ଆଜି ବନ୍ଧୁତ୍ୱ ଦିବସ: ନିଆରା ସମ୍ପର୍କର ପରିଭାଷା

ଜାଣନ୍ତୁ କାହିଁକି, କେବେଠୁ ଓ କିଭଳି ଏହା ପାଳନ କରାଯାଏ

ପ୍ରତୀକାତ୍ମକ ଫଟୋ
ବନ୍ଧୁ କେବଳ ମାତ୍ର ଏକ ଶବ୍ଦ ନୁହେଁ, ଏହା ହେଉଛି ଗୋଟିଏ ସୁନ୍ଦର ଉଷ୍ମ ଅନୁଭବ। ପ୍ରେମ, ବିଶ୍ୱାସ ଓ ଆବେଗରେ ଯିଏ ଆମକୁ ବାନ୍ଧି ରଖେ, ସେ ହେଉଛି ବନ୍ଧୁ। ଜୀବନର ପ୍ରତିକୂଳ ପରିସ୍ଥିତିରେ ଲଢ଼ି ଯିଏ ଛାଇ ପରି ଆମ ପାଖରେ ଠିଆ ହୋଇ ରହେ, ସେ ହେଉଛନ୍ତି ବନ୍ଧୁ। ଆଉ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ଯିଏ ଆମ ହାତ ଛାଡ଼ି ଯାଏ ନାହିଁ, ସେ ହେଉଛି ପ୍ରକୃତ ବନ୍ଧୁ। ବନ୍ଧୁର ଏହି ପରିଭାଷା ସମୟର କଷଟି ପଥରରେ ବାରମ୍ବାର ପ୍ରମାଣିତ ହୋଇଛି। ସେଇଥି ପାଇଁ ତ ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ବନ୍ଧୁଙ୍କୁ ଦିଆଯାଇଛି ଏକ ନିଆରା ଆସନ। ଆଉ ବନ୍ଧୁ ପାଇଁ ସାରା ବିଶ୍ୱ ଏକାଠି ହୋଇ ଉତ୍ସର୍ଗ କରିଛି ଗୋଟିଏ ଦିନ। ଖାସ ଏଥି ପାଇଁ ଗୋଟିଏ ଦିନକୁ ବନ୍ଧୁତ୍ୱ ଉତ୍ସବ ଭାବେ ପାଳନ କରିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ବନ୍ଧୁତ୍ୱ ଦିବସର ପରିକଳ୍ପନା ହୋଇଥିଲା। ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ଦିନଟିର ମହତ୍ତ୍ବ ବିଶ୍ୱ ସ୍ତରରେ ବୃଦ୍ଧିପାଇଛି। ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ।

ଭାରତୀୟ ମାନେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ମାନିଥାନ୍ତି। ତେବେ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହା ଅନୁଭବ କରାଇବା ଗୋଟିଏ ଦିନର କାଳଖଣ୍ଡ ଭିତରେ ବନ୍ଧାଯାଇ ପାରେନା। କିନ୍ତୁ ଦିବସ ପାଳନ ଜରିଆରେ ଏହାର ବିଶେଷତ୍ୱର ବ୍ୟାପକ ପ୍ରଚାର ପ୍ରସାର କରାଯାଇଥାଏ। କୋରୋନା ମହାମାରୀ ସାଙ୍ଗକୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ବଳବତ୍ତର ଥିବା ସପ୍ତାହାନ୍ତ ଶଟଡାଉନ ଏହି ଦିବସର ପାଳନକୁ ଫିକା କରିଦେଇଛି। ଏହି ଦିନରେ ମୁଖ୍ୟତଃ ପରସ୍ପରକୁ ଚକୋଲେଟ, ଗ୍ରୀଟିଙ୍ଗ୍‌ସ କାର୍ଡ ଓ ଉପହାର ଦେଇ ବନ୍ଧୁତ୍ୱକୁ ଜାହିର କରିବାର ଦିନଟିଏ ହୋଇଥିଲେ ହେଁ ପୁଣି ଥରେ କୋରୋନା କଟକଣା କାରଣରୁ ବଜାର ବନ୍ଦ ଥିବାରୁ ଏଭଳି କରିହେବନି। ପରସ୍ପରକୁ ଫ୍ରେଣ୍ଡ୍‌ଶିପ୍ ବ୍ୟାଣ୍ଡ୍ ବଦଳରେ ଅନଲାଇନ ଜରିଆରେ ଉପହାର ଓ ବ୍ୟାଣ୍ଡ ପଠାଇ ବନ୍ଧୁତ୍ୱର ଉତ୍ସବକୁ ମନେପକାଇ ହେବ।

