ସୁନାପୁଅ ନୀରଜ: ଟୋକିଓରେ ସ୍ବର୍ଣ୍ଣ ଜିତି ବୋଲାଇଲେ ବେତାଜ ବାଦଶାହ

ଲଣ୍ଡନ ପ୍ରଦର୍ଶନକୁ କାଟିଲା ଭାରତ, ୧ ସ୍ବର୍ଣ୍ଣ ଓ ଦୁଇ ରୌପ୍ୟ ସହ ୭ ପଦକ

ଟୋକିଓରେ ସର୍ବଶ୍ରେଷ୍ଠ ଦୂରତା ହାସଲ କରିବା ପରେ ନୀରଜଙ୍କ ପ୍ରତିକ୍ରିୟା
ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କଠାରୁ ସମସ୍ତେ ପଦକ ଆଶା କରୁଥିବା ବେଳେ ସେ ଏହି ଆଶାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଦେଶ ପାଇଁ ଚଳିତ ସଂସ୍କରଣରେ ପ୍ରଥମ ସ୍ବର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏପରିକି ବ୍ୟକ୍ତିଗତ ଭାବେ ନୀରଜ ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହା ପୂର୍ବରୁ ଗତ ୨୦୦୮ ବେଜିଂ ଅଲିମ୍ପିକ୍ସରେ ଶୁଟର୍ ଅଭିନବ ବିନ୍ଦ୍ରା ୧୦ ମିଟର ଏୟାର୍ ରାଇଫଲ୍ ବର୍ଗରେ ପ୍ରଥମ ପ୍ରତିଯୋଗୀ ଭାବେ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଧିକନ୍ତୁ ନୀରଜ ଶହେ ବର୍ଷ ପରେ ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଟ୍ରାକ୍ ଏଣ୍ଡ୍ ଫିଲ୍ଡ ଇଭେଣ୍ଟରେ ଭାରତୀୟଙ୍କ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ପ୍ରଦାନ କରିବା ସହ ଶହେ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ତାଙ୍କ ସ୍ବର୍ଣ୍ଣପଦକ ସହ ଭାରତ ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗତ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଥିବା ବେଳେ ଏଠାରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ସହ ୪ଟି ବ୍ରୋଞ୍ଜ୍ ପଦକ ହାସଲ କରିଛି। ଟୋକିଓରେ ନୀରଜ ଐତିହାସିକ ସ୍ବର୍ଣ୍ଣପଦକ ଜିତିବା ପରେ ସମଗ୍ର ଦେଶବାସୀ ଖୁସିରେ ଉତଫୁଲ୍ଲିତ ହୋଇପଡ଼ିଛନ୍ତି ଓ ମାତ୍ର କେଇ ସେକେଣ୍ଡରେ ସେ ୧୩୦ କୋଟି ଭାରତୀୟଙ୍କ ପାଇଁ ସୁନାପୁଅ ପାଲଟିଯାଇଛନ୍ତି। ଏହି ରେକର୍ଡ ସଫଳତା ପାଇଁ ନୀରଜଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ୍. ଭେଙ୍କୈୟାନାଇଡୁ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ପ୍ରତିଟି କୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛିଛି। ସେହିପରି ଏକ ବିରଳ ଗ୍ରୁପରେ ସାମିଲ୍ ହୋଇଥିବାରୁ ତାଙ୍କୁ ବିନ୍ଦ୍ରା ମଧ୍ୟ ବଧେଇ ଜଣାଇଛନ୍ତି। ନୀରଜ ସ୍ବର୍ଣ୍ଣପଦକ ଜିତିବା ପରେ ଏହା ମଧ୍ୟ ଦେଶର ପ୍ରତିଟି ମିଡିଆ, ପ୍ରତିଟି ବ୍ୟକ୍ତିବିଶେଷଙ୍କ ପାଇଁ ସବୁଠାରୁ ବଡ଼ ଖବର ପାଲଟିଛି। ଏଥିସହ ହରିୟାଣା ମୁଖ୍ୟମନ୍ତ୍ରୀ ନୀରଜଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ଓ ପ୍ରଥମ ଶ୍ରେଣୀ ଚାକିରିରେ ନିଯୁକ୍ତି ଘୋଷଣା କରିଛନ୍ତି।

ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ନୀରଜଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପରିପ୍ରେକ୍ଷୀରେ ହରିୟାଣାର ପଞ୍ଚକୁଲାଠାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ସେଣ୍ଟର୍ ଫର୍ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ ଓ ଏଥିରେ ନୀରଜ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ। ଏହାଛଡ଼ା ନୀରଜଙ୍କ ପସନ୍ଦ ଅନୁସାରେ, ରାଜ୍ୟର କୌଣସି ବି ସ୍ଥାନରେ ତାଙ୍କୁ ଏକ ପ୍ଲଟ୍ ମଧ୍ୟ ଯୋଗାଇ ଦିଆଯିବ ବୋଲି ଖଟ୍ଟର୍ ଟ୍ବିଟର୍ ମାଧ୍ୟମରେ ଘୋଷଣା କରିଛନ୍ତି। ହରିୟାଣାର ଖଣ୍ଡରା ଗ୍ରାମର ଜଣେ ଚାଷୀ ପୁଅ ନୀରଜ ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ’ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ପ୍ରଥମରୁ ହିଁ ଏକ ନମ୍ବରରେ ରହିଥିଲେ। ଫାଇନାଲର ଫାଇନାଲ୍ ରାଉଣ୍ଡ୍ ପର୍ଯ୍ୟନ୍ତ ବି ସେ ଏକ ନମ୍ବରରେ ରହି ଜାଭେଲିନରେ ସମଗ୍ର ବିଶ୍ବରେ ଯେ ସେ ବେତାଜ ବାଦଶାହ, ତାହା ପ୍ରମାଣିତ କରିଦେଇଛନ୍ତି। ଫାଇନାଲ୍ ରାଉଣ୍ଡ୍ ପର୍ଯ୍ୟନ୍ତ ମାତ୍ର ୩ ଜଣ ପ୍ରତିଯୋଗୀ ରେସରେ ରହିଥିଲେ। ତେଣୁ ନୀରଜଙ୍କ ପାଇଁ ପଦକ ନିଶ୍ଚିତ ଥିଲା। କିନ୍ତୁ ନୀରଜ ଆଉ କାହାକୁ ଆଗକୁ ଆସିବାକୁ ଦେଇ ନ ଥିଲେ। ଚୋପ୍ରା ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଏକ ନମ୍ବରରେ ରହିବା ସହ ୮୬.୬୭ ମିଟର ସହ ଚେକ୍ ଗଣରାଜ୍ୟର ଜାକୁବ୍ ଭାଡଲେଚ୍ ଓ ୮୫.୪୪ ମିଟର ଦୂରତା ସହ ତାଙ୍କ ଦେଶର ଭେସେଲି ଭିଟେସ୍ଲାଭ୍ ବ୍ରୋଞ୍ଜ୍ ପଦକ ପାଇଛନ୍ତି। ସମଗ୍ର ପ୍ରତିଯୋଗିତାରେ ନୀରଜଙ୍କ ଦବଦବା ଦେଖିବାକୁ ମିଳିଥିଲା। ପଞ୍ଚମ ଉଦ୍ୟମଟି ଫାଉଲ୍ ହୋଇଥିଲେ ମଧ୍ୟ ସେ ଆଗୁଆ ରହିଥିଲେ। ଫାଇନାଲକୁ ଯାଇଥିବା ପାକିସ୍ତାନର ଅର୍ଶଦ ନଦୀମ୍ ଚତୁର୍ଥ ଉଦ୍ୟମ ପରେ ୮୪.୬୨ ମିଟର ସହ ଚତୁର୍ଥରେ ରହିଥିଲେ। କିନ୍ତୁ ସେ ଆଉ ଆଗକୁ ଆଗେଇପାରି ନ ଥିଲେ। ଅନ୍ୟପକ୍ଷରେ ୨୩ ବର୍ଷୀୟ ନୀରଜଙ୍କ ଏପରି ପ୍ରଭାବଶାଳୀ ପ୍ରଦର୍ଶନ ସମଗ୍ର ବିଶ୍ବକୁ ଚକିତ କରିଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।