ସ୍ବତନ୍ତ୍ର ପ୍ରସଙ୍ଗ
ଏମିତି ନେତାଙ୍କୁ ଲୋଡ଼ୁଛି ଦେଶ

ମେହବୁବ ଆଲମ ଓ ଅଙ୍ଗଦ କହଁର (ଫାଇଲ ଫଟୋ)
ନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ କରୁଥିବା ରାଜନେତା ମାନେ ବିଜୟୀ ହେବା ପରେ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଆନ୍ତି। ବେକରେ ମୋଟା ଚେନ, ହାତରେ ଦାମୀ ୱାଚ, ବ୍ରାଣ୍ଡେଡ ପୋଷାକ ଆଉ ବିଳାସପୂର୍ଣ୍ଣ ଗାଡିରେ ଘୁରନ୍ତି। ଲୋକଙ୍କ ନିକଟକୁ ଆସିବା ତ ଦୂର କଥା, ଦେଖିଲେ ନ ଚିହ୍ନିବା ପରି ଅଭିନୟ କରନ୍ତି। ନିର୍ବାଚନ ବେଳେ ଅସାଧୁ ଉପାୟରେ ବିଜୟୀ ହେଉଥିବାରୁ ସାଧାରଣ ଜୀବନରେ ଲୋକଙ୍କ ସୁଖ ଦୁଃଖର ଧାର ଧରନ୍ତିନି ଏଭଳି ନେତା। କିନ୍ତୁ ଆମ ଗହଣରେ ଏଭଳି କେତେକ ରାଜନେତା ଅଛନ୍ତି, ଯେଉଁମାନେ ସାଧାରଣ ଜନଗଣଙ୍କ ଦୁଃଖସୁଖ ସହିତ ଯୋଡିହୋଇ ସେମାନଙ୍କ ହୃଦୟରେ ରାଜ କରନ୍ତି। ଏଭଳି ନେତା ଆମ ରାଜ୍ୟରେ ଅଛନ୍ତି ଓ ଦେଶ ସାରା ଅଛନ୍ତି। ରାଜନୀତିରେ ମୂଲ୍ୟବୋଧର ଅବକ୍ଷୟ ବ୍ୟାପକ ମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ମନେପଡ଼ନ୍ତି ଏଭଳି ଚରିତ୍ର। ଏମିତି କିଛି ନୀତିବାନ ରାଜନେତାଙ୍କୁ ନେଇ ଆମର ଏ ଆଲେଖ୍ୟ।
ଚାଷୀ ବିଧାୟକ
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ତାଙ୍କ ସରଳ ଜୀବନଯାପନ ପାଇଁ ଅନ୍ୟ ରାଜନେତାଙ୍କ ତୁଳନାରେ ଆଦର୍ଶ ପାଲଟିଛନ୍ତି। ବିଧାୟକ ହୋଇଥିଲେ ମଧ୍ୟ ଜଣେ ଚାଷୀ ଭାବେ ନିଜର କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ଏବେ ସବୁଠି ଖରିଫ ଚାଷ କାମ ଆରମ୍ଭ ହୋଇଥିବା ବେଳେ ବିଧାୟକ କହଁର ହଳ ଲଙ୍ଗଳ ଧରି ବିଲରେ ଚାଷ କରୁଥିବା ଦେଖାଯାଉଛି। ଅଙ୍ଗଦ ସକାଳ ୫ରୁ ବିଛଣା ଛାଡ଼ନ୍ତି। ଭୋର ୬ଟାରୁ ୯ଟା ପର୍ଯ୍ୟନ୍ତ ଜମିରେ ଚାଷ ବାସ ବୁଝନ୍ତି। ଘରକୁ ଫେରି ଗାଧୁଆ ସାରି ଲୋକଙ୍କ ଅଭିଯୋଗ ଶୁଣନ୍ତି। ଅଙ୍ଗଦ ନିଜ ରାଜନୈତିକ ଜୀବନ ସରପଞ୍ଚରୁ ଆରମ୍ଭ କରିଛନ୍ତି। ସେ ୪ ଥର ସରପଞ୍ଚ ହେବା ସହିତ ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଥରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ମଧ୍ୟ ତାଙ୍କୁ ସଫଳତା ମିଳିଥିଲା। ଗତ ୨୦୧୯ ନିର୍ବାଚନରେ ଅଙ୍ଗଦ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ ପାଦ ଥାପିଛନ୍ତି। ଫିରିଙ୍ଗିଆ ବ୍ଲକର ଦୁର୍ଗମ ପକାରି ଗାଁରେ ତାଙ୍କ ଜନ୍ମ। ଅଙ୍ଗଦଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ବିଲକୁ ଯାଇ ଚାଷ କାମରେ ଜଡିତ ହୋଇଥାନ୍ତି। ତାଙ୍କ ପତ୍ନୀ ବିଲକୁ ଯାଇ ଚାଷ କାମ ଦେଖାଶୁଣା କରିବା ସହ ଜଙ୍ଗଲରୁ ଶାଳପତ୍ର, ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ଅଙ୍ଗଦଙ୍କ ଜେଜେବାପା ଜଣେ ପୋଖତ ଚାଷୀ ଥିଲେ। ଅଙ୍ଗଦ ନିଜ ଜେଜେବାପାଙ୍କ ଠାରୁ ଚାଷ କାର୍ଯ୍ୟ ଶିଖିଛନ୍ତି।
