ସ୍ବତନ୍ତ୍ର ପ୍ରସଙ୍ଗ
ବରଗଡ଼ର ପ୍ରସିଦ୍ଧ ହସ୍ତତନ୍ତ ହାଟକୁ କୋରୋନା ଛାଟ

ବରଗଡ଼ର ପ୍ରସିଦ୍ଧ ହସ୍ତତନ୍ତ ହାଟ
ବରଗଡ଼ ଜିଲ୍ଲାର ବାଲିଜୋରି ହାଟ ହେଉଛି ରାଜ୍ୟର ପ୍ରଥମ ବୁଣାକାରଙ୍କ ହାଟ। ଦେଶର ସର୍ବବୃହତ ହସ୍ତତନ୍ତ ହାଟ ଭାବେ ଏହାର ରହିଛି ଖ୍ୟାତି। ଏଠାରେ ବୁଣାକାରମାନେ ଏକାଠି ହୋଇ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ି ଖୋଲା ଆକାଶତଳେ ବିକ୍ରି କରିଥାନ୍ତି। ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୨ କିମି ଦୂରରେ ଥିବା ଏହି ହାଟ ପ୍ରତି ଶୁକ୍ରବାର ବସେ। ପନିପରିବା ଭଳି ପ୍ରତି ସପ୍ତାହର ଶୁକ୍ରବାର ଦିନ ଏଠାରେ ଦାମୀ ଶାଢ଼ି ପାଟ ଠାରୁ ଗାମୁଛା ରୁମାଲ ଯାଏ ନାନା ରକମର ବସ୍ତ୍ର କିଣାବିକା ହୋଇଥାଏ। ଭୋର ୪ରୁ ବଜାର ଆରମ୍ଭ ହୋଇ ସକାଳ ୯ଟା ଯାଏ ଚାଲିଥାଏ। ମାତ୍ର ୫ ଘଣ୍ଟାର ଏହି ହାଟରେ ୨ କୋଟି ଟଙ୍କାର କାରବାର ହୁଏ। କିନ୍ତୁ କୋରୋନା ଆରମ୍ଭରୁ ଠପ ହୋଇଯାଇଛି ଏହି ହାଟର କାରବାର।
ବୁଣାକାର ମାନେ ଚାଷ ଓ ଅନ୍ୟାନ୍ୟ ଜୀବିକା କରୁଥିବାରୁ ଏହି ହାଟ ସକାଳୁଆ ଚାଲେ। ଚାଷ ସମୟରେ ବଦଳିଥାଏ ସମୟ। ବିଗତ ୨୦ ବର୍ଷ ଧରି ବରଗଡ଼ ସହର ଆଖପାଖର ବୁଣାକାର ମାନେ ଏଠାରେ ଏକାଠି ହୋଇ କିଣାବିକା କରିଥାନ୍ତି। ଅଧିକାଂଶ ବୁଣାକାର ଗରିବ ଓ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ବୁଣିଥିବା ସାମଗ୍ରୀକୁ ତୁରନ୍ତ ବିକ୍ରି କରିବାକୁ ଚାହିଥାନ୍ତି। ଠିକ ସମୟରେ ବିକ୍ରି ହୋଇ ନ ପାରିଲେ ଏକ ବଡ଼ ଆର୍ଥିକ ସମସ୍ୟା ସେମାନଙ୍କୁ ଭୋଗିବାକୁ ହୁଏ। ବର୍ଷ ବର୍ଷ ଧରି ବରଗଡ଼ର ବୁଣାକାର ମାନେ ନିଜ ହାତର ଯାଦୁରେ ବୁଣିଛନ୍ତି ସୁତାର ଇନ୍ଦ୍ରଜାଲ। ଦୁଃଖ ଦୈନ୍ୟ ସତ୍ତ୍ବେ ସେମାନେ ହସ୍ତତନ୍ତ ଓ ବୟନ କାରିଗରି ଠାରୁ ନିଜକୁ ଦୁରେଇ ରଖିପାରି ନାହାନ୍ତି। ଯେତେବେଳେ ସରକାର ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବେପାର କରାଇବାରେ ସହଯୋଗ କରିପାରୁ ନାହାନ୍ତି, ସେତେବେଳେ ସେମାନେ ଗାଁ ହାଟ ଜରିଆରେ ବଜାର ସୃଷ୍ଟିର କୌଶଳକୁ ବିକଶିତ କରାଇ ପ୍ରସିଦ୍ଧି ଆଣିପାରିଛନ୍ତି। କୋରୋନା ପୂର୍ବରୁ ୫ ଘଣ୍ଟା ଚାଲୁଥିବା ଏହି ହାଟରେ ୨ କୋଟିର କାରବାର ହେଉଥିଲା। କୋରୋନା କାଳରେ ହାଟ ଗୁଡିକ ବନ୍ଦ ହୋଇଯିବା କାରଣରୁ ବୁଣାକାର ମାନଙ୍କ ଉତ୍ପାଦିତ ଲୁଗାପଟା, ଶାଢ଼ି, ଲୁଙ୍ଗି ଓ ଗାମୁଛା ବିକ୍ରି ନ ହୋଇ ଘର ମାନଙ୍କରେ ରହିଥିଲା। ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଏହି ହାଟକୁ ଆସୁଥିବା ବେପାରୀ ମାନେ ଆଉ ଆସୁ ନ ଥିବାରୁ ଦାମୀ ଲୁଗାପଟା ବିକ୍ରି ହୋଇ ନ ପାରି ପଡ଼ି ରହିଥିବା ଜଣାପଡିଛି।
ହାଟ ହେବ ଆଧୁନିକୀକରଣ
