ଶତାଦ୍ଦୀର ମହାନାୟକ


ଟୋକିଓରେ ସ୍ପର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ଜାତୀୟ ପତାକା ସହିତ ଅଲିମ୍ପିକ୍ସ ଷ୍ଟାଡିୟମର ପରିକ୍ରମା କରୁଛନ୍ତି ନୀରଜ ଚୋପ୍ରା
ବିଗତ ଏକ ଶତାଦ୍ଦୀରେ ଭାରତ ଅନେକ ନାୟକ ସୃଷ୍ଟି କରିବା ପରେ ଜଣେ ମହାନାୟକଙ୍କୁ ଖୋଜି ପାଇଛି। ବିଭିନ୍ନ କ୍ଷେତ୍ରରେ ଭାରତକୁ ବିଶ୍ବ ଦରବାରରେ ପ୍ରଶଂସିତ କରିଛନ୍ତି ଅନେକ ନାୟକ। କିନ୍ତୁ ଏହି ନାୟକଙ୍କ ଭିତରେ କିଏ ମହାନାୟକ, ତାହା ଚୟନ କରିବା ପରେ ଏତେ ସହଜ ନ ଥିଲା ବେଳେ ୧୩୫ କୋଟି ଭାରତବାସୀ ଟୋକିଓରେ ଖୋଜି ପାଇଛନ୍ତି ସେମାନଙ୍କର ମହାନାୟକଙ୍କୁ।  ସେ ଆଉ କେହି ନୁଅନ୍ତି, ଟୋକିଓ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ଜିତିଥିବା ହରିୟାଣା ପାନୀପତର ପୁଅ ନୀରଜ ଚୋପ୍ରା। ୨୩ ବର୍ଷୀୟ ଏହି ଯୁବକ ଜଣକ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତ ପାଇଁ କେହି ଏଯାବତ ପଦକ ଜିତି ପାରି ନ ଥିଲା ବେଳେ ନୀରଜ ଏକାଥରକେ ସ୍ବର୍ଣ୍ଣ ପଦକ ଜିତି ଏପରି କୀର୍ତ୍ତିମାନ ପ୍ରତିଷ୍ଠା କରିପାରିଛନ୍ତି। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନ ଚାନ୍ଦଙ୍କ ପରେ ଭାରତକୁ ଯଦି କେହି ସ୍ବାଧୀନତା ପରେ ବେଶି ଗୌରବାନ୍ୱିତ କରିଥାନ୍ତି, ତାହେଲେ ଆମେ ନିଃସନ୍ଦେହରେ କହିପାରିବା ସେ ହେଉଛନ୍ତି ନୀରଜ।

ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭଲିନ ଥ୍ରୋ’ରେ ସ୍ପର୍ଣ୍ଣ ପଦକ ହାସଲ କରି ଶତାଦ୍ଦୀର ଶୋଷ ଦୂର କରିବାରେ ସଫଳ ହୋଇଛନ୍ତି। ଯାହା ୧୨୫ ବର୍ଷର ଅଲିମ୍ପିକ୍ସ ଇତିହାସରେ ସମ୍ଭବ ହୋଇ ନ ଥିଲା, ତାହାକୁ ନୀରଜ ପୁରଣ କରି ଶତାଦ୍ଦୀର ମହାନାୟକ ଭାବେ ଉଭା ହୋଇଛନ୍ତି। ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ସ୍ବର୍ଣ୍ଣ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୨୦୦୮ରେ ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ଇଭେଣ୍ଟ ଶୁଟିଂରେ ସ୍ବର୍ଣ୍ଣ ଜିତିବା ପରେ ନୀରଜ ଦ୍ବିତୀୟ ବ୍ୟକ୍ତି ଭାବେ ଏପରି ସଫଳତା ପାଇଛନ୍ତି। ମାତ୍ର ସବୁଠୁ କଷ୍ଟକର ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତର ପ୍ରଦର୍ଶନକୁ କେହି ସମ୍ମାନ ଦେଉ ନ ଥିଲା ବେଳେ ତାହାକୁ ନୀରଜ ଆଜି ଦୂର କରିବା ସହ ୧୩୫ କୋଟି ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

