ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରମୁଖ ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ସେମିଫାଇନାଲ୍ ମୁକାବିଲାରେ ପରାସ୍ତ ହୋଇ ବ୍ରୋଞ୍ଜ୍ ପଦକ ପାଇବା ସକାଶେ ଲଢ଼ିଥିଲେ। ଶନିବାର ଅପରାହ୍ନରେ ଅନୁଷ୍ଠିତ ତାଙ୍କର ଏହି ମୁକାବିଲାରେ କିର୍ଗିଜସ୍ତାନର ଦୌଲତ୍ ନିୟାଜବେକୋଭଙ୍କ ସହ ଲଢ଼େଇ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ଭାବେ ବଜରଙ୍ଗ ପ୍ରଭାବ ବିସ୍ତାର କରି ସହ ୮-୦ରେ ବିଜୟୀ ହୋଇ ସଂସ୍କରଣରେ ପଦକ ସଂଖ୍ୟାକୁ ୬ରେ ପହଞ୍ଚାଇଛି। ବଜରଙ୍ଗ ୬୫ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିବା ଫଳରେ ଭାରତ ଗତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ସଫଳତାକୁ ଏଠାରେ ଦୋହରାଇପାରିଛି। ଚଳିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତ ଅଦ୍ୟାବଧି ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍ ପଦକ ଜିତିପାରିଛି। ତେଣୁ ଏଠାରେ ଭାରତ ତା’ର ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ସମକକ୍ଷ ହୋଇଛି। ତା’ଛଡ଼ା ସେ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପଦକ ହାସଲ କରିଥିବା ଷଷ୍ଠ ରେସଲର୍ ହୋଇପାରିଛନ୍ତି। ଏଥିସହ ଦୌଲତଙ୍କୁ ପରାସ୍ତ କରି ବଜରଙ୍ଗ ଗତ ୨୦୧୯ ୱାର୍ଲ୍ଡ ଚାମ୍ପିଅନଶିପ୍ ଫାଇନାଲରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛନ୍ତି।
ଏହି ବ୍ରୋଞ୍ଜ୍ ପଦକ ମ୍ୟାଚ୍ ପୂର୍ବରୁ ବଜରଙ୍ଗଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଓ ସେ ରିଙ୍ଗକୁ ଓହ୍ଲାଇବା ବେଳେ ସେଥିରେ ସେ ତାଙ୍କଆଣ୍ଠୁ ପାଇଁ ଉଦ୍ଦିଷ୍ଟ କ୍ୟାପ୍ ମଧ୍ୟ ପିନ୍ଧି ନ ଥିଲେ। ଏହା ସତ୍ତ୍ବେ ବଜରଙ୍ଗ ତାଙ୍କଠାରେ ଥିବା ଦକ୍ଷତାର ଶତପ୍ରତିଶତ ଉପଯୋଗ କରି ଗୋଟିଏ ପରେ ଗୋଟିଏ ପଏଣ୍ଟ୍ ହାସଲ କରିଥିଲେ। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ସେ ୨-୦ରେ ଆଗୁଆ ରହିଥିଲେ। ଏହାପରେ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବଜରଙ୍ଗ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ୬-୦ରେ ମ୍ୟାଚ୍ ସହ ବିଜୟୀ ହୋଇଛନ୍ତି। ଭାରତ ପକ୍ଷରୁ ସର୍ବପ୍ରଥମ ରେସଲିଂ ପଦକ କେଡି ଯାଦବ ଜିତିଥିଲେ, ଯିଏକି ୧୯୫୨ ହେଲେସିଙ୍କି ସଂସ୍କରଣରେ ଏହି ସଫଳତା ଅର୍ଜନ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ରବି କୁମାର ଦହିୟା ରୌପ୍ୟ ପଦକ ହାସଲ କରିଥିବା ବେଳେ ଭାରତ ପକ୍ଷରୁ ସୁଶୀଲ କୁମାର ସର୍ବାଧିକ ୨ଟି (ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ), ୨୦୧୨ରେ ଯୋଗେଶ୍ବର ଦତ୍ତ ବ୍ରୋଞ୍ଜ୍, ୨୦୧୬ ରିଓ ଅଲିମ୍ପିକ୍ସରେ ସାକ୍ଷୀ ମଲିକ ବ୍ରୋଞ୍ଜ୍ ପଦକ ଜିତିପାରିଛନ୍ତି।