ଖଦି ପୋଷାକ ପିନ୍ଧୁଛନ୍ତି, ଚାଳଘରେ ରହୁଛନ୍ତି
ଚାଳ ଛପର ଘରେ ରହୁଥିବା ସାଧାରଣ ମଣିଷଟିଏ। ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ ପବିତ୍ର ମୋହନ ଜେନା। ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ। ସାଇକେଲରେ ଯିବା ଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳ ଛପର ଘରେ ଜୀବନ ଅତିବାହିତ କରୁଛନ୍ତି। ପଚାଶ ବର୍ଷ ତଳେ ୧୯୭୧ ମସିହାରେ ଅବିଭକ୍ତ ବିଞ୍ଝାରପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ। ରାଜନୀତିର ଉତଥାନ ପତନ ଭିତରେ ଥରେ ମାତ୍ର ନିର୍ବାଚିତ ହେବାର ସୁଯୋଗ ପାଇଥିବା ସରଳ ମଣିଷଟି ଆଜି ନିଜ ପରିବାର ସହ ସାଧାରଣ ଜୀବନଯାପନ କରୁଥିବା ବେଳେ ସାମର୍ଥ୍ୟ ଅନୁସାରେ ସମାଜ ସେବା ମଧ୍ୟ ଜାରି ରଖିଛନ୍ତି। ସରକାରଙ୍କ ଠାରୁ ମିଳୁଥିବା ବିଧାୟକ ପେନସନ ସହ ପରିବାର ଚଳାଇବା ଲାଗି ସେ ଚାଷ ବି କରୁଛନ୍ତି। ଯାଜପୁର ଜିଲ୍ଲା ବାଙ୍ଗରା ଗ୍ରାମର ପବିତ୍ର ମୋହନ ଜେନା। ସ୍ନାତକ ପରେ ପ୍ରଥମେ ସେକ୍ରେଟେରିଏଟରେ ନିଯୁକ୍ତି। ତା’ପରେ ଚାକିରି ଛାଡି ସମାଜସେବାରେ ଯୋଗ ଦେଇଥିଲେ। ଆଉ ତା’ପରେ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୧ ମସିହାରେ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅବିଭକ୍ତ ବରୀ ଓ ବିଞ୍ଝାରପୁରରୁ ନିର୍ବାଚନ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ। ରାଜନୈତିକ ଅସ୍ଥିରତା କାରଣରୁ ଦୁଇ ବର୍ଷ ଭିତରେ ସରକାର ଭାଙ୍ଗି ଯାଇଥିଲା। ତା’ପରେ ଆଉ ବିଧାୟକ ହେବାର ସୁଯୋଗ ପାଇ ନ ଥିବା ପବିତ୍ର ଜେନା ଏବେ ନିଜ ଗାଁର ସେହି ପୁରୁଣା ଚାଳ ଘରେ ବାସ କରୁଛନ୍ତି। ଦୈନିକ ୧୫ କିମି ସାଇକେଲ ଚଳାଇ ହାଟକୁ ଯିବା ଓ ଘର ଘର ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବାରେ ଏବେ ତାଙ୍କର ସମୟ ବିତୁଛି।
ଚାରି ଥରର ବିଧାୟକ, ହେଲେ ଘର ନାହିଁ କି ଗାଡ଼ି ନାହିଁ
ମେହେବୁବ ଆଲାମଙ୍କ ଘର ବିହାରର କଟିହାର ଜିଲ୍ଲାରେ। ବିଧାୟକ ଭାବେ ସେ ଚାରି ଥର ବିଜୟୀ ହୋଇଥିଲେ ହେଁ ମୁଣ୍ଡ ଗୁଞ୍ଜିବା ପାଇଁ ନିଜର ଖଣ୍ଡେ ଘର ନାହିଁ। ଗତ ବିହାର ନିର୍ବାଚନରେ ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫୮ ହଜାର ଭୋଟରେ ପରାଜିତ କରିଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ହୋଇଥିବା ବେଳେ, ସରଳ ଏବଂ ସଚ୍ଚୋଟତା ପାଇଁ ସେ ସମଗ୍ର ଅଞ୍ଚଳରେ ପ୍ରସିଦ୍ଧ।। ମେହେବୁବ ଆଲାମଙ୍କ ଭଦ୍ର, ନମ୍ର ଓ ସରଳତା ଆଗରେ ବାହୁବଳୀ ପ୍ରାର୍ଥୀ ମାନଙ୍କର ଦବ୍ଦବା ହାର୍ ମାନେ। ମେହେବୁବ ଆଲାମଙ୍କର ନିଜର ଗାଡି ଖଣ୍ଡିଏ ନ ଥିବାରୁ ସେ ନିର୍ବାଚନ ବେଳେ ଚାଲି ଚାଲି ପ୍ରଚାର କରନ୍ତି ଓ ନିର୍ବାଚନରେ ବିଜୟୀ ହେବା ପରେ ଭଡା ଗାଡ଼ିରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଯାଇଥାନ୍ତି।
