ଟୋକିଓ ଅଲିମ୍ପିକ୍ସ
ରେସଲିଂ ସେମିରେ ପହଞ୍ଚି ପଦକ ଆଶା ଦେଲେ ବଜରଙ୍ଗ, ହାରିଲେ ସୀମା

ସେମିରେ ପ୍ରବେଶ ପରେ ବଜରଙ୍ଗ ଖୁସି ଜାହିର୍ କରୁଛନ୍ତି
ଟୋକିଓ: ଚଳିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତର ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଷଷ୍ଠ ପଦକ ଆଶା ଦେଇଛନ୍ତି। କାରଣ ସେ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଶୁକ୍ରବାର ବଜରଙ୍ଗ ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ତାଙ୍କ ଅଭିଯାନ ଆରମ୍ଭ କରି ପ୍ରିକ୍ବାର୍ଟରରେ କିର୍ଗିଜସ୍ତାନର ଏମାଜାର୍ ଅକମାଟାଲିଭ୍ଙ୍କୁ ଭେଟିଥିବା ବେଳେ ଏହାକୁ ୩-୩ରେ ଡ୍ର’ ରଖିଥିଲେ। ତେବେ ପଏଣ୍ଟ୍ ହାସଲ କରିବାରେ ତାଙ୍କର ପ୍ରଦର୍ଶନ ଉନ୍ନତ ରହିଥିବାରୁ ରେଫରି ବଜରଙ୍ଗଙ୍କୁ ବିଜେତା ଘୋଷଣା କରିଥିଲେ। ଏଥିସହ ସେ କ୍ବାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ। କ୍ବାର୍ଟରରେ ତାଙ୍କର ଭେଟ ଇରାନର ମୋର୍ତେଜା ଘିଆସିଙ୍କ ସହ ହୋଇଥିଲା, ଯେଉଁଥିରେ ପ୍ରଥମ ରାଉଣ୍ଡରେ ୦-୧ରେ ପଛୁଆ ରହିଥିଲେ। ୨୭ ବର୍ଷୀୟା ଘିଆସି ୨୦୧୯ ୱାର୍ଲ୍ଡ କପରେ ରୌପ୍ୟ ପଦକ ଜିତିଥିବା ବେଳେ ବଜରଙ୍ଗଙ୍କୁ ସେ କଡ଼ା ଚାଲେଞ୍ଜ୍ ଦେଇଥିଲେ। ଦ୍ବିତୀୟ ସିଡ୍ ବଜରଙ୍ଗ ପ୍ରଥମ ରାଉଣ୍ଡରେ ପଛୁଆ ରହିଥିଲେ ମଧ୍ୟ ଘିଆସିଙ୍କ ଏକାଧିକ ଆକ୍ରମଣକୁ ପ୍ରତିହତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ବଜରଙ୍ଗ ଫଲ୍ ମାଧ୍ୟମରେ ଘିଆସିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
ସେମିଫାଇନାଲରେ ଶୁକ୍ରବାର ଅପରାହ୍ନରେ ତାଙ୍କର ମୁକାବିଲା ୩ ଥରର ୱାର୍ଲ୍ଡ ଚାମ୍ପିଅନ୍ ତଥା ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ହାସଲ କରିଥିବା ହାଜି ଆଲିଭଙ୍କ ସହ ହେବ। ଉଭୟଙ୍କ ମଧ୍ୟରେ ଆଜରବୈଜାନରେ ଶେଷ ଥର ପାଇଁ ମୁକାବିଲା ହୋଇଥିବା ବେଳେ ସେମି ଲଢ଼େଇ ବେଶ୍ ରୋମାଞ୍ଚକର ହେବ ବୋଲି ପ୍ରଶଂସକମାନେ ଆଶା କରିଛନ୍ତି। ଅନ୍ୟପକ୍ଷରେ ଗଲ୍ଫର ଅଦିତି ଅଶୋକ ଦ୍ବିତୀୟ ସ୍ଥାନରେ ବଜାୟ ରହିଛନ୍ତି। ସେ ଶୁକ୍ରବାର ୩ୟ ରାଉଣ୍ଡରେ ପ୍ରଥମ ୮ଟି ହୋଲ୍ ମଧ୍ୟରୁ ତିନିଟି ବାର୍ଡି ହାସଲ କରି ଚମତ୍କାର ପ୍ରଦର୍ଶନ ପୂର୍ବକ ଦ୍ବିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। କିନ୍ତୁ ମହିଳା ରେସଲର୍ ସୀମା ବିସଲା ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ସେ ଟ୍ୟୁନିସିଆର ସାରା ହମଦିଙ୍କଠାରୁ ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ୧-୩ରେ ପରାଜୟ ବରଣ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ପଛୁଆ ରହିଥିଲେ। ପରେ ସାରା ତାଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