ଟୋକିଓ: ଅଲିମ୍ପିକ-୨୦୨୦ରେ ଭାରତର ସଫଳତା ଏଯାବତ ରୌପ୍ୟ ଓ ବ୍ରୋଞ୍ଜ ପଦକରେ ସୀମିତ ରହିଛି। ମାତ୍ର ଶନିବାର ପଦକ ତାଲିକାରେ ସ୍ବର୍ଣ୍ଣ ଯୋଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷକରି ଜାଭେଲିନ୍ ଥ୍ରୋରେ ଭାରତ ଅଲିମ୍ପିକ୍ସରେ ପ୍ରଥମ କରି ସ୍ବର୍ଣ୍ଣ ଜିତି ଇତିହାସ ରଚିବା ନେଇ ଆଶା କରାଯାଉଛି। ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିବା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କଠାରୁ ଏପରି ସଫଳତା ଆଶା କରାଯାଉଛି। ଯଦି ନୀରଜ ଏହା ପୂରଣ କରିବାରେ ଅସଫଳ ହୁଅନ୍ତି, ତାହେଲେ ଭାରତ ଟୋକିଓ ଅଲିମ୍ପିକ୍ସରୁ କେବଳ ରୌପ୍ୟ ଓ ବ୍ରୋଞ୍ଜ ପଦକ ସହ ଫେରିବା ଏକପ୍ରକାର ନିଶ୍ଚିତ। କାହିଁକି ନା ସ୍ବର୍ଣ୍ଣ ଜିତିବା ନେଇ ଆଉ କାହାଠାରୁ ଆଶା କରାଯାଇ ନ ପାରେ।
ସେହିପରି ଗଲ୍ଫର ଅଦିତି ଅଶୋକ ମଧ୍ୟ ଭାରତ ପାଇଁ ପଦକ ଜିତିବା ନେଇ ଆଶା ଉଜ୍ଜୀବିତ କରିଛନ୍ତି। ଏଯାବତ ୩ୟ ରାଉଣ୍ଡ ଶେଷ ସୁଦ୍ଧା ଅଦିତି ଦ୍ବିତୀୟ ସ୍ଥାନରେ ରହି ପୋଡିଅମ ଚଢ଼ିବା ନେଇ ଆଶାବାଦୀ ଅଛନ୍ତି। ଯଦି ଶନିବାର ତାଙ୍କର ପ୍ରଦଶର୍ନ ଭଲ ରୁହେ, ତାହେଲେ ଅଦିତି ପ୍ରଥମ ଭାରତୀୟ ଗଲ୍ଫର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାର ସମ୍ଭାବନା ରହିଛି। ଅନ୍ୟତମ ଗଲ୍ଫର ଦୀକ୍ଷା ସାଗର ମଧ୍ୟ ଏଯାବତ ଆଶା ଉଜ୍ଜୀବିତ ରଖିଛନ୍ତି। ଶନିବାର ତାଙ୍କର ପ୍ରଦର୍ଶନ ଉପରେ ବି ନଜର ରହିଛି। ସେହିପରି ୬୫ କେଜି ଫ୍ରିଷ୍ଟାଇଲ କୁସ୍ତିରେ ବଜରଙ୍ଗ ପୁନିଆ ସେମିରେ ପରାଜିତ ହେବା ପରେ ଶନିବାର ଅପରାହ୍ନ ୩ଟା ୫୫ରେ ବ୍ରୋଞ୍ଜ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ। ଶନିବାର ଅପରାହ୍ନ ୪ଟା ୩୦ ନୀରଜ ଚୋପ୍ରା ଫାଇନାଲ ମୁକାବିଲା ପାଇଁ ଟ୍ରାକକୁ ଓହ୍ଲାଇବେ।