ନିଆରା ରାକ୍ଷୀ: ରୋଜଗାର ସହିତ ସାଜିଛି ପରିବର୍ତ୍ତନର ବାର୍ତ୍ତାବହ


ବିହନ ରାକ୍ଷୀ ତିଆରିରେ ମଗ୍ନ ସୁଶାନ୍ତ ଓ ଅନସୂୟା
ରାଜଧାନୀର ଦୁଇଜଣ ନିଆରା ଶିଳ୍ପୀ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ହେଉଛନ୍ତି ଶହୀଦନଗରର ଶାନ୍ତିଲତା ମିଶ୍ର ଓ ଅନ୍ୟଜଣକ ହେଉଛନ୍ତି ପୋଖରୀପୁଟ ଅଞ୍ଚଳର ଅନସୂୟା ସାହୁ। ଶାନ୍ତିଲତା ପିଲାଦିନୁ ନିଜେ ନିଜେ ଶିଖିଥିବା ଚିତ୍ରକଳାକୁ ପରବର୍ତ୍ତୀ ସମୟରେ ଉପହାର ସାମଗ୍ରୀ ତିଆରିରେ ଲଗାଇ ସ୍ୱାବଲମ୍ବୀ ହୋଇଥିବା ବେଳେ ଏବେ ବର୍ଜ୍ୟ ତଥା ଅଦରକାରୀ କାଗଜରୁ ରାକ୍ଷୀ ପ୍ରସ୍ତୁତ କରି ଆୟ କରିବାରେ ସକ୍ଷମ ହୋଇଛନ୍ତି। ଠିକ ସେହିପରି ଆର୍ଟ କଲେଜରୁ ଚିତ୍ରକଳା ଶିକ୍ଷା ପରେ ନିଜ ପରିବେଶବିତ ସ୍ବାମୀଙ୍କ ସହିତ ମିଶି ପୋଖରୀପୁଟ ଅଞ୍ଚଳର ଅନସୂୟା ବିହନରେ ରାକ୍ଷୀ ତିଆରି କରି ପର୍ବ ପାଳନ ଜରିଆରେ ବନୀକରଣର ବାର୍ତ୍ତା ଦେଇଛନ୍ତି। ବର୍ଜ୍ୟ କାଗଜରୁ ପ୍ରସ୍ତୁତ ହେଉଥିବା ରାକ୍ଷୀ ଖୁବ ଆକର୍ଷଣୀୟ ମଧ୍ୟ ଦେଖାଯାଉଛି। ନିଜ ହାତରେ ଏଭଳି ରାକ୍ଷୀ ତିଆରି କରି ଅନ୍‌ଲାଇନ୍‌ ବଜାରରେ ପହଞ୍ଚାଇ ବେଶ ଚର୍ଚ୍ଚାରେ ଅଛନ୍ତି ଶହୀଦନଗରର ଶାନ୍ତିଲତା ମିଶ୍ର। ଗତ କିଛି ବର୍ଷ ହେଲା ରାକ୍ଷୀ ପୂର୍ଣ୍ଣିମା ତାଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ପାଲଟିଛି।

ଶାନ୍ତିଲତାଙ୍କ କହିବା ଅନୁଯାୟୀ ପିଲା ବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଦୁର୍ବଳତା ଥିଲା। କାନ୍ଥରୁ କାଗଜ ଯାଏ ସେ ଯେଉଁଠି ପାରିଲେ ଆଙ୍କୁଥିଲେ ଛବି। ନିଜର ଚିତ୍ରକଳାକୁ ପ୍ରୟୋଗ କରି ସେ ଉପହାର ସାମଗ୍ରୀ ତିଆରି କରିବା ଶିଖିଗଲେ ଓ ସାଙ୍ଗମାନଙ୍କ ଜନ୍ମଦିନରେ ଉପହାର ତିଆରି କରୁଥିଲେ। ସାଙ୍ଗମାନଙ୍କ ପରାମର୍ଶକ୍ରମେ ସେ ଏସବୁ ଜିନିଷକୁ ଅନ୍‌ଲାଇନ୍‌ ପ୍ରଦର୍ଶନ କରିଥିଲେ। ୨୦୧୮ ମସିହାରୁ ଉପହାର ସାମଗ୍ରୀ ପ୍ରସ୍ତୁତ କରୁଥିଲେ ବି ଗତବର୍ଷଠାରୁ ସେ ଅନ୍‌ଲାଇନ୍‌ରେ ଏହାର ପ୍ରଦର୍ଶନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଚାହିଦା ବୃଦ୍ଧି ପାଇଛି। ଚଳିତ ବର୍ଷ ସେ ୫ ହଜାର ଟଙ୍କାର ରାକ୍ଷୀ ବିକ୍ରି କରିସାରଲେଣି ବୋଲି ସେ କହିଛନ୍ତି। ପ୍ରତିଦିନ ଅର୍ଡର ଆସୁଥିବାରୁ ଆହୁରି କିଛି ଲାଭ ହେବ ବୋଲି ସେ ଆଶା ରଖିଛନ୍ତି। ତାଙ୍କ ରାକ୍ଷୀର ମୂଲ୍ୟ ୩୫ ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ରହିଛି।

