ସ୍ବତନ୍ତ୍ର ପ୍ରସଙ୍ଗ
ମରୁଡ଼ି ମୁହାଁ ଓଡ଼ିଶା

ପ୍ରତୀକାତ୍ମକ ଫଟୋ
ଶ୍ରାଵଣରେ ଜମି ଫାଟି ଆଁ କରିଛି। ଖରିଫ ଧାନ ଫସଲ ବର୍ଷା ପାଇଁ ଆକାଶକୁ ଚାହିଁ ରହିଥିବା ବେଳେ ମୌସୁମୀ ଠିକ ସମୟରେ ଆସି ଲୁଚିଯାଇଛି। ମୌସୁମୀ ଋତୁରେ ଯେତିକି ଲଘୁଚାପ ସୃଷ୍ଟି ହେବା କଥା, ସେତିକି ସଂଖ୍ୟକ ଲଘୁଚାପ ଚଳିତ ଥର ଦେଖାଯାଇ ନାହିଁ। ଫଳରେ ମୌସୁମୀ ଋତୁରେ ଆବଶ୍ୟକୀୟ ପାଣି ନ ପାଇ ନିଶ୍ଚିତ ମରୁଡ଼ି ଆଡ଼କୁ ମୁହାଁଇଛି ଓଡ଼ିଶା। ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀଙ୍କ ଆଶଙ୍କା ବଢିଥିବା ବେଳେ ରାଜ୍ୟ ସରକାରଙ୍କ ଜଳସେଚନ ମିଛ ପରିସଂଖ୍ୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସୋମବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଅଗଷ୍ଟ ୨୩ ସୁଦ୍ଧା ମାତ୍ର ୫୮୪ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକଠାରୁ ୩୧ ପ୍ରତିଶତ ନିଅଣ୍ଟ। ଓଡ଼ିଶାର ମୋଟ ୩୦ ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟ ରହିଛି। ଏସବୁ ଜିଲ୍ଲାରେ ବର୍ଷା ନିଅଣ୍ଟ ପରିମାଣ ୨୦ ପ୍ରତିଶତରୁ ୫୯ ପ୍ରତିଶତ ମଧ୍ୟରେ ରହିଛି। କେବଳ ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନୂଆପଡ଼ାରେ ସ୍ବାଭାବିକ ବର୍ଷା ହୋଇଥିବା ଜଣାଯାଇଛି। ଶ୍ରାବଣ, ଭାଦ୍ରବରେ ଯଦି ଏଭଳି ନିଅଣ୍ଟିଆ ବର୍ଷା ହେବ ତେବେ ଆଗକୁ ଭଲ ବର୍ଷା ହେଲେ ମଧ୍ୟ ଧାନ ଫସଲ ପାଇଁ ଅନୁକୂଳ ହୋଇପାରିବ ନାହିଁ। ପୁଣି ଏଭଳି ସ୍ଥିତିରେ ଆଗକୁ ଯେ ଭଲ ବର୍ଷା ହେବ ସେ ନେଇ କୌଣସି ଭରସା ଦେଇପାରୁନି ପାଣିପାଗ ବିଭାଗ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୂର୍ବଳ ହୋଇଯାଇଛି। ପୁଣି ଆସନ୍ତା କିଛି ଦିନ ପାଇଁ ରାଜ୍ୟରେ ଶୁଖିଲା ପାଗ ରହିବ। ଏହା ନିଅଣ୍ଟିଆ ବର୍ଷା ପରିମାଣକୁ ଆହୁରି ବଢାଇବ। ଆଞ୍ଚଳିକ ପାଣିପାଗ ବିଭଗର ସୂଚନା ଅନୁଯାୟୀ ରାଜ୍ୟର ଯାଜପୁର, ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳ ଜିଲ୍ଲାରେ ବର୍ଷାର ପରିମାଣ ଉଦବେଗଜନକ ରହିଛି। ଏହି ୫ଜିଲ୍ଲାରେ ସ୍ୱାଭାବିକ ବର୍ଷାର ପରିମାଣ ଠାରୁ ୪୦ ପ୍ରତିଶତ କିମ୍ବା ତାଠୁ ଅଧିକ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ସର୍ବନିମ୍ନ ବୃଷ୍ଟିପାତ ହୋଇଛି ଯାଜପୁର ଜିଲ୍ଲାରେ। ଯାଜପୁରରେ ସ୍ୱାଭାବିକ ବର୍ଷାଠୁ ୫୪ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ବଲାଙ୍ଗିରରେ ୪୩ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ସ୍ୱାଭାବିକ ବର୍ଷାର ପରିମାଣଠୁ ୪୨ ପ୍ରତିଶତ ଓ ଅନୁଗୁଳରରେ ୪୦ ପ୍ରତିଶତ କମ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ପାଣି ଅଭାବରୁ ଫସଲ ନଷ୍ଟ ସହ ମରୁଡ଼ି ଆଶଙ୍କା ଦେଖା ଦେଲାଣି। ପରିସ୍ଥିତି ଉପରେ ନଜର ରଖିବା ପାଇଁ କୃଷି ବିଭାଗ ଏବଂ ରାଜ୍ୟ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କୃଷକଙ୍କ ପାଇଁ କୃଷି ସମ୍ଭନ୍ଧୀୟ ପରାମର୍ଶ ଜାରି କରିଛି । ପାଣିପାଗ ବିଭାଗ ଆକଳନ କହୁଛି ଅଗଷ୍ଟ ଶେଷ ସୁଦ୍ଧା ଲଘୁଚାପ ସୃଷ୍ଟି ଆଶା କମ। ମୌସୁମୀ ଦୁର୍ବଳ ହେଉଥିବାରୁ ରାଜ୍ୟରେ ବର୍ଷା ପ୍ରାୟ ନାହିଁ। ଚାଷ କାର୍ଯ୍ୟ ପାଇଁ ପରିସ୍ଥିତି ଚିନ୍ତାଜନକ। ଚାଷ ଜମିରେ ପାଣି ଅଭାବ ଯୋଗୁଁ ରୁଆ ବେଉଷା ଆଗେଇ ପାରୁନାହିଁ। ଜମି ଫାଟି ଆଁ କଲାଣି। ଏଭଳି ପରିସ୍ଥିତି ଆଉ ଦୁଇ ସପ୍ତାହ ଲାଗି ରହିଲେ ଫସଲ ଅମଳ ବାଧାପ୍ରାପ୍ତ ହେବ ବୋଲି କୃଷକମାନେ ମତ ପ୍ରକାଶ କଲେଣି। ଚଳିତ ଖରିଫରେ ବର୍ଷା ଅଭାବରୁ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ପାଇଁ ଉଠାଜଳସେଚନ ଉପରେ ଗୁରୁତ୍ବ ଦେବାକୁ ଉଭୟ କୃଷି ଓ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ନୋଏଡ଼ାସ୍ଥିତ ପାଣିପାଗ ଗବେଷଣା କେନ୍ଦ୍ର ଆକଳନ କହୁଛି, ବର୍ତ୍ତମାନ ମୌସୁମୀର ଯେଉଁ ପରିସ୍ଥିତି ରହିଛି ଆଗକୁ ଆହୁରି ଜଟିଳ ହୋଇ ପଡିବ। ମାସ ଶେଷ ସୁଦ୍ଧା ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ପୁଣି ମୌସୁମୀ ଦୁର୍ବଳ ହୋଇପଡିବ। ଅର୍ଥାତ ଅଗଷ୍ଟ ପରି ସେପ୍ଟେମ୍ବରରେ ମଧ୍ୟ ସ୍ଥିତି ସଙ୍ଗୀନ ରହିବ। ଆଗକୁ ଏଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ମରୁଡ଼ି ଆଶଙ୍କା ଅବଶ୍ୟମ୍ଭାବୀ ବୋଲି କୁହାଯାଉଛି। ମୌସୁମୀ ଋତୁରେ ବଙ୍ଗୋପସାଗରରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଏଯାବତ୍ ମାତ୍ର ୫ଟି ଲଘୁଚାପ ସୃଷ୍ଟି ହୋଇଛି। ଏସବୁ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କମ ରହିବା ଦ୍ବାରା ସ୍ବାଭାବିକ ବୃଷ୍ଟିପାତ ହୋଇପାରିଲା ନାହିଁ। ପାଣିପାଗ ଜନିତ ମରୁଡ଼ି କେବଳ ବର୍ଷାର ପରିମାଣ ଉପରେ ନିର୍ଭର କରୁଥିବା ବେଳେ ଚାଷ ସହ ଜଡିତ ମରୁଡ଼ି ଉଭୟ ବର୍ଷାର ପରିମାଣ ଏବଂ ବର୍ଷା ଅନୁଭୂତ ହେଉଥିବା ସମୟ ଉପରେ ନିର୍ଭର କରିଥାଏ। ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ୨୫ରୁ ୫୦ ପ୍ରତିଶତ ମଧ୍ୟରେ ଅଭାବୀ ବର୍ଷା ହେଲେ ତାହାକୁ ମଧ୍ୟମ ଧରଣ ମରୁଡ଼ି କୁହାଯାଏ। ୫୦ରୁ ୭୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲେ ମରୁଡ଼ି ଏବଂ ୭୫ ପ୍ରତିଶତରୁ ଅଧିକ ଅଭାବୀ ବୃଷ୍ଟିପାତ ହେଲେ ଭୟଙ୍କର ମରୁଡ଼ି ଦେଖାଦେଇଥାଏ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ଚଳିତ ମାସର ଏ ପର୍ଯ୍ୟନ୍ତ ବରଗଡ, ଭଦ୍ରକ, ବଲାଙ୍ଗୀର, ଦେଓଗଡ, ଢେଙ୍କାନାଳ, ଜଗତସିଂପୁର, ଝାରସୁଗୁଡା, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଜିଲାରେ ବର୍ଷା ୫୦ରୁ ୭୦ ପ୍ରତିଶତ କମି ଥିବାରୁ ଏହି ଜିଲାଗୁଡିକରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ବୌଦ୍ଧ ଏବଂ ଅନୁଗୋଳ ଜିଲାରେ ଯଥାକ୍ରମେ ୭୯ ପ୍ରତିଶତ ଓ ୮୨ ପ୍ରତିଶତ କମ ବର୍ଷା ଯୋଗୁ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମରୁଡ଼ି ଓ ଭୟଙ୍କର ମରୁଡ଼ିର ସାମ୍ନା କରୁଥିବା ଜିଲ୍ଲା ଗୁଡିକରେ ଜମିକୁ ଜଳ ଯୋଗାଣ ପାଇଁ ସରକାରଙ୍କ ଅକଲଗୁଡ଼ୁମ ହୋଇଯାଇଛି। ବର୍ଷ ବର୍ଷ ଧରି ଜଳସେଚନ ସମସ୍ୟା ଅସମାହିତ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢି ଯାଇଛି।