ଟୋକିଓ ଯାତ୍ରା ପୂର୍ବରୁ ନୀରଜ ଦେଶ ପାଇଁ ପଦକ ଜିତିବା ନେଇ ଆଶା ଦେଇଥିଲେ। ଶତାଦ୍ଦୀର ଟ୍ରାକ ଆଣ୍ଡ ଫିଲ୍ଡ ନୈରାଶ୍ୟର ଅନ୍ତ ଘଟିବା ନେଇ ଅନେକ କ୍ରୀଡ଼ାବିତ ଭବିଷ୍ୟବାଣୀ କରିଥିଲେ। କାରଣ ବିଗତ ୪ ବର୍ଷରେ ନୀଜରଜଙ୍କ ପ୍ରଦର୍ଶନ ସେପରି ଉଚ୍ଚକୋଟିର ଥିଲା। ଯେଉଁଥିପାଇଁ ତାଙ୍କ ଠାରୁ ସମସ୍ତେ ପଦକ ଆଶା ରଖିଥିଲେ। ଆଉ ଶେଷରେ ନୀରଜ ଏହାକୁ ସଫଳତାର ସହ ହାସଲ କରି ଭାରତବାସୀଙ୍କ ମଉଡ଼ମଣି ହୋଇପାରିଛନ୍ତି। ଆଥଲେଟିକ୍ସକୁ ନେଇ ପଥହରା ଯୁବପିଢ଼ିଙ୍କ ପାଇଁ ନୂଆ ଆଶା ଓ ନୂଆ ଦିଗନ୍ତ ଦେଖାଇବାରେ ସଫଳ ହୋଇଛନ୍ତି। ୪ ବର୍ଷର ସଂଘର୍ଷ ଭିତରେ ସେ ତାଙ୍କର ଆତ୍ମବିଶ୍ବାସକୁ ଦୃଢ଼ କରି ଟୋକିଓରେ ବିଜୟ ତ୍ରିରଙ୍ଗା ଉଡ଼ାଇବା ସହ ଜାତୀୟ ସଙ୍ଗୀତରେ ଝୁମି  ଭାରତବାସୀଙ୍କ ଗର୍ବ ଓ ଗୌରବର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଆମେ ଭାରତବାସୀ ଟ୍ରାକ ଆଣ୍ଡ ଫିଲ୍ଡରେ ବି ଅନ୍ୟମାନଙ୍କୁ ପଛରେ ପକାଇ ପଦକ ଜିତି ପାରିବାର ଦକ୍ଷତା ରଖିଛୁ ବୋଲି ସେ ପ୍ରମାଣିତ କରିଛନ୍ତି।

୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ନର୍ମାନ ପ୍ରିଚାର୍ଡ ଟ୍ରାକ ଆଣ୍ଡ ଫିଲ୍ଡରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ୨୦୦ ମିଟର ଡ୍ୟାଶ ଓ ୨୦୦ ମିଟର ବାଧା ଦୌଡ଼ରେ ନର୍ମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ଭାରତ ପକ୍ଷରୁ ପ୍ରିଚାର୍ଡ ପ୍ରତିନିଧିତ୍ବ କରି ସେ ପଦକ ଜିତିଥିଲେ। ଆଉ ଏହାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସେତେବେଳେ ସ୍ବୀକୃତି ଦେଇଥିଲା। ମାତ୍ର ଆଜି ତାହାର କୌଣସି ପ୍ରାସଙ୍ଗିକତା ନାହିଁ। ଏହା ଭିତରେ ୧୦୦ ବର୍ଷରୁ ଊର୍ଦ୍ଧ୍ବ ସମୟ ପାର କରିଥିଲା ବେଳେ ପରାଧୀନ ଭାରତ ସ୍ବାଧୀନ ହୋଇ ପ୍ରଗତି ପଥରେ ଅଗ୍ରସର ହେଉଛି। ମାତ୍ର ଅଲିମ୍ପିକ୍ସ ପରି ବୃହତ୍ତମ ପ୍ରତିଯୋଗିତାରେ ଆଖିଦୃଶିଆ ସଫଳତା ନ ମିଳିବାକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଥିଲା। ୧୯୮୪ ଲସ ଏଞ୍ଜେଲସ ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ବାଧା ଦୌଡ଼ରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରି ଅଳ୍ପକେ ପଦକ ହାତଛଡ଼ା କରି ୪ର୍ଥ ହୋଇଥିଲେ। ଆଉ ଏହାରି ଭିତରେ ସ୍ବାଧୀନତାକୁ ୭୫ ବର୍ଷ ପୂରଣ ହୋଇଥିଲେ ବି କୌଣସି ଭାରତୀୟ ଆଥଲେଟ ଅଲିମ୍ପିକ୍ସର ଟ୍ରାକ ଆଣ୍ଡ ଫିଲ୍ଡରେ ପଦକ ଜିତି ନ ଥିଲା ବେଳେ ନୀରଜ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣି ସ୍ବର୍ଣ୍ଣ ଜିତିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପରେ ନୀରଜଙ୍କୁ ନେଇ ପ୍ରଶଂସାର ସୁଅ ଛୁଟିଛି। ମାତ୍ର ୨୩ ବର୍ଷ ବୟସରେ ନୀରଜ ଭାରତର ନାଁକୁ ବିଶ୍ବ ଦରବାରରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି। ମାତ୍ର ୪ ବର୍ଷର ଅଭିଯାନରେ ନୀରଜ ଅନ୍ତର୍ଜାତୀୟ ପ୍ରତିଯୋଗିତା ମାନଙ୍କରେ ପ୍ରଭାବୀ ପ୍ରଦର୍ଶନ କରି ଆଗକୁ ଏପରି ସଫଳତା ନେଇ ସମ୍ଭାବନାକୁ ଉଜ୍ଜ୍ବଳ କରିଛନ୍ତି। ୧୯୯୭ ଡିସେମ୍ବର ୨୪ରେ ଜନ୍ମିତ ନୀରଜଙ୍କୁ ବର୍ତ୍ତମାନ ମାତ୍ର ୨୩ ବର୍ଷ। ତେଣୁ ଆଗକୁ ତାଙ୍କର ଲମ୍ବା କ୍ୟାରିଅର ରହିଛି। ଆଉ ଗତ ୪ ବର୍ଷର ଜୁନିଅର ଓ ସିନିଅର ସ୍ତରର ପ୍ରଦର୍ଶନକୁ ଦେଖିଲେ ସେ କେବେ ବି ସ୍ବର୍ଣ୍ଣ ପଦକରୁ ତଳକୁ ଖସି ନାହାନ୍ତି। ତେଣୁ ବାସ୍ତବରେ ସେ ଦେଶପାଇଁ ଗୋଲ୍ଡେନ ବୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଲ୍ଡେନ ବୟଙ୍କ ଗୋଲ୍ଡେନ ଯାତ୍ରା ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ବିଶ୍ବ ଜୁନିଅର ୱାର୍ଲ୍ଡ ଚାମ୍ପିଅନଶିପରୁ ଆରମ୍ଭ ହୋଇଥିଲା। ସେ ପ୍ରଭାବୀ ପ୍ରଦର୍ଶନ କରି ୮୬.୪୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଜୁନିଅର ୱାର୍ଲ୍ଡ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ଜିତି ପ୍ରତିଭାର ପରିଚୟ ଦେଇଥିଲେ। ଏପରିକି ସେ ଯେଉଁ ଦୂରତା ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଜୁନିଅରରେ ବିଶ୍ବ ଚାମ୍ବିଅନଶିପରେ ସ୍ବର୍ଣ୍ଣ ଜିତିଥିଲେ, ତାହା ସେହି ବର୍ଷ ଅନୁଷ୍ଠିତ ରିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ଜିତିବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତ ଯୋଗ୍ୟତା ପର୍ଯ୍ୟାୟ ସମାପ୍ତି ହେତୁ ସେ ରିଓ ଅଲିମ୍ପିକ୍ସ ଯିବାକୁ ସକ୍ଷମ ହୋଇ ନ ଥିଲେ।

