ବନବାସୀଙ୍କ ହାତରୁ ଖସିଯାଉଛି ଜଙ୍ଗଲ


ପ୍ରତୀକାତ୍ମକ ଫଟୋ
ଶାଳ ଗଛରେ ଫୁଲ ଫୁଟିଲେ ଆଦିବାସୀ ମନାଏ ଚଇତି ପର୍ବ। ଫୁଲ ପାଇଁ ପାଳିତ ହୁଏ ଫୁଲଭାଙ୍ଗୁଣି। ଗଛଲତା, ବଣ ଝରଣା ଆଉ ଡଙ୍ଗର ପର୍ବତରେ ଥିବା ଦେବତାଙ୍କ ଉପରେ ଆଦିବାସୀଙ୍କ ଅଧିକ ବିଶ୍ୱାସ। ଜଙ୍ଗଲ ହେଉଛି ତାର ଭାତହାଣ୍ଡି। ଏକଥା ସେ ଜନ୍ମରୁ ବୁଝି ଆସିଥିବାରୁ ପ୍ରକୃତି ପ୍ରତି ତାର ଭଲପାଇବା ସେହି ଭାବେ ପିଢ଼ି ପରେ ପିଢ଼ି ସଞ୍ଚରିତ ହୋଇ ଆଗକୁ ବଢେ। କିନ୍ତୁ ବିକାଶ ନାଁରେ ଆଦିବାସୀ ଆଉ ବନବାସୀ ଗୋଷ୍ଠୀଙ୍କ ହାତରୁ ଜଙ୍ଗଲ ଛଡାଇ ନେବାର ଧାରା ବ୍ରିଟିଶ କାଳରୁ ଆରମ୍ଭ ହୋଇଛି। ଆଦିବାସୀ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ସତ୍ତ୍ବେ ଜଙ୍ଗଲ ଆଉ ଜଙ୍ଗଲ ବାସିନ୍ଦାଙ୍କର ହୋଇ ରହିନାହିଁ। ଜଙ୍ଗଲ ଜମି ଓ ତା ତଳେ ଥିବା ପ୍ରାଚୁର୍ଯ୍ୟ କେବେ ବି ପୁଙ୍ଗୁଳା ଆଦିବାସୀଙ୍କୁ ଦେଇ ପାରି ନାହିଁ ନ୍ୟାୟ।

କୋରାପୁଟ ଜିଲ୍ଲାର ଏକ ସାପ୍ତାହିକ ହାଟ ହେଉଛି କୁନ୍ଦୁଲି। ହାଟରେ ଚାଲିଛି କିଣାବିକା ଆଉ ବନ୍ଧୁ ସଙ୍ଖୋଳା। ଆଦିବାସୀଙ୍କ ଜୀବନର ଅଭିନ୍ନ ଅଙ୍ଗ ହେଉଛି ହାଟ। ଏଠାରେ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଓ ଆବଶ୍ୟକୀୟ ଦ୍ରବ୍ୟ କିଣିନେବା ପାଇଁ ଭିଡ଼ ଦେଖିବାକୁ ମିଳେ। ଏବେ ହାଟର କିଣାବିକାରେ ଏକ ନିଆରା ଧାରା ଦେଖିବାକୁ ମିଳୁଛି। ବିଗତ କିଛି ବର୍ଷ ତଳେ ଏଠାରେ ଆଦିବାସୀ ସଂଗ୍ରହକାରୀମାନେ ବହୁତ ପରିମାଣର ଫୁଲଝାଡୁ, ମହୁ, ଝୁଣା, ପାଳୁଅ, କନ୍ଦା, ଛତୁ, ତୈଳବୀଜ, ଔଷଧୀୟ ଚେର, ମଞ୍ଜି, ଫଳ ଓ ଫୁଲ ଆଦି ବିକ୍ରି କରୁଥିଲେ। ଏବେ ସେମାନଙ୍କ ମଧ୍ୟରୁ ଅନେକ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି ବଦଳରେ କୃଷିଜାତ ଦ୍ରବ୍ୟ ବିକ୍ରି କରୁଛନ୍ତି। ଜଙ୍ଗଲର ବହଳତା କମି ଆସିଲାଣି ଓ ଆଗ ଭଳି ଜଙ୍ଗଲଜାତ ସାମଗ୍ରୀ ମିଳୁ ନ ଥିବାରୁ ଏଭଳି ବୃତ୍ତି ଆଉ ପେଟ ପୋଷିବାରେ କାମ ଦେଉନାହିଁ ବୋଲି କହନ୍ତି ସଂଗ୍ରହକାରୀ। ସରକାର ଧାର୍ଯ୍ୟ କରିଥିବା ଦରରେ କିଣି ନେଉ ନ ଥିବାରୁ ଆଦିବାସୀ ଗାଁ ମାନଙ୍କରେ ଜଙ୍ଗଲ ଜୀବିକା ଏବେ ଘୋର ସଙ୍କଟରେ।

