ଚମକିଲେ ରବି ଓ ଦୀପକ, ସେମିରେ ପହଞ୍ଚି ବଢ଼ାଇଲେ ପଦକ ଆଶା


ଦୀପକ ପୁନିଆ ଓ ରବି କୁମାର ଦହିୟା
ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ଦ୍ବାଦଶ ଦିନରେ ପ୍ରଥମାର୍ଦ୍ଧରେ ଭାରତର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ରହିଛି। ପ୍ରଥମେ ନୀରଜ କୁମାର ୮୬.୬୫ ମିଟର ଦୂରକୁ ପ୍ରଥମ ଉଦ୍ୟମ ଜାଭେଲିନ୍ ଫିଙ୍ଗି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ରେସଲିଂରେ ମଧ୍ୟ ଦୁଇ ଜଣ ଭାରତୀୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେମାନେ ହେଲେ ଦୀପକ ପୁନିଆ ଓ ରବି କୁମାର ଦହିୟା। ପ୍ରିକ୍ବାର୍ଟରରେ ଦୁଇ ପ୍ରତିଯୋଗୀ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ପ୍ରଥମେ କ୍ବାର୍ଟର୍ ଓ ପରେ କ୍ବାର୍ଟରରେ ମଧ୍ୟ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୀପକ ୮୬ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ଦୀପକ ପ୍ରିକ୍ବାର୍ଟର୍ ମୁକାବିଲାରେ ନାଇଜେରିଆର ଆଗିଓମୋର୍ ଏକେରେକେମ୍ ୧୨-୧ରେ ଟେକନିକାଲ୍ ସୁପରିଅରିଟିରେ ବିଜୟୀ ହୋଇଛନ୍ତି। ସେହିପରି ୱାର୍ଲ୍ଡ ଚାମ୍ପିଅନଶିପରେ ରୌପ୍ୟ ପଦକ ଜିତିଥିବା ବିଶ୍ବର ତିନି ନମ୍ବର ରେସଲର୍ ଦୀପକ କ୍ବାର୍ଟର୍ ଫାଇନାଲରେ ଚୀନର ଜୁଶେନ୍ ଲିନଙ୍କୁ ୬-୩ରେ ହରାଇଛନ୍ତି। ଏହି ମୁକାବିଲାରେ ଏକଦା ସ୍ଥିତି ୩-୩ରେ ବରାବର ରହିଥିଲା। ସେତେବେଳକୁ ମୁକାବିଲା ଆଉ ମାତ୍ର ୧ ମିନିଟ୍ ବାକି ଥିଲା। ଜୁଶେନ ଶେଷ ପର୍ଯ୍ୟନ୍ତ ଏହାକୁ କାଏମ ରଖିଥିଲେ ନିଶ୍ଚିତ ଭାବେ ବାଉଟରେ ବିଜୟୀ ହୋଇଥାନ୍ତେ। କାରଣ ସେ ଶେଷ ମୁଭରେ ପଏଣ୍ଟ୍ ଅର୍ଜନ କରିଥିଲେ। କିନ୍ତୁ ଦୀପକ ଜବରଦସ୍ତ ସାହସ ଦେଖାଇ ଚୀନ୍ ରେସଲରଙ୍କୁ ୩୦ ସେକେଣ୍ଡ୍ ବାକି ଥିବା ବେଳେ ମାତ୍ ଦେଇ ଚମତ୍କାର ବିଜୟ ହାସଲ କରି ସେମିରେ ପହଞ୍ଚିଛନ୍ତି। ଜୁଶେନ୍ ଏହାକୁ ଚାଲେଞ୍ଜ୍ କରିଥିଲେ ମଧ୍ୟ ଅତିରିକ୍ତ ପଏଣ୍ଟ୍ ସହ ମୁକାବିଲାକୁ ୨୨ ବର୍ଷୀୟ ଦୀପକ ଶେଷ କରିଥିଲେ।

ସେହିପରି ଚତୁର୍ଥ ସିଡ୍ ଦହିୟା ୫୭ କିଗ୍ରା ଫ୍ରିଷ୍ଟାଇଲ୍ ବର୍ଗରେ ପ୍ରିକ୍ବାର୍ଟର୍ ମୁକାବିଲାରେ କଲମ୍ବିଆର ଓସ୍କାର ଟିଗ୍ରେଗୋସଙ୍କୁ ଟେକନିକାଲ୍ ସୁପରିଅରିଟି ଭିତ୍ତିରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଥିଲେ। ଏହି ମୁକାବିଲାରେ ଦହିୟା ପ୍ରଥମରୁ ମନ୍ଥରତା ଦେଖାଇଥିଲେ। କିନ୍ତୁ ପ୍ରଥମ ରାଉଣ୍ଡ୍ ଶେଷ ସୁଦ୍ଧା ସେ ୩-୨ରେ ଆଗୁଆ ରହିଥିଲେ। ଦ୍ବିତୀୟ ରାଉଣ୍ଡରେ ସେ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ୮ ପଏଣ୍ଟ୍ ଅର୍ଜନ କରିବା ସହ ତାଙ୍କ କଲମ୍ବିଆ ପ୍ରତିଦ୍ବନ୍ଦ୍ବୀଙ୍କୁ ଦମଦାର ତରିକାରେ ମାତ୍ ଦେଇଥିଲେ। ପରେ ସେମିଫାଇନାଲରେ ମଧ୍ୟ ସେ ତାଙ୍କର ଏହି ଦବଦବା କାଏମ ରଖିବାରେ ସକ୍ଷମ ହୋଇଥିଲେ। ଏହି ପର୍ଯ୍ୟାୟରେ ସେ ବୁଲଗେରିଆର ଭାଙ୍ଗେଲୋଭ୍ ଭାଲେଣ୍ଟିନୋଭଙ୍କୁ ପୁନର୍ବାର ୧୪-୪ ବ୍ୟବଧାନରେ ଟେକନିକାଲ୍ ସୁପରିଅରିଟିରେ ହରାଇଛନ୍ତି। ଏଥିସହ ଭାରତ ପାଇଁ ଦୁଇ ରେସଲର୍ ପଦକ ଆଶା ଜାଗ୍ରତ କରିଛନ୍ତି। ତେବେ ୧୯ ବର୍ଷୀୟା ମହିଳା ରେସଲର୍ ଅଂଶୁ ମଲିକ ଆଗକୁ ବଢ଼ିବାରେ ବିଫଳ ହୋଇଛନ୍ତି। ଏସିଆନ୍ ଚାମ୍ପିଅନଶିପରେ ସ୍ବର୍ଣ୍ଣପଦକ ଜିତି ଟୋକିଓ ଟିକେଟ୍ ପାଇଥିବା ଏହି ପ୍ରତିଯୋଗୀ ଜଣକ ୩ୟ ସିଡ୍ ବେଲାରୁଷର ଇରିନା କୁରାଚକିନାଙ୍କଠାରୁ ପ୍ରଥମ ରାଉଣ୍ଡ୍ ମୁକାବିଲାରେ ୨-୮ରେ ପରାସ୍ତ ହୋଇଛନ୍ତି। କୁରାଚକିନା ଫାଇନାଲରେ ପହଞ୍ଚିବାର ଆଶା ଥିବାରୁ ଅଂଶୁ ରିପଚେଜ୍ ରାଉଣ୍ଡ୍ ମାଧ୍ୟମରେ ପଦକ ପାଇଁ ଏବେ ବି ଆଶା ରଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।