ଟୋକିଓ ଅଲିମ୍ପିକ୍ସ
ବଜରଙ୍ଗ ସେମିରେ ପରାସ୍ତ, ଶନିବାର ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ସେମିଫାଇନାଲରେ ପ୍ରତିଦ୍ବନ୍ଦ୍ବୀଙ୍କ ମୁଭରେ ଚକିତ ହୋଇପଡ଼ିଛନ୍ତି ବଜରଙ୍ଗ
ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତର ଆଉ ଜଣେ ପ୍ରମୁଖ ରେସଲର୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ସେ ସେମି ମୁକାବିଲାରେ ଆଜରବୈଜାନର ହାଜି ଆଲିୟେଭଙ୍କଠାରୁ ୫-୧୨ରେ ପରାସ୍ତ ହୋଇଛନ୍ତି। ଫଳସ୍ବରୂପ ଏବେ ସେ ବ୍ରୋଞ୍ଜ୍ ପଦକ ପାଇଁ ଶନିବାର ଲଢ଼େଇ କରିବେ। ପୁନିଆ ୬୫ କିଗ୍ରା ପୁରୁଷ ଫ୍ରିଷ୍ଟାଇଲ୍ ଲାଇଟୱେଟ୍ ସେମିଫାଇନାଲରେ କିର୍ଗିଜସ୍ତାନର ଏରନାଜାର ଆକମାତାଲିଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ସେ ପ୍ରଥମ ରାଉଣ୍ଡ୍ ମ୍ୟାଚରେ ଇରାନର ମୋର୍ତେଜା ଘାଇସିଙ୍କୁ ହରାଇଥିଲେ। ତେବେ ୨୭ ବର୍ଷୀୟ ଏସିଆନ୍ ଚାମ୍ପିଅନ୍ ବଜରଙ୍ଗଙ୍କ ପାଇଁ ସେମିଫାଇନାଲ୍ ମୁକାବିଲାଟି ଯଥେଷ୍ଟ କଷ୍ଟସାଧ୍ୟ ଥିଲା। ବଜରଙ୍ଗ ପ୍ରଥମ ବାଉଟରେ ୧-୪ରେ ପଛୁଆ ରହିଥିଲେ। ଏହି ସମୟରେ ବଜରଙ୍ଗଙ୍କୁ ବ୍ୟବଧାନ କମାଇବା ସକାଶେ ସ୍ବତନ୍ତ୍ର ପ୍ରଦର୍ଶନ କରିବାର ଥିଲା। କିନ୍ତୁ ଦ୍ବିତୀୟ ରାଉଣ୍ଡରେ ବଜରଙ୍ଗଙ୍କ ଗୋଡ଼କୁ ଧରି ତାଙ୍କୁ ତଳେ ପକାଇବା ସହ ଅଗ୍ରଣୀକୁ ୮-୧ରେ ପହଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ବଜରଙ୍ଗ ୪ ପଏଣ୍ଟ୍ ଅର୍ଜନ କରିଥିଲେ। କିନ୍ତୁ ଆଲିୟେଭ୍ ୭ ପଏଣ୍ଟ୍ ଅଧିକ ପାଇ ସ୍ବର୍ଣ୍ଣପଦକ ମୁକାବିଲାରେ ସ୍ଥାନ ପକ୍କା କରିଛନ୍ତି। ଏବେ ବଜରଙ୍ଗ ବ୍ରୋଞ୍ଜ୍ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ।
ଶୁକ୍ରବାର ପ୍ରତିଯୋଗିତାର ପଞ୍ଚଦଶ ଦିବସରେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ପ୍ରଥମାର୍ଦ୍ଧରେ ବଜରଙ୍ଗ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ସୀମା ବିସଲା ପରାଜୟ ବରଣ କରିଛନ୍ତି। ସୀମା ତାଙ୍କର ପ୍ରାରମ୍ଭିକ ରାଉଣ୍ଡ୍ ମୁକାବିଲାରେ ସାରା ହାମଦିଙ୍କଠାରୁ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ହାମଦି କ୍ବାର୍ଟର୍ ମୁକାବିଲାରେ ପରାସ୍ତ ହେବା ଫଳରେ ସୀମାଙ୍କ ପାଇଁ ରିପଚେଜର ମଉକା ମଧ୍ୟ ଉପଲବ୍ଧ ହୋଇ ନ ଥିଲା। ତେଣୁ ସେ ଟୋକିଓରେ ପଦକଶୂନ୍ୟ ରହିବା ନିଶ୍ଚିତ ହୋଇଛି। ତା’ଛଡ଼ା ପ୍ରାତଃ ସମୟରେ ଖେଳାଯାଇଥିବା ମହିଳା ହକି ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତୀୟ ଦଳ ଗ୍ରେଟ୍ ବ୍ରିଟେନଠାରୁ ୩-୪ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବଜରଙ୍ଗଙ୍କ ସେମିଫାଇନାଲ୍ ମୁକାବିଲାରେ ପରାସ୍ତ ହେବା ନେଇ ତାଙ୍କ ପିତା ଖେଳରେ କିଛି ବି ଘଟିପାରେ। ବଜରଙ୍ଗଙ୍କ ପ୍ରଦର୍ଶନ ନେଇ ସେ ଆଦୌ ନିରାଶ ନୁହନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶନିବାର ପ୍ରତିଯୋଗିତାର ଷୋଡ଼ଶ ଦିବସରେ ବଜରଙ୍ଗ ତାଙ୍କ ବ୍ରୋଞ୍ଜ୍ ପଦକ ମୁକାବିଲାରେ ରୁଷିଆ ଅଲିମ୍ପିକ୍ କମିଟି (ଆରଓସି)ର ଗାଝିମୁରାଦ୍ ରାଶିଡୋଭଙ୍କୁ ଭେଟିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