କେବଳ କୋରାପୁଟ ନୁହଁ, ରାଜ୍ୟର ଳଘୁବନଜାତ ଦ୍ରବ୍ୟର ବହୁଳ ଅମଳ ହେଉଥିବା କନ୍ଧମାଳ, ରାୟଗଡ଼ା, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି। ଅନୁସୂଚିତ ଅଞ୍ଚଳର ହାଟ ଗୁଡିକରେ ଜଙ୍ଗଲ ସାମଗ୍ରୀ ଏବେ କାଁଭାଁ ବିକ୍ରି ହେଉଥିବା ବେଳେ ଏଥିରୁ ଜୀବିକା ନିର୍ବାହ କରୁଥିବା ଲୋକେ ଏବେ ହାତବାନ୍ଧି ବସିଛନ୍ତି। ଆମ ରାଜ୍ୟରେ ପ୍ରତି ୪ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଦିବାସୀ। ଯାହାକି ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ। ରାଜ୍ୟରେ ମୋଟ ୯୮ ଲକ୍ଷ ଆଦିବାସୀ ଲୋକଙ୍କ ଭିତରୁ ୬୩ ପ୍ରତିଶତଙ୍କ ନିକଟରେ ଚାଷ ଜମି ନାହିଁ। ତେଣୁ ସଂଖ୍ୟାଧିକ ଆଦିବାସୀ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ଶାଳପତ୍ର, ଶାଳ ମଞ୍ଜି, ଶିଆଳି ପତ୍ର, କୁସୁମ ମଞ୍ଜି, ମହୁ, କରଞ୍ଜ ଓ ନିମ୍ବ ମଞ୍ଜି, ପାଳୁଅ ସମେତ ୬୮ ପ୍ରକାରର ଲଘୁ ବନଜାତ ଦ୍ରବ୍ୟକୁ ରାଜ୍ୟ ସରକାର ୨୦୦୦ ମସିହାରେ ଗ୍ରାମସଭା ହାତକୁ ସଂଗ୍ରହ ବିକ୍ରି ଓ ପ୍ରକ୍ରିୟାକରଣ ପାଇଁ ଅଧିକାର ଦେଇଥିଲେ। ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବାକୁ ନିଶ୍ଚିତତା ଦେବା ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଏକ ଘୁର୍ଣ୍ଣାୟମାନ ପାଣ୍ଠି ବ୍ୟବସ୍ଥା କରିଥିଲେ। ଚଳିତ ବର୍ଷ ଶାଳମଞ୍ଜିର କେଜି ପ୍ରତି ମୂଲ୍ୟ ୨୦ ଟଙ୍କା ରଖାଯାଇଥିବା ବେଳେ ଆଦିବାସୀ ମାନେ କେଜି ପ୍ରତି ୫ ଟଙ୍କା ଦରରେ ବିକ୍ରିକରି ଶୋଷିତ ହୋଇଥିବା ଅଭିଯୋଗ ଉଠିଛି। ଆଦିବାସୀ ୧୧୦ ପ୍ରକାରର ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ବେଳେ ଏଥିରୁ ମାତ୍ର ୨୦ରୁ ୨୫ଟି ଦ୍ରବ୍ୟର ବ୍ୟବସାୟ ହେଉଛି ଓ ସେଥିରୁ ସର୍ବନିମ୍ନ ମୂଲ୍ୟ ମିଳିବା କଷ୍ଟକର ହେଉଛି।

