ମଣିଷ ପାଲଟିଛି ପଶୁ: ନିଷ୍ଠୁର ଓ ଅମାନବିକତାର ଶିକାର ଜୀବଜନ୍ତୁ


ପ୍ରତୀକାତ୍ମକ ଫଟୋ
ଦିନକୁ ଦିନ ପଶୁପକ୍ଷୀ ମାନଙ୍କ ଉପରେ ମଣିଷର କ୍ରୁରତାର ଏକାଧିକ କାହାଣୀ ସାମ୍ନାକୁ ଆସିଛି। ବିନା କାରଣରେ ଜୀବଜନ୍ତୁଙ୍କୁ ହତ୍ୟା ମଣିଷର ଚରିତ୍ରକୁ ପୁଙ୍ଗୁଳା କରିବାରେ ଲାଗିଛି। ନିକଟରେ ଗଞ୍ଜାମ ଜିଲ୍ଲାରେ ରାସ୍ତା କଡ଼ରୁ ଗୁରୁତର ଅବସ୍ଥାରେ ଏକ ଓଟ ଉଦ୍ଧାର ହୋଇଥିଲା। ବର୍ଷ ବର୍ଷ ଧରି ବୋଝ ବୋହି ମାଲିକକୁ ଜୀବିକା ଦେଉଥିବା ଓଟ ବୁଢା ହେବା ପରେ ଅଲୋଡା ପାଲଟିଯାଇଥିଲା। ବୁଢା ଓଟକୁ ମାଲିକ ଆଉ ଖାଇବାକୁ ନ ଦେଇ ରାସ୍ତା କଡ଼ରେ ଛାଡି ଛୁ ମାରିଥିଲା। ଅସୁସ୍ଥ ଓ ରୋଗାକ୍ରାନ୍ତ ଓଟଟି କେବଳ ମଣିଷ ମାନଙ୍କୁ ବଲବଲ ହୋଇ ଚାହିଁ ରହିଥିଲା। ଗତ ଦୁଇବର୍ଷ ତଳେ କେରଳରେ ଏକ ଗର୍ଭବତୀ ହାତୀକୁ ବିସ୍ପୋଟକ ଭରା ସପୁରୀ ଖୁଆଇବାକୁ ଦିଆଯାଇଥିବା ଘଟଣା ଏବେ ବି ଅନେକଙ୍କ ମନରେ ଥିବ। ସେହି ମର୍ମନ୍ତୁଦ ଘଟଣାରେ ଗର୍ଭବତୀ ହାତୀଟିର ଫାଟି ଯାଇଥିଲା ପେଟ। ହାତୀଟି ଯନ୍ତ୍ରଣାରେ ଏକ ଜଳଭର୍ତ୍ତି ପୋଖରୀରେ ଠିଆ ରହି ରହି ମୃତ୍ୟୁବରଣ କରିଥିଲା। ଏହି ଘଟଣାର ଅଳ୍ପ କିଛି ଦିନ ପରେ ରାଜସ୍ଥାନରେ ଦେଖିବାକୁ ମିଳିଥିଲା ଆଉ ଏକ ଜଘନ୍ୟ ଦୃଶ୍ୟ। ନିଜର ପୈଶାଚିକ ଆନନ୍ଦକୁ ଉପଭୋଗ ପାଇଁ କେତେକ ଯୁବକ କୁରାଢ଼ିରେ ଏକ ଓଟର ଗୋଡ଼କୁ ହାଣିଦେଇ ରାସ୍ତାରେ ଛାଡି ଦେଇଥିଲେ। ଚୁରୁର ସାଜନସର ଗ୍ରାମରେ ଏକ ଓଟ ଜନୈକ ଚାଷୀଙ୍କ କ୍ଷେତରେ ପଶି ଫସଲ ଖାଇଦେଇଥିବାରୁ ରାଗରେ ମଣିଷପଣିଆ ହରାଇଥିଲେ ଏହି ପିଶାଚମାନେ।

ଗତବର୍ଷ ସୋସିଆଲ ମିଡିଆରେ ଏକ ଫଟୋ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଫଟୋଟି ଦେଖିବା ପରେ ଲୋକଙ୍କ ରାଗ ଏଭଳି ଥିଲା ଯେ ବାଧ୍ୟ ହୋଇ ନାଗାଲ୍ୟାଣ୍ଡରେ କୁକୁର ଚାଲାଣ ଓ ରନ୍ଧା ମାଂସ ପରିବେଷଣ ଉପରେ ଲାଗିଥିଲା ରୋକ। ଘଟଣାଟି ଥିଲା ଏଭଳି। କୁକୁର ମାଂସର ଚାହିଦା ପୁରାଣ ପାଇଁ ପଶ୍ଚିମବଙ୍ଗରୁ ବସ୍ତାରେ ପ୍ୟାକ ହୋଇ ଯାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ନାଗାଲ୍ୟାଣ୍ଡ ଲୋକଙ୍କ କୁକୁର ମାଂସ ଲୋଭ ପାଇଁ ଶହ ଶହ କୁକୁରଙ୍କୁ ଅତ୍ୟନ୍ତ ନିଷ୍ତୁରତାର ସହିତ ଜିଅନ୍ତା ବସ୍ତାରେ ଭର୍ତ୍ତି କରି ଚାଲାଣ କରାଯାଉଥିବା