ଏହା ପରଠାରୁ ନୀରଜ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୮ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ାରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ଆରାମରେ ପଛରେ ପକାଇ ସେ ସ୍ବର୍ଣ୍ଣ ଜିତି ବିଶ୍ବର ଶ୍ରେଷ୍ଠ ଜାଭେଲିନ ଥ୍ରୋୟରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲେ। ଆଉ ଶେଷରେ ମାତ୍ର ୨୩ ବର୍ଷ ବୟସରେ ସେ ଅଭିଜ୍ଞ ଜାଭେଲିନ ଥ୍ରୋୟରଙ୍କୁ ପଛରେ ଛାଡ଼ି ଅଲିମ୍ପିକ୍ସ ପରି ବଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି। ଟୋକିଓରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ଜିତିଥିବା ନୀରଜଙ୍କର ବ୍ୟକ୍ତିଗତ ଜାତୀୟ ରେକର୍ଡ ୮୮.୦୭ ମିଟର ରହିଛି। ତେଣୁ ସେ ଆଗକୁ ବିଶ୍ବରେ ନିଜକୁ ଅଧିକରୁ ଅଧିକ ପ୍ରତିଷ୍ଠା କରିବା ପାଇଁ ସୁଯୋଗ ପାଇବା ଆଶା ଉଜ୍ଜ୍ବଳ ହୋଇଛି।

ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ପାଇଁ ଶୁଭେଚ୍ଛା ଓ ପୁରସ୍କାରର ସୁଅ ଛୁଟିଛି। ଜାଭେଲିନରେ ସ୍ବର୍ଣ୍ଣ ଜିତିଥିବା ନୀରଜଙ୍କ ପାଇଁ ଦେଶର ବିତ୍ତଶାଳୀ କ୍ରୀଡ଼ା ସଂଗଠନ ବିସିସିଆଇ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ନୀରଜ ସ୍ବଦେଶ ଫେରିବା ପରେ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ବୋର୍ଡ ସମ୍ପାଦକ ଜୟ ଶାହ ଟ୍ବିଟ କରି ସୂଚନା ଦେଇଛନ୍ତି। ଏପଟେ ମାଟିର ପୁଅ ନୀରଜଙ୍କୁ ୬ କୋଟି ଟଙ୍କାର ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ଘୋଷଣା କରିଛନ୍ତି। ଏହବାଦ ବର୍ତ୍ତମାନ ଆର୍ମିରେ ସୁବେଦାର ଭାବେ କାମ କରୁଥିବା ନୀରଜଙ୍କୁ ପ୍ରଥମ ଶ୍ରେଣୀ ଚାକିରି ନେଇ ବି ମୁଖ୍ୟମନ୍ତ୍ରୀ ଖଟର ଘୋଷଣା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।