ପୂର୍ବରୁ କେବଳ ବିଦେଶରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥଲା। କିନ୍ତୁ ଏବେ ଏହା ଆମ ଦେଶରେ ଖୁବ୍ ଧୁମଧାମରେ ପାଳିତ ହେଉଛି। ଭାରତରେ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଫ୍ରେଣ୍ଡଶିପ୍‌ ଡେ’ ପାଳନ କରାଯାଏ। ଭାରତ ସହିତ ବାଂଲାଦେଶ, ମାଲେସିଆ ଓ ୟୁଏଇରେ ମଧ୍ୟ ଅଗଷ୍ଟ ମାସ ପ୍ରଥମ ରବିବାର ଫ୍ରେଣ୍ଡ୍‌ଶିପ୍ ଡେ’ ପାଳିତ ହେଉଛି। କୁହାଯାଏ ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନର ଅୟମାରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକାରେ ଜୋର ଧରିବା ଆରମ୍ଭ କରିଥିଲେ ବି ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା। ଗ୍ରୀଟିଙ୍ଗ୍‌ସ କାର୍ଡ ପ୍ରସ୍ତୁତକାରୀ କମ୍ପାନୀମାନେ ଏହାକୁ ପ୍ରୋତ୍ସାହିତ କରୁଥିଲେ। ୧୯୫୮ ମସିହାରେ ପ୍ରଥମ ଥର ପାଇଁ ଏହାକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ପ୍ରସ୍ତାବ ଆସିଥିଲା।

କେମିତି ହେଲା ଆରମ୍ଭ
‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ପ୍ରଥମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରତିଷ୍ଠାତା ଥିଲେ ପାରାଗୁଏର ଡକ୍ଟର ରମନ ଆର୍ଟେମିଓ ବ୍ରାଚୋ। ସେହିବର୍ଷ ଜୁଲାଇ ୨୦ ତାରିଖରେ ସେ ପାରାଗୁଏର ପ୍ୟୁର୍ଟୋ ପିନାସ୍କୋ ସହରରେ ତାଙ୍କ ସାଙ୍ଗମାନଙ୍କ ସହିତ ରାତ୍ରଭୋଜନ କରୁଥିବା ବେଳେ ‘ବିଶ୍ୱ ବନ୍ଧୁତ୍ୱ ଦିବସ’ ପାଳନର ପ୍ରସ୍ତାବ ଦେଇଥିଲେ। ସେହି ରାତିରେ ହିଁ ‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍‌’ ପ୍ରତିଷ୍ଠା ହୋଇଥିଲା ଓ ଜୁଲାଇ ୩୦ ତାରିଖରେ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଜୁଲାଇ ୩୦ ତାରିଖକୁ ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିବାକୁ ସଂଗଠନ ପକ୍ଷରୁ ଜାତିସଂଘ ନିକଟରେ ନିବେଦନ କରାଯାଇଥିଲା। ବହୁ ପ୍ରୟାସ ପରେ ଶେଷରେ ୨୦୧୧ ଏପ୍ରିଲ୍ ୨୭ ତାରିଖରେ ଜାତିସଂଘ ଜୁଲାଇ ୩୦ ତାରିଖକୁ ‘ଇଣ୍ଟରନ୍ୟାଶ୍‌ନାଲ୍ ଫ୍ରେଣ୍ଡଶିପ୍ ଡେ’ ବା ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିଥିଲେ। ଅନ୍ୟ ଏକ ସୂତ୍ର ଅନୁଯାୟୀ ୧୯୩୫ ମସିହା ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ଆମେରିକା ସରକାର ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଆଉ ଏହି ଦୁଃଖରେ ମୃତକଙ୍କର ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଉଭୟଙ୍କ ମଧ୍ୟରେ ଏହି ନିବିଡ଼ତା ଦେଖି ସରକାର ମଧ୍ୟ ହତବାକ୍‌ ହୋଇଯାଇଥିଲେ। ତେବେ ଏହି ଦିନଟିକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଦକ୍ଷିଣ ଆମେରିକାବାସୀ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍‌ ଡେ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ। ଆମେରିକାରୁ ଏହି ପ୍ରଥା ଆରମ୍ଭ ହୋଇ ଏବେ ସାରା ବିଶ୍ୱରେ ଚାଲିଛି।

ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଏ। ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବୋଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍‌ରେ ଜୁଲାଇ ୨୦, କଲମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ଇକ୍ବେଡର୍‌ରେ ଜୁଲାଇ ୧୪, ମ୍ୟାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍‌ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ଫ୍ରେଣ୍ଡଶିପ୍ ବ୍ୟାଣ୍ଡର କନସେପ୍ଟ ମଧ୍ୟ ଏଇଠୁ ଆରମ୍ଭ ହୋଇଥିଲା। ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା। କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ। ତେବେ ଗତ ୧୦ ବର୍ଷ ହେବ ଏହା ଭାରତୀୟଙ୍କ ସହ ସକ୍ରିୟ ଭାବେ ଯୋଡ଼ିହୋଇଛି। କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନ ରହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏଥିପାଇଁ ଦେଶ ତଥା ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅନେକାଂଶରେ ସାବାସୀ ମିଳିବା କଥା। ବୋଧହୁଏ, ବିନା ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡଶିପ ଡେକୁ ଆଜି ଯେଉଁ ଆକାର ଓ ପ୍ରକାରରେ ଦେଖୁଛେ, ତାହା ଦେଖିବା ସମ୍ଭବପର ହୋଇ ନ ଥାନ୍ତା।

୧୯୫୮ରୁ ଆମେରିକା କଂଗ୍ରେସର ପ୍ରସ୍ତାବ ପରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ ଡେ ଭାବେ ପାଳନ କରାଯାଉଥିଲା। ପରେ ଏହି ପରମ୍ପରା ଅନ୍ୟ ଦେଶଗୁଡିକୁ ବ୍ୟାପିଥିଲା। ବିଭିନ୍ନ ଦେଶ ଜୁଲାଇ ୩୧ର ଫ୍ରେଣ୍ଡସିପ୍ ଡେ ବ୍ୟତୀତ ଏଇ ପ୍ରଥମ ରବିବାରକୁ ମଧ୍ୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି। ତେବେ ଏ ଦିନ ଏବେ ଲୋକପ୍ରିୟତାର ଶୀର୍ଷରେ। ପର୍ବ କିମ୍ୱା ଉତ୍ସବ କେତେ ବଡ଼, ତାହା ଲୋକଙ୍କ ଉତ୍ସାହ ନିର୍ଦ୍ଧାରଣ କରେ। ଏକଥା ଏହି ବନ୍ଧୁତ୍ୱ ଦିବସ ଅଳ୍ପେ ବହୁତ ପ୍ରମାଣ କରିଛି। ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବ ଏକ ପାର୍ବଣ ଦିବସ ଭାବେ ମାନିଲେଣି। ଏ ଦିନରେ ପୁରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନ ହେଲେ ଅତିକମରେ ହ୍ୱାଟସ୍ ଆପରେ ମେସଜରେ ଶୁଭେଚ୍ଛା ପହଞ୍ଚୁଛି। ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି। ଏଭଳି ଏକ ଦିନ ସମ୍ପର୍କର ଗୁରୁତ୍ୱ ବଢାଇବା ସହ ଆବେଗକୁ ଟାଣ କରିଛି। ତେବେ ଏଥରର କରୋନା ମହାମାରୀ ଏ ଦିନକୁ ଫିକା କରିଛି। ସାମାଜିକ ଦୂରତ୍ୱ କଟକଣା ଯୋଗୁଁ ବଣଭୋଜିର ଆୟୋଜନ କିମ୍ୱା ପରସ୍ପରକୁ ଆଲିଙ୍ଗନ ଟିକିଏ କରିବାର ଇଚ୍ଛା ମଧ୍ୟ ଫିକା ପଡିଛି। ତଥାପି ଅନଲାଇନ ଦୁନିଆରେ ରାଜ୍ୟ ତଥା ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ପରସ୍ପରକୁ ଶୁଭେଚ୍ଛା, ଅଭିନନ୍ଦନ ଦେଉଛନ୍ତି ଓ ବନ୍ଧୁତ୍ୱର ଡୋରକୁ ଆହୁରି ମଜଭୁତ୍ କରୁଛନ୍