କମ ପୁଞ୍ଜିରେ ବଡ଼ ବେପାର


ଡମାଇ ନାୟକଙ୍କ ନେତୃରେ ପରିଚଳିତ ମାଠପଡ଼ାର ଡୋକ୍ରା ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରୁଛନ୍ତି ଧୂପକାଠି
ଅଭାବ ହିଁ ଉଦ୍ଭାବନର ଜନନୀ। ସମସ୍ୟାରେ ପଡିଲେ ଲୋକେ ନାନା କଥା ଚିନ୍ତା କରି ସମାଧାନର ରାସ୍ତା ବାହାର କରିଥାନ୍ତି। ଏଭଳି ଅସୁବିଧାରେ ପଡିଥିବା କେତେକ ମହିଳା ଏକାଠି ହୋଇ ଦଳଗତ ଭାବେ ଆରମ୍ଭ କରିଥିବା ବ୍ୟବସାୟ ଏବେ କେବଳ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିନାହିଁ, ବରଂ ସେମାନଙ୍କ ପାଇଁ ସାମାଜିକ ସମ୍ମାନ ଆଣିଦେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଶିମିଳିପାଳ ବନାଞ୍ଚଳର ଗୁଡୁଗୁଡ଼ିଆ ଗ୍ରାମରେ। ଗାଁରେ ଗଢାଯାଇଥିବା ଅଠର ଦେଉଳି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଦଳଗତ ଭାବେ ବନଜାତ ସାମଗ୍ରୀର ବ୍ୟବସାୟ କରି ନିୟମିତ ଭାବେ ଆୟ ପାଇବାରେ ସକ୍ଷମ ହୋଇଛନ୍ତି। ଏହି ଗୋଷ୍ଠୀର ଜଣେ ପୁରୁଖା ନେତ୍ରୀ ଯୌବନୀ ଦେହୁରୀ କହିଛନ୍ତି ପ୍ରଥମେ ପ୍ରଥମେ ଯେତେବେଳେ ଗାଁ ଦାଣ୍ଡରେ ମହିଳାମାନଙ୍କ ସଭାର ଆୟୋଜନ ହୋଇ ବ୍ୟବସାୟ କରିବା କଥା ଆଲୋଚନା ହେଉଥିଲା, ସେତେବେଳେ ଗାଁର ପୁରୁଷମାନେ ଆମମାନଙ୍କୁ ପରିହାସ କରୁଥିଲେ। ଛେଳି ଗୋଡ଼ରେ କ’ଣ ଧାନ ଅମଳ ହେଲାଣି ନା ହେବ ବୋଲି ସେମାନେ କହୁଥିଲେ। କିନ୍ତୁ ଏବେ ସାମୂହିକ ଭାବେ ବିଭିନ୍ନ ବ୍ୟବସାୟ କରି ସଫଳତା ମିଳିବା ପରେ ପୂରା ପୁରୁଷ ସମାଜ ଏବେ ଆମକୁ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି। ଶିମିଳିପାଳ ଜଙ୍ଗଲରୁ ସଂଗ୍ରହ ହେଉଥିବା ମହୁକୁ ଏହି ଦଳ ପ୍ରାଥମିକ ସଂଗ୍ରହକାରୀଙ୍କ ଠାରୁ କିଣି ତାକୁ ପ୍ୟାକିଂ କରି ବଜାରରେ ପହଞ୍ଚାଇ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର କରିପାରୁଛନ୍ତି।

ସବୁଜ ରାକ୍ଷୀରୁ ଲକ୍ଷାଧିକ ଲାଭ
ମଣିଷ ଭିତରେ ପ୍ରତିଭା ଥିଲେ ତାହା କୌଣସି ନା କୌଣସି ଉପାୟରେ ପ୍ରତିଫଳିତ ହୋଇଥାଏ। ନିକଟରେ ଛତିଶଗଡ଼ର କେତେକ ମହିଳା ଏମିତି କିଛି କାମ କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳାମାନେ ଛତିଶଗଡ଼ର ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଏହି ମହିଳାଙ୍କ ପ୍ରତିଭା ରାକ୍ଷୀ ପୂର୍ଣ୍ଣିମାକୁ ସ୍ବତନ୍ତ୍ର କରିଦେଇଛି। ଏମାନେ ପନିପରିବା, ମଞ୍ଜି, ଧାନ ଓ ବାଉଁଶରେ ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀରେ ପରିବେଶକୁ କ୍ଷତି ପହଞ୍ଚାଇଲା ଭଳି କୌଣସି ପ୍ରକାର ସାମଗ୍ରୀ ବ୍ୟବହାର କରାଯାଇ ନାହିଁ। ରାସାୟନିକ ଵସ୍ତୁ, ରଙ୍ଗ ଓ ସାମଗ୍ରୀ ବ୍ୟବହାର କରି ବଜାରକୁ ବିଭିନ୍ନ ପ୍ରକାର ରାକ୍ଷୀ ଆସୁଥିବା ବେଳେ ଏମାନେ ସବୁଜ ରାକ୍ଷୀ ଜରିଆରେ ପ୍ରକୃତିର ସୁରକ୍ଷା ବାର୍ତ୍ତା ଦେବା ସହିତ ରୋଜଗାରର ରାସ୍ତା