ବରଗଡ଼ର ଏହି ପ୍ରସିଦ୍ଧ ହସ୍ତତନ୍ତ ହାଟକୁ ଆଧୁନିକୀକରଣ କରିବା ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି। ଏହି ଅର୍ଥରେ ୫୦୦ ବୁଣାକାର ଏକ ସମୟରେ ବସି କିଭଳି କାମ କରିପାରିବେ ସେ ଦିଗରେ ଭିତ୍ତିଭୂମି ତିଆରି ହେବ। ରାଜ୍ୟରେ ଏବେ ୬୬, ୫୩୧ ବୁଣାକାର ପରିବାର ଥିବା ବେଳେ ବୁଣାକାରଙ୍କ ସଂଖ୍ୟା ୧.୨୨ ଲକ୍ଷ ରହିଛି। ସେମାନଙ୍କ ଉଦ୍ୟମରେ ବାର୍ଷିକ ୫୦୦ କୋଟିର କାରବାର ହେଉଛି। ବୁଣାକାରମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋଭିଡ ମହାମାରୀ ସମୟରେ ବଜାର ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଓ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ବୟନିକା ୯୦ କୋଟି, ସମ୍ବଲପୁରୀ ବସ୍ତ୍ରାଳୟ ୬୦ କୋଟି ଓ ସେରିଫେଡ ୧୦ କୋଟି ଟଙ୍କାର ବ୍ୟବସାୟ କରିଥିଲେ ବୋଲି ହସ୍ତତନ୍ତ ଓ ବୟନ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି। ହସ୍ତତନ୍ତ ସଚିବ ଶୁଭା ଶର୍ମା ହସ୍ତତନ୍ତର ବିକାଶରେ ନାବାର୍ଡର ଭୂମିକାକୁ ପ୍ରଶଂସା କରିଛନ୍ତି। ଅଫ ଫାର୍ମ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ (ଇଏଫପିଓ), ମିନି ଓଏଫପିଓ, କୌଶଳ ବିକାଶ ଓ ମହିଳା ଏସଏଚଜିଙ୍କ ଜରିଆରେ ହସ୍ତତନ୍ତ କ୍ଷେତ୍ରରେ ଅଣୁ ଓ ଜୀବିକା ସଂସ୍ଥାର ବିକାଶ ଲାଗି ନାବାର୍ଡ କାର୍ଯ୍ୟ କରୁଥିବା ସେ କହିଛନ୍ତି। ପ୍ରଦର୍ଶନୀ, ମେଳା, ଗ୍ରାମୀଣ ହାଟ, ଗ୍ରାମୀଣ ମାର୍ଟ ଓ ବଜାର ଓ ବୁଣାକାରଙ୍କୁ ନେଇ ଭାବ ବିନିମୟ କାର୍ଯ୍ୟକ୍ରମ ଜରିଆରେ ନାବାର୍ଡ ଗରିବ ବୁଣାକାରମାନଙ୍କୁ ଉତ୍ତମ ମୂଲ୍ୟ ପାଇବା ଦିଗରେ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର କହିଛନ୍ତି ଯେ ନାବାର୍ଡ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଦୁଇଟି ଓଏଫପିଓର ପ୍ରସାର କରୁଛି। ତାହା ହେଉଛି ସୋନପୁରର ଡୁଙ୍ଗୁରିପାଲି ବୁଣାକାର ପ୍ରଡ୍ୟୁସର୍ସ କମ୍ପାନୀ ଓ କେନ୍ଦୁଝରର କେନ୍ଦୁଝରି ବୁଣାକାର ପ୍ରଡ୍ୟୁସର୍ସ କମ୍ପାନୀ। ସ୍ବତନ୍ତ୍ର ପ୍ରକାର ହସ୍ତତନ୍ତ ଉତ୍ପାଦ ଲାଗି ଜିଆଇ ଟ୍ୟାଗ ହାସଲ ଲାଗି ମଧ୍ୟ ଏହା ସହଯୋଗ ପ୍ରଦାନ କରୁଛି। ଆଗାମୀ ଦିନରେ ଯାଜପୁରର ଏକ ଓଏଫପିଓର ପ୍ରସାର ଦାୟିତ୍ବ ନାବାର୍ଡ ଗ୍ରହଣ କରିବ ବୋଲି ସେ କହିଛନ୍ତି।
ବରଗଡ଼ର ବାଲିଜୋରି ହାଟ ବହୁ ପୁରୁଣା। ଜଣେ ବୁଣାକାର କହନ୍ତି ଏହା ୨୦ ବର୍ଷ ତଳୁ ଗଢି ଉଠିଛି। ସହରର ଉମା ଟକିଜ ନିକଟରେ ପୂର୍ବରୁ ଏହି ବୁଣାକାର ବେପାରୀ ମାନେ ବସୁଥିଲେ। କିନ୍ତୁ ଟ୍ରାଫିକ କାରଣରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡିଲା। ଏହି ହାଟକୁ ଆଖପାଖର ବୁଣାକାର ମାନେ ୫ରୁ ୧୦ଟି ଲୁଗା ବ୍ୟାଗରେ ନେଇ ଆସିଥାନ୍ତି। ତୁରନ୍ତ ବିକ୍ରିକରି ଆଗାମୀ ସପ୍ତାହର କଞ୍ଚାମାଲ କିଣି ଘରକୁ ଜଲଦି ଫେରିଯାଇଥାନ୍ତି। ଗ୍ରାମୀଣ ଓଡ଼ିଶାର ଏହି ନିଆରା ହାଟ କେବେ ପୁଣି ସ୍ବାଭାବିକ ହେବ ସେ ସମୟକୁ ଅପେକ୍ଷା।