ବିହନ ରାକ୍ଷୀ
ରବିବାର ରାକ୍ଷୀ ପୂର୍ଣ୍ଣମୀ। କୋରୋନା ମହାମାରୀ ପାର୍ବଣକୁ ଫିକା କରିଥିଲେ ମଧ୍ୟ ଏହି ବିପଦକୁ ସୁଯୋଗରେ ରୂପାନ୍ତରିତ କରାଇବା ପାଇଁ ପ୍ରୟାସ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ। କୁହାଯାଏ ଅସୁବିଧାରୁ ସୁଯୋଗର ସୃଷ୍ଟି ହୁଏ। କୋରୋନା ସମୟରେ ଅନେକ ଲୋକ ଜୀବିକା ହରାଇଥିବା ବେଳେ ସୁଶାନ୍ତ ରାକ୍ଷୀ ପୂର୍ଣ୍ଣମୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ସାମଗ୍ରୀ ଯଥା-ଧଳା ଧାନ, କଳା ଧାନ, ନାଲି ଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଇତ୍ୟାଦି ବିହନ ସଂଗ୍ରହ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ଅର୍ଥାତ୍ (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ୱଦେଶୀ ରାକ୍ଷୀ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରାଇଛନ୍ତି। ସୁଶାନ୍ତଙ୍କ ସହ ତାଙ୍କ ପତ୍ନୀ ଅନସୂୟା ସାହୁ ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି। ବିଭିନ୍ନ ପ୍ରକାର ବିହନ, ତୁଳା, କାଠିରେ ପ୍ରସ୍ତୁତ ଭଳିକି ଭଳି ଆକର୍ଷଣୀୟ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରି ରାଜଧାନୀର ପୋଖରୀପୁଟ, ପଟିଆ, ଶୈଳଶ୍ରୀ ବିହାର, ଜଟଣୀ ଇତ୍ୟାଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଉଛନ୍ତି। ଗତବର୍ଷ କୋରୋନା ସମୟରୁ ଆରମ୍ଭ ହୋଇଥିବା ଏହି ସ୍ୱଦେଶୀ ମିଶନ ଚଳିତବର୍ଷ ମନକୁ ଛୁଇଁଲା ପରି ୯୦ ପ୍ରକାର ରଙ୍ଗର ସୂତାକୁ ରାକ୍ଷୀ ତିଆରିରେ ବ୍ୟବହାର କରାଯାଇଛି। ବଜାରରେ ରାକ୍ଷୀର ମୂଲ୍ୟ ୨୦ ଟଙ୍କାରୁ ୮୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ସୁଶାନ୍ତଙ୍କ ପ୍ରୟାସରେ ନିର୍ମିତ ରାକ୍ଷୀଗୁଡ଼ିକ ୨୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଦୁଇମାସ ମଧ୍ୟରେ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ତିଆରି କରାଯାଇଥିବା ଜଣାପଡ଼ିଛି।

କେବଳ ଲାଭ ପାଇଁ ନୁହେଁ, ବରଂ ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏକ ନିରବ ଆନ୍ଦୋଳନ ଗଢି ତୋଳିବାର ଆଭିମୁଖ୍ୟ ସହ ଏ ରାକ୍ଷୀ ମାଟି ଓ ସବୁଜିମା ସହ ମଣିଷର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ସୁଶାନ୍ତ କହନ୍ତି। ସୂଚନାଯୋଗ୍ୟ, ଆମ ଦେଶରେ ପର୍ବପର୍ବାଣୀ କାଳରେ ହଜାର ହଜାର କୋଟି ଟଙ୍କାର ଚୀନ ସାମଗ୍ରୀ ବିକ୍ରି ହୋଇଥାଏ। ରାକ୍ଷୀ ବଜାରରେ ଚୀନ ଉତ୍ପାଦିତ ରାକ୍ଷୀ ଅଧିକ ମୂଲ୍ୟ ସହିତ ମିଳିଥାଏ, ଯାହା ଜୈବ ବିଘଟନକାରୀ ନୁହେଁ। ଏଣୁ ଚୀନ ସାମଗ୍ରୀକୁ କେବଳ ବର୍ଜନ କରିଦେଲେ ଚଳିବନି, ଆଗକୁ ବିକଳ୍ପ ସ୍ୱଦେଶୀ ସାମଗ୍ରୀମାନ ତିଆରି କରି ବଜାରରେ ଉପଲବ୍ଧ କରାଇବା ଆଶବ୍ୟକ ବୋଲି ସୁଶାନ୍ତ କୁହନ୍ତି। ଆସନ୍ତା ବର୍ଷକୁ ଏହି ସ୍ୱଦେଶୀ ଇକୋ-ଫ୍ରେଣ୍ଡଲି ରାକ୍ଷୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାର ସୁଶାନ୍ତ ଲକ୍ଷ୍ୟ ରଖିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ଆର୍ଥିକ ସହଯୋଗ ମିଳିଲେ ଅନେକ ମହିଳା ଘରେ ରହି ଜୀବିକା ଉପାର୍ଜନ କରିପାରିବେ ବୋଲି ସୁଶାନ୍ତ କହନ୍ତି। ସୁଶାନ୍ତ, ଅନସୂୟା ଓ ଶାନ୍ତିଲତାଙ୍କ ଏଭଳି ପ୍ରୟାସ ରାକ୍ଷୀ ପର୍ବର ମହକ ଦେବା ସହିତ ଯୁବବର୍ଗଙ୍କୁ ନିଆରା ଏକ ବାର୍ତ୍ତା ପ୍ରଦାନ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।