ବାହାର କରିଛନ୍ତି। ଏହି ଗ୍ରୁପର ଜଣେ ସଦସ୍ୟ ଲତା ସାହୁଙ୍କ କହିବାନୁସାରେ, ଗତବର୍ଷ ବି ସେମାନେ ୫୦୦୦ ରାକ୍ଷୀ ତିଆରି କରିଥିଲେ। ଏହାଦ୍ବାରା ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥିଲା। ଏହି ବର୍ଷ ମହିଳାମାନେ ମିଶି ଏଯାବତ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାକୁ ଆହୁରି ଅନେକ ଦିନ ବାକି ଥିବା ବେଳେ ଏବେ ବି ଆହୁରି ରୋଜଗାର ଆଶା ରଖିଛନ୍ତି। ଏଭଳି କାମ କରି ଏହି ମହିଳାମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଧୂପକାଠି ତିଆରିରୁ ସଫଳ ଉଦ୍ୟୋଗୀ
ଧୂପକାଠି ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି। ଏଥିସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର। ଏହା ହେଉଛି କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମର ଜଣେ ସଫଳ ମହିଳା ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ। ଡମାଇ ନାୟକ ଧୂପକାଠି ପ୍ରସ୍ତୁତି ଉଦ୍ୟୋଗ କରି ଗାଁକୁ ଦେଇଛନ୍ତି ଏକ ନୂଆ ପରିଚୟ। ଜଙ୍ଗଲରୁ ସଂଗ୍ରହ ହେଉଥିବା ଝୁଣାରୁ ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ବ କରିଥିଲେ। ବିନା କେମିକାଲରେ ତିଆରି ହୋଇଥାଏ ଏହି ଧୂପକାଠି। ଏବେ ଗାଁର ମହିଳାମାନେ ମଧ୍ୟ ଏହି କାମରେ ନିଜକୁ ନିୟୋଜିତ କରି ରୋଜଗାର କରିପାରୁଛନ୍ତି। ବୋହୂ ହୋଇ ମାଠପଡ଼ା ଗାଁକୁ ଆସିଥିଲେ ଡମାଇ। ପରିବାରର ଆର୍ଥିକ ଅବସ୍ଥା ଦେଖି ନିଜେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଥିଲେ। ଜଙ୍ଗଲରୁ ସଂଗୃହୀତ ହେଉଥିବା ଝୁଣାକୁ ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ଭ କଲେ। ବିନା କେମିକାଲରେ ତିଆରି ଏହି ଧୂପକାଠିର ଚାହିଦା ଦିନକୁ ଦିନ ବଢିବାରୁ ଗାଁର ମହିଳା ମାନଙ୍କୁ ଏକାଠି କରି ସେ ଡୋକ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ। ଅଧିକ ବ୍ୟବସାୟ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ନେଲେ। ଝୁଣା ସହ ମଶା ଧୂପ କାଠି ମଧ୍ୟ ତିଆରି କଲେ। ଚାହିଦା ବଢିଲା। ବ୍ୟବସାୟ ବଢ଼ି଼ଚାଲିଲା। ଆଖ ପାଖ ଗ୍ରାମରେ ପ୍ରଶିକ୍ଷଣ ପାଇଁ ଡମାଇଙ୍କୁ ଡାକିଲେ। ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଲା। ଏବେ ଡମାଇ ରାଜଧାନୀ ଠାରୁ ଆରମ୍ଭ କରି ଅବିଭକ୍ତ କୋରାପୁଟ ଜିଲା, ବୌଦ୍ଧ, ଯାଜପୁର, ବାଲେଶ୍ୱର, କଟକ, ବଲାଙ୍ଗିର, ଝାରସୁଗୁଡ଼ା, ନୟାଗଡ଼ ଗୁଣପୁରରେ ନିଜର ବ୍ୟବସାୟକୁ ପହଞ୍ଚାଇଛନ୍ତି ଓ ଏଥିସହ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି। କୋରୋନା କାଳରେ ମଧ୍ୟ ତାଙ୍କ ଜୀବିକା ବେଶ ସୁରୁଖୁରୁରେ ଚାଲିଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।