ଆମ ରାଜ୍ୟର ୬୭ ପ୍ରତିଶତ ଗାଁ ଜଙ୍ଗଲ ନିକଟରେ ରହିଛି। ୭୮ ପ୍ରତିଶତ ଆଦିବାସୀଙ୍କୁ ଆଶ୍ରୟ ଦେଇଛି ଜଙ୍ଗଲ। ରାଜ୍ୟର ଏକ ତୃତୀୟାଂଶ ବାସିନ୍ଦା ଜୀବିକା ପାଇଁ ଜଙ୍ଗଲ ଜମି ଉପରେ ନିର୍ଭରଶୀଳ। ନିଘଞ୍ଚ ଜଙ୍ଗଲ, ପାହାଡ଼ ଆଉ ଝରଣା କୂଳରେ ଗଢି ଉଠିଥିବା ଆଦିବାସୀ ବସତି ପ୍ରକୃତି କୋଳରେ ବିକଶିତ ହୋଇଥିଲେ ହେଁ ଏମାନଙ୍କ ଠାରୁ ଜଙ୍ଗଲକୁ ବିକାଶ ନାଁରେ ହଡପ କରାଯିବାର ପ୍ରକ୍ରିୟା ଏମାନଙ୍କ ସାଂସ୍କୁତିକ, ଭୂମିଗତ ଓ ଭାଷାକୁ ନିଶ୍ଚିହ୍ନ କରାଇବାରେ ଲାଗିଛି। ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଆଦିବାସୀ ମୁଖ୍ୟ ସ୍ରୋତ ଠାରୁ ଦୁରେଇ ଯାଇଛନ୍ତି। ଦେଶର ମୋଟ ୫.୪୩ ମିଲିୟନ ପରିବାର ମଧ୍ୟରୁ ସର୍ବନିମ୍ନ ୧.୫ ମିଲିୟନ ପରିବାର ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଆଇନରୁ ସୁଫଳ ପାଇବାର ସମ୍ଭାବନା ଥିବା ବେଳେ ମୋଟ ପଞ୍ଜୀକୃତ ଜଙ୍ଗଲ ଜମିର ୪.୩୮ ପ୍ରତିଶତ ଜମି ଏହି ଆଇନ ଅନୁସାରେ ପ୍ରଦାନ କରାଯାଇଛି। ରାଜ୍ୟରେ ମାତ୍ର ୫୫୦୭ ଟି ଗୋଷ୍ଠୀ ଅରଣ୍ୟ ସମ୍ବଳ ଉପରେ ଅଧିକାର ମଞ୍ଜୁର ହୋଇଥିବା ବେଳେ ୩୮୫୭ ଶିରୋନାମା ଵିତରିତ ହୋଇଛି, ଯାହା ଅତ୍ୟନ୍ତ ନଗଣ୍ୟ। ରାଜ୍ୟରେ ୫୮୭ଟି ବନଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳି ନ ଥିବାରୁ ଆଦିବାସୀଙ୍କ ବିକାଶ ଅଧାରାସ୍ତାରେ ଲଟକି ରହିଛି। ରାଜ୍ୟର ୩୧ହଜାର ୯୧୮ ଜଙ୍ଗଲ କଡ଼ ଗାଁର ୭୦ ଲକ୍ଷ ଆଦିବାସୀ ଲୋକଙ୍କ ହାତରୁ ଏବେ ଧୀରେ ଧୀରେ ଖସିଯାଉଛି ଜଙ୍ଗଲ, ଯାହାକି ଆଗାମୀ ଦିନରେ କ୍ଷୁଧା, ଅନାହାର ଓ ପଳାୟନ ଭଳି ସମସ୍ୟାକୁ ସାମ୍ନାକୁ ଆଣିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।