ସନ୍ଥଙ୍କ ପରି ଜୀବନ ବିତାନ୍ତି
ବାଲେଶ୍ୱରର ବିଜେପି ସାଂସଦ ତଥା ମୋଦି କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜ ସରଳ ଜୀବନ ଯାପନ ପାଇଁ ସବୁବେଳେ ଶିରୋନାମାରେ ଅଛନ୍ତି। ଚାଳ ଛପର ଘରେ ରହୁଥିବା ପ୍ରତାପ ଗାଁ ପୋଖରୀରେ ସ୍ନାନ କରନ୍ତି ଓ ଲୋକଙ୍କ ସୁଖଦୁଃଖରେ ଯୋଡି ହୋଇଥାନ୍ତି। ଛୋଟ ପିଲାମାନଙ୍କୁ ଅତ୍ୟନ୍ତ ଭଲପାଉଥିବା ପ୍ରତାପ ମନ୍ତ୍ରୀ ଥିବା ପୂର୍ବରୁ ଯେମିତି ଥିଲେ, ମନ୍ତ୍ରିତ୍ୱ ସମୟରେ ମଧ୍ୟ ସେହିଭଳି ସାଧାରଣ ଲୋକଙ୍କ ସହିତ ମିଳାମିଶା କରୁଥିଲେ। ଧନସମ୍ପତ୍ତି ଠୁଳ କରିବାର ଲୋଭ ତାଙ୍କର ପିଲାଦିନରୁ ହିଁ ନାହିଁ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଲୋକଙ୍କ ସହିତ ମିଶି ସଡ଼କ ମରାମତି କାମରେ ଯୋଡି ହୋଇଥିବାର ଏକ ଫଟୋ ୨୦୧୯ରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। କେବଳ ଫଟୋରେ ନୁହଁ ନିତ୍ୟାନନ୍ଦ ନିଜ ସରଳ ଓ ଅମାୟିକ ବ୍ୟବହାର ପାଇଁ ଲୋକଙ୍କ ଗହଣରେ ବେଶ ଆଦୃତ ହୋଇଥାନ୍ତି।
ଆଉଜଣେ ଲୋକଙ୍କ ନେତା ହେଉଛନ୍ତି ଗଙ୍ଗାଧର ଦାସ। ଘର ତିହିଡି ବ୍ଲକର କାଁପଡ଼ା ଗ୍ରାମରେ। ୧୯୭୧ ଓ ୧୯୭୭ରେ ଦୁଇ ଦୁଇ ଥର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଚାନ୍ଦବାଲି ସଂରକ୍ଷିତ ବିଧାନସଭା କ୍ଷେତ୍ରରୁ। ପିଲାଦିନରୁ ସୋସାଲିଷ୍ଟ ପାର୍ଟିର କର୍ମୀ ଭାବେ କାମ କରୁଥିଲେ। ୧୯୭୧ରେ ଇନ୍ଦିରା ଗାନ୍ଧିଙ୍କ ନୀତି ଓ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଇନ୍ଦିରାଙ୍କୁ ବିରୋଧ କରିଥିଲେ। ଜରୁରୀ ପରିସ୍ଥିତିବେଳେ ଜେଲ ବି ଯାଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଓ ପୁଣିଥରେ ବିଧାନସଭାକୁ ଯାଇଥିଲେ। ସେତେବେଳେ ସାଇକଲରେ ବୁଲି ନିଜ ପାଇଁ ପ୍ରଚାର କରିଥିଲେ। ଏହି ନେତାଙ୍କ ସରଳ ନିରାଡ଼ମ୍ବର ଜୀବନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା। ଦୈନନ୍ଦିନ ଜୀବନଚର୍ଯ୍ୟା ଅତି ସରଳ। ବିଧାୟକ ହେବାବେଳେ ପ୍ରଥମେ ୩୦୦ ଓ ପରେ ୬୦୦ ଟଙ୍କାର ଭତ୍ତା ପାଉଥିଲେ। ବାସ୍ ସେତିକି। ସେଥିରେ ଚଳୁଥିଲେ। କାହାଠାରୁ କିଛି ନେଇନାହିଁ କି ନେବାର ଇଚ୍ଛା ବି କରି ନ ଥିଲି ବୋଲି ଅନେକ ଜାଗାରେ କହିଥିଲେ ଗଙ୍ଗାଧର। ଏଭଳି ନେତା ବିଭିନ୍ନ ଦଳରେ ଅଛନ୍ତି। ସେମାନଙ୍କ ପ୍ରଭାବ କେତେକାଂଶରେ ପଡିଛି। ଏଭଳି ନେତା ଏବେ ଦେଶକୁ ଲୋଡ଼ା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