ଦୃଶ୍ୟକୁ ହଜମ କରିପାରି ନ ଥିଲେ ପଶୁପ୍ରେମୀ। ବ୍ୟାପକ ଭାବେ ପ୍ରତିବାଦ କରାଯିବା ପରେ ନାଗାଲ୍ୟାଣ୍ଡରେ କୁକୁର ଚାଲାଣ ଓ ମାଂସ ଉପରେ ରୋକ ଲଗାଇ ଦେଇଛନ୍ତି। କିନ୍ତୁ ନାଗାଲ୍ୟାଣ୍ଡରେ ଯେ କୁକୁର ମାନଙ୍କ ଉପରେ ଆଉ ଅତ୍ୟାଚାର ହେଉନି, ଏହା କୁହାଯାଇ ପାରିବ ନାହିଁ। ହାଇଦ୍ରାବାଦରେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ଅଳିଆଗଦାରେ ଶୋଇଥିବା ବେଳେ କିଛି ଲୋକ ୪ଟି କୁକୁର ଛୁଆଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପରେ ୪ଟି କୁକୁରଙ୍କ ମଧ୍ୟରୁ ୩ଟିର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅଧା ପୋଡ଼ିଯାଇଥିବା କୁକୁର ଛୁଆକୁ ପଶୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କର ପରିଚୟ ମିଳି ପାରି ନ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଏହି ଘଟଣାକୁ ନେଇ ପଶୁ କଲ୍ୟାଣ ସଂଗଠନର ଜଣେ ସଦସ୍ୟ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ କୌଣସି କାରଣ ନ ଥାଇ ସ୍ଥାନୀୟ ଲୋକମାନେ ଏଭଳି ଅପରାଧ କରିଥିବା ଜାଣିବାକୁ ପାଇଛି ପୋଲିସ। ଯେଉଁଥି ପାଇଁ ୩ଟି କୁକୁର ଛୁଆଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଅଭିଯୋଗ ହେବା ପରେ ପୋଲିସକୁ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହି ଘଟଣା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି। କୌଣସି କାରଣ ନଥାଇ ମଣିଷ ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତାର ଅନେକ ନମୁନା ଏବେ ଗୋଟିଏ ପରେ ଗୋଟିଏ ଘଟିବାରେ ଲାଗିଛି।

କେବେ ଲାଭ ଲୋଭ ପାଇଁ ତ କେବେ କ୍ଷତି ପାଇଁ ନିଷ୍ଠୁରତା
ସାପକୁ ପେଡ଼ିରେ ରଖି ଗାଁ ଦାଣ୍ଡରେ ଖେଳାଇ ପେଟ ପୋଷୁଥିବା ସାପୁଆ କେଳା ସମ୍ପ୍ରଦାୟ ଆଇନକୁ ଡରି ଆଉ ଏ ପ୍ରକାର ବୃତ୍ତିରେ ନିୟୋଜିତ ନାହାନ୍ତି ସତ, କିନ୍ତୁ ଜଙ୍ଗଲରୁ ବେଆଇନ ବିଷଧର ସାପ ଧରି ବାହାରକୁ ଚାଲାଣ କରିବା ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅତୀତରେ ଶୀତତାପ ନିୟନ୍ତ୍ରିତ ଟ୍ରେନ ଭିତରୁ ଅହିରାଜ ଭଳି ଅତି ଭୟଙ୍କର ସାପ ଜବତ ହେବା ଏଭଳି ଘଟଣାର ଏକ ନିଚ୍ଛକ ପ୍ରମାଣ। ଅତୀତରେ ସର୍କସ ଗୁଡିକରେ ଜୀବଜନ୍ତୁ ମାନଙ୍କ ଉପରେ ନିଷ୍ଠୁର ଆଚରଣ ପ୍ରଦର୍ଶିତ କରାଯାଉଥିଲା। ହାତୀ ଫୁଟବଲ ଖେଳୁଥିଲା, ଭାଲୁ ସାଇକେଲ ବାହୁଥିଲା ଓ ମାଙ୍କଡ଼ ଘୁଙ୍ଗୁର ପିନ୍ଧି ନାଚ କରୁଥିଲା। ଏବେ ସେ ଧାରା ଆଉ ନାହିଁ। କିନ୍ତୁ ବିଷ ଦେଇ, ଫାଶ ପକାଇ, ଗୁଳି କରି ଜୀବଜନ୍ତୁଙ୍କୁ ହତ୍ୟା ଓ ଚାଲାଣ କରାଯାଉଛି।

୩୦୦ କୁକୁରଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା
ନିକଟରେ ୩୦୦ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆ ଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ। ମରିଯିବା ପରେ ଏହି କୁକୁର ଗୁଡିକୁ ଗୋଦାବରୀ ଜିଲ୍ଲାର ଏକ ନଦୀ କୂଳରେ ପୋତି ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି ପ୍ରାଣୀ ମାନଙ୍କ ପାଇଁ କାମ କରୁଥିବା ସ୍ବେଛାସେବୀ। ଫାଇଟ ଫର ଆନିମଲ ନାମକ ଏକ ସାମାଜିକ ସଂଗଠନର କର୍ମୀ ଲଲିତାଙ୍କ ଅନୁଯାୟୀ ଗୋଦାବରୀ ଜିଲ୍ଲାର ଲିଙ୍ଗପାଲମ ପଞ୍ଚାୟତର ଏକ ଗ୍ରାମର ଲୋକମାନେ କୁକୁରକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶେଷରେ ଗ୍ରାମବାସୀ କୁକୁରଙ୍କ ବନ୍ଧ୍ୟାକରଣ କରିବା ବଦଳରେ ସେମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ। ଏଥିରେ ୩୦୦ କୁକୁରଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ପୋଲିସ ଧାରା ୪୨୯ ଏବଂ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନୁୟାୟୀ ୧୯୬୦ ଧାରା ୧୧(ଏଲ) ଅନୁଯାୟୀ ମାମଲା ରୁଜୁ କରିଛି। କିନ୍ତୁ କାହାରିକୁ ଗିରଫ କରାଯାଇନାହିଁ।

ଫଳ ଖାଇଦେବାରୁ ଗାଈକୁ ଛୁରା ମାଡ
ମହାରାଷ୍ଟ୍ରର ରାୟଗଡାରେ ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି। ସେଠାକାର ଜଣେ ଫଳ ଦୋକାନୀ ରାଗରେ ଅନ୍ଧ ହୋଇ ସାମାନ୍ୟ ଏକ ଫଳ ପାଇଁ ଗାଈର ପେଟରେ ଛୁରି ଭୁଶି ଦେଇଛି। ଗୋଟିଏ ଅମୃତଭଣ୍ଡା ଖାଇ ଦେଇଥିବାରୁ ଦୋକାନୀ ତୈଫିକ୍ ବଶିର ମୁଜାୱାରି ଏପରି ଅମଣିଷ କାମ କରିଛି। ସୂଚନା ଅନୁଯାୟୀ ରାସ୍ତାରେ ବୁଲୁଥିବା ଗାଈ ମୁଜାୱାରିଙ୍କ ଦୋକାନରେ ପ୍ରବେଶ କରି ଗୋଟିଏ ଅମୃତଭଣ୍ଡା ଖାଇ ଦେଇଥିଲା। ଦୋକାନୀ ଜଣଙ୍କ ରାଗରେ ଉତ୍ତେଜିତ ହୋଇ ଗାଈର ପେଟରେ ଛୁରି ଭୁଶି ପେଟରୁ ଅମୃତଭଣ୍ଡା ବାହାର କରିଥିଲା। ଗାଈ ପେଟରୁ ଅମୃତଭଣ୍ଡା ବାହାର କରିବା ପରେ ନିଜ ଦୋକାନରେ କିଛି ନଜାଣିଲା ପରି ବସିଗଲା ଦୋକାନୀ। ସ୍ଥାନୀୟ ଲୋକେ ଗାଈ ଶରୀରରୁ ରକ୍ତ ବାହାରୁଥିବା ଦେଖି ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେଇଥିଲେ। ଗାଈ ମାଲିକର ଅଭିଯୋଗ କ୍ରମେ ପୋଲିସ ଫଳ ଦୋକାନୀକୁ ଗିରଫ କରିଛି।

ପାକିସ୍ଥାନ ବିକିବ କୁକୁର
କାଙ୍ଗାଳ ପାକିସ୍ଥାନ ଏବେ କୁକୁର ବିକିବ। ତାହା ପୁଣି ବୁଲା କୁକୁର। ବିକିବ ତାର ମିତ୍ର ଦେଶ ଚୀନକୁ। ଚୀନ ଲୋକ କୁକୁର ମାଂସ ଖାଆନ୍ତି। ତେଣୁ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ଥାନ ରାସ୍ତାରେ ବୁଲୁଥିବା ବୁଲା କୁକୁରଙ୍କୁ ବିକିବା ସ୍ଥିତିରେ ଆସି ପହଞ୍ଚିଲାଣି। ପାକିସ୍ଥାନର ସିନ୍ଧ ପ୍ରଦେଶ ବିଧାନସଭାରେ ସ୍ପିକର ଆଗା ସିରାଜ ଦୁରାନୀ ଏପରି ପ୍ରସ୍ତାବ ଆଗତ କରିଛନ୍ତି। ଚୀନ ସମେତ ଫିଲିପାଇନ୍ସକୁ ବୁଲା କୁକୁର ରପ୍ତାନୀ କରିବାକୁ ପ୍ରସ୍ତାବ ରଖାଯାଇଛି। ଏହି ସୁପାରିସ ପାକିସ୍ଥାନ ତେହରିକ-ଏ-ଇନସାଫ ବିଧାୟକ ଡା: ସୀମା ଜିୟାଙ୍କ ଦ୍ଵାରା ଆଗତ କରାଯାଇଥିଲା। ଯାହାକୁ ସରକାର ଏବଂ ବିପକ୍ଷ ସଦସ୍ୟ ମାନଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିଲା। ପାକିସ୍ଥାନରେ ଅହେତୁକ ଭାବରେ ବଂଶ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ପ୍ରଜନନ ହ୍ରାସ କରିବା ପାଇଁ ବନ୍ଧ୍ୟାକରଣ ଟିକା ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଟିକାର ଅଭାବ ଦେଖାଦେଲା। ପାକିସ୍ଥାନରେ ଅନେକ ସମୟରେ ଅତ୍ୟନ୍ତ ନିଷ୍ଠୁର ଭାବରେ ଶହ ଶହ ବୁଲା କୁକରଙ୍କୁ ସାମୁହିକ ହତ୍ୟା କରା ଯାଇଥାଏ। କାରଣ ଏଠାରେ ପଶୁ ନିଷ୍ଠୁରତା ଆଇନ ବୋଲି କିଛି ନାହିଁ। ପାକିସ୍ଥାନର ଏକ ରିପୋର୍ଟ ଅନୁଯାୟୀ କେବଳ କରାଚୀ ସହରରେ ପାଖାପାଖି ଏକ ଲକ୍ଷ ବୁଲା କୁକୁର ଅଛନ୍ତି। ପଶୁ ନିଷ୍ଠୁରତା ଉପରେ କାମ କରୁଥିବା ଅନ୍ତର୍ଜାତୀୟ ସଂଗଠନ ଗୁଡିକ ପାକିସ୍ଥାନର ଏଭଳି ଆଚରଣକୁ ନେଇ ନିରବ ରହିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।