୧୬ କୋଟିର ଇଞ୍ଜେକ୍ସନ: କାହାକୁ ବଞ୍ଚାଇ ପାରୁନି ତ କାହା ପାଇଁ ସଞ୍ଜୀବନୀ

ଚାଲିଗଲେ ଦେବିକା ଆୟାଂଶ ପାଇଲେ ପୁନର୍ଜନ୍ମ

ପିତାମାତାଙ୍କ ସହ ବେଦିକା (ବାମ) ଓ ଆୟାଂଶ
କାମ ଦେଲାନି ବହୁ କୋଟିର ଇଞ୍ଜେକ୍ସନ। ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ, ବ୍ୟୟବହୁଳ ଚିକିତ୍ସା ଓ ଆଧୁନିକ ମେଡିକାଲ ସାଇନ୍ସର ବରଦାନ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଗଲା ୧୩ ମାସର କୁନିଝିଅ ବେଦିକା। ଜୀବନ କ’ଣ ବୁଝିବା ଆଗରୁ ଛିଡିଗଲା ବେଦିକାର ଜୀବନ ଡୋରି। ବେଦିକାଙ୍କ ଜୀବନ ପାଇଁ ଅଣ୍ଟା ଭିଡ଼ିଥିଲେ ହଜାର ହଜାର ଲୋକ। କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ଠୁଳ ହୋଇଥିଲା କୋଟି କୋଟି ହୋଇ ୧୬ କୋଟି ଟଙ୍କା। ସାତଦରିଆ ପାରିରୁ ଆସିଥିଲା ସଂଜୀବନୀ। ପ୍ରାର୍ଥନା, ଟଙ୍କା, ଇଞ୍ଜେକ୍ସନ ଆଉ ପିତାମାତାଙ୍କ ଆକୁଳ ନିବେଦନ ଶେଷରେ ନିରର୍ଥକ ପ୍ରମାଣିତ ହୋଇଛି। ଆଖି ବୁଜି ଦେଇଛି କୁନି ଝିଅ। ଅପରପକ୍ଷେ ଏହି ବ୍ୟୟବହୁଳ ଇଞ୍ଜେକ୍ସନ ହାଇଦ୍ରାବାଦର ୩ ବର୍ଷୀୟ ଆୟାଂଶଙ୍କୁ ପୁନର୍ଜନ୍ମ ଦେଇଛି।

ଇଞ୍ଜେକ୍ସନ ଆସିଥିଲା ଆମେରିକାରୁ। ବିଭିନ୍ନ ପରୀକ୍ଷଣ ପରେ ପ୍ରୟୋଗ ହୋଇଥିଲା କୁନି ଝିଅର ଶରୀରରେ। ଆଶା କରାଯାଉଥିଲା ୧୬ କୋଟିର ଏହି ବିଦେଶୀ ଟିକା ନିଶ୍ଚୟ କିଛି ଯାଦୁ ଦେଖାଇବ। ସବୁ କିଛି ଠିକ୍ ମଧ୍ୟ ମନେହୋଇଥିଲା। କିଛି ଦିନର ନିରୀକ୍ଷଣ ପରେ ମେଡିକାଲରୁ ମୁକ୍ତି ପାଇଥିଲା ଝିଅଟି। ଆଶ୍ବସ୍ତ ହେଲେ ପରିବାର। କୁନି ଝିଅର ଖିଲିଖିଲି ହସ ଦେଖିଥିଲା ଘର। ଗୁରୁଣ୍ଡି ଗୁରୁଣ୍ଡି ଖେଳ ଆରମ୍ଭ କରିଥିଲା ବେଦିକା। କିନ୍ତୁ ଶିଶୁର ହସ ତିଷ୍ଟିଲାନି ବେଶୀ ଦିନ। ହଠାତ ମାଡି ଆସିଲା କାଳର କଳାପଞ୍ଝା। ଅଚାନକ ବେଦିକାର ଅକ୍ସିଜେନ ସ୍ତର କମିବାକୁ ଲାଗିଲା। ତୁରନ୍ତ ପାଖ ହସ୍ପିଟାଲରେ ଭର୍ତ୍ତି କରାଗଲା। ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା କିନ୍ତୁ ବଞ୍ଚାଇପାରିଲାନି ଏହି କୁନି ଝିଅକୁ।

ବେଦିକା ୧୩ ମାସର ଶିଶୁଟିଏ। ଘର ମହାରାଷ୍ଟ୍ରର ପୁଣେରେ। ନିଜର ଏକ ଜନ୍ମଗତ ବିରଳ ରୋଗ ପାଇଁ ସେ ସୋସାଲ ମିଡିଆରେ ଚର୍ଚ୍ଚିତ ଥିଲେ। ଜନ୍ମର ଦୁଇ ତିନିମାସ ପରେ ଝିଅଟିର ଶରୀରରେ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା। ପରିବାର ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ପରୀକ୍ଷଣ ପରେ ଜଣାପଡିଲା ଝିଅଟି ଜେନେଟିକ ସ୍ପାଇନାଲ ମସକ୍ୟୁଲାର ଏଟ୍ରୋଫି ଭଳି ବିରଳ ରୋଗରେ ପୀଡିତ, ଯେଉଁଥିରୁ ଆରୋଗ୍ୟ ମଧ୍ୟ ବିରଳ। ଏହାର ଚିକିତ୍ସା ବ୍ୟୟବହୁଳ। ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଲାଗିଲେ ଯାଇ ବଞ୍ଚିପାରେ ଝିଅ। ତଥାପି ଝିଅକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କଲେ ବାପା ସୌରଭ ଶିନ୍ଦେ। ସୋସାଲ ମିଡିଆରେ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ। ଦେଶ ବିଦେଶର ହିତାକାଂକ୍ଷୀଙ୍କ ଠାରୁ ଯୋଗାଡ କଲେ ଟଙ୍କା। ଆମେରିକାରୁ ଆସିଲା ଇଞ୍ଜେକ୍ସନ। ଭାରତ ସରକାର ଏହା ଉପରୁ ଶୁଳ୍କ ବି ଛାଡ କଲେ। ଜୁନ୍ ୧୫ ତାରିଖରେ ପୁଣେସ୍ଥିତ ଦିନାନାଥ ମଙ୍ଗେଶକର ହସ୍ପିଟାଲରେ ଦିଆଗଲା ଇଞ୍ଜେକ୍ସନ। ଏହାପରେ ଧିରେ ଧିରେ ସୁଧୁରିଲା ବେଦିକାର ସ୍ୱାସ୍ଥ୍ୟ। କିନ୍ତୁ ବିଧିର ବିଧାନ ଅଲଂଘ୍ୟ। ରବିବାର ହଠାତ୍ ବେଦିକା ଅସୁସ୍ଥ ହୋଇପଡିଲା। ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ବଞ୍ଚିଲା ନି ବେଦିକା।

ଜେନେଟିକ ସ୍ପାଇନାଲ ମସକ୍ୟୁଲାର ଏଟ୍ରୋଫି କ’ଣ ?
ଡାକ୍ତରଙ୍କ ମତରେ ଏହି ରୋଗ ହେଲେ ଶରୀରର ମାଂସପେଶୀ କାମ କରେ ନାହିଁ। ଫଳରେ ସ୍ପାଇନାଲ୍ କର୍ଡ ଦ୍ୱାରା ମାଂଶପେଶୀ ନିୟନ୍ତ୍ରଣ ହୋଇପାରେ ନାହିଁ। ଏହା ବଂଶଗତ ସ୍ନାୟବିକ ରୋଗ। ଏହି ରୋଗ ହେଲେ ପିଲାଟି ବସିବା, ଖାଇବା ଏମିତି କି ନିଃଶ୍ୱାସ ବି ନେଇପାରେ ନାହିଁ। ପ୍ରତି ୧୦ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣେ ଏହି ବିରଳ ରୋଗରେ ଆକ୍ରାନ୍ତ ହୁଅନ୍ତି। ଅଧିକାଂଶ ଶିଶୁ ୨ ବର୍ଷରୁ ଅଧିକ ଦିନ ଜୀବିତ ରହିପାରନ୍ତି ନାହିଁ। ତଥ୍ୟ ଅନୁୟାୟୀ ଏବେ ଭାରତରେ ପାଖାପାଖି ୮ଶହ ଶିଶୁ ଏହି ବିରଳ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଶରୀରର ଏସଏମଏନ-୧ ଜିନ୍ କମ୍ କାରଣରୁ ହୋଇଥାଏ। ଏଥିରେ ଆକ୍ରାନ୍ତଙ୍କ ଛାତି ଓ ମାଂସପେଶୀ ଦୁର୍ବଳ ହୋଇପଡେ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଏହି ରୋଗ ବିଶେଷ ଭାବେ ଶିଶୁ ମାନଙ୍କ ଠାରେ ଦେଖା ଦେଇଥାଏ। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଶିଶୁ ମାନଙ୍କ ମଧ୍ୟରେ ବ୍ରିଟେନର ଶିଶୁଙ୍କ ସଂଖ୍ୟା ସର୍ବାଧିକ। ସେଠାରେ ବାର୍ଷିକ ଜନ୍ମ ହେଉଥିବା ମୋଟ ଶିଶୁ ମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଶିଶୁଙ୍କ ଠାରେ ଏହି ରୋଗ ଦେଖା ଦେଇଥାଏ। ଆମ ଦେଶରେ ଏବେ ଏଭଳି ୮୦୦ ରୋଗାକ୍ରାନ୍ତ ଶିଶୁ ଓ ସେମାନଙ୍କର ପରିବାର ଜୀବନ ସଂଘର୍ଷର ସନ୍ଧିକ୍ଷଣରେ ଦହଗଞ୍ଜ ହେଉଛନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବ୍ରିଟେନରେ ଏହି ରୋଗ ଅଧିକ ଭାବେ ଦେଖା ଦେଉଥିଲେ ବି ସେଠାରେ ଏହାର ଔଷଧ ପ୍ରସ୍ତୁତ କରାଯାଇପାରି ନାହିଁ। ଏହି ରୋଗ ପାଇଁ ଦିଆଯାଉଥିବା ଇଞ୍ଜେକ୍ସନର ନାମ ‘ଜୋଲଗେନ୍ସମା’। ବ୍ରିଟେନ ଏହି ଇଞ୍ଜେକ୍ସନ ଜର୍ମାନ, ଜାପାନ ଓ ଆମେରିକା ଠାରୁ କିଣିଥାଏ। ଏସଏମଏ ରୋଗରେ ପୀଡିତ ଶିଶୁ ମାନଙ୍କୁ ଏହି ଇଞ୍ଜେକ୍ସନର ମାତ୍ର ଗୋଟିଏ ଡୋଜ ଦିଆଯାଇଥାଏ। ‘ଜୋଲଗେନ୍ସମା’ ଇଞ୍ଜେକ୍ସନ ଏହି ୩ଟି ଜିନ୍ ଥେରାପି ପାଇଁ ବ୍ୟବହାର କରାଯାଇଥାଏ। ଯାହାକି କେବଳ ୟୁରୋପୀୟ ଦେଶ ମାନଙ୍କରେ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଛି। ଯେଉଁଥି ପାଇଁ ଏହି ଇଞ୍ଜେକ୍ସନ ଏତେ ମହଙ୍ଗା ହୋଇଛି।

୩ ବର୍ଷ ପୂର୍ବରୁ ଏହି ରୋଗର ଚିକିତ୍ସା ହୋଇପାରୁ ନ ଥିଲା। ମାତ୍ର ୨୦୧୭ରେ ବହୁ ଗବେଷଣା ପରେ ଏହି ଇଞ୍ଜେକ୍ସନର ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଏହି ଇଞ୍ଜେକ୍ସନ ୧୫ ଜଣ ଶିଶୁଙ୍କ ଠାରେ ପ୍ରୟୋଗ କରାଯାଇଥିଲା। ଯାହା ବି ସଫଳ ହୋଇ ନ ଥିଲା। କାରଣ ଇଞ୍ଜେକ୍ସନ ନେଇଥିବା ୧୫ ଜଣ ଯାକ ଶିଶୁ ୨୦ ସପ୍ତାହ ପରେ ମୃତ୍ୟୁ ବରଣ କରିଥିଲେ।

ଅନେକଙ୍କ ପାଇଁ ବରଦାନ ହେଉଛି ଏହି ଇଞ୍ଜେକ୍ସନ
ତିନି ବର୍ଷୀୟ ଆୟାଂଶର ଭାଗ୍ୟ କିନ୍ତୁ ଟାଣ। ବିରଳ ରୋଗରେ ଆକ୍ରାନ୍ତ ପରେ ପରିବାର ଛାଡିଦେଇଥିଲେ ଆଶା। କିନ୍ତୁ ଯମ ମୁହଁରୁ ଟାଣି ଆଣିଲା ୬୫ ହଜାର ଲୋକଙ୍କ ଆଶୀର୍ବାଦ। ହାଇଦ୍ରାବାଦର ଏହି ଶିଶୁ ୧୬ କୋଟିର ଦାମୀ ଜୋଲଗେନ୍ସମା ଇଞ୍ଜେକ୍ସନ ନେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଆୟାନ୍ ଗୁପ୍ତାଙ୍କ ପରିବାର ନିଜ ଦମରେ ଏତେ ପରିମାଣର ଅର୍ଥ ସଂଗ୍ରହ କରିବା ମୁସ୍କିଲ ଥିଲା। ତାଙ୍କୁ ନୂଆ ଜୀବନ ଦେବା ପାଇଁ ଏକ ଅନଲାଇନ୍ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଦେଖୁ ଦେଖୁ ହଜାର ହଜାର ଲୋକ ଏଥିରେ ଯୋଗ ଦେଇଥିଲେ। କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ଠୁଳ ହୋଇଥିଲା ୧୪.୮୪ କୋଟି। ଭାରତ ସରକାର ମାନବିକତା ଦୃଷ୍ଟିରୁ ଛାଡ଼ କରିଥିଲେ ୬ କୋଟିର ଆମଦାନି ଶୁଳ୍କ। ଏହି ଅଭିଯାନରେ ୬୨,୪୫୦ ଲୋକ ସହଯୋଗ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।