖାଯାଇଥିଲା। ପ୍ରତ୍ନତାତ୍ତ୍ବିକ ଖନନରେ ଭୂମି ତଳୁ ଅନେକ ପ୍ରାଚୀନ ସ୍ମାରକ ମଧ୍ୟ ବାହାରିଥିଲା।
ସାରନାଥ ମ୍ୟୁଜିଅମ
ଏଠାରେ ଖନନ ସମୟରେ ମିଳିଥିବା ଜିନିଷ ରଖାଯାଇଛି। ଏଠାରେ ଅନେକ ପୁରୁଣା ଜିନିଷ ଦେଖିବାକୁ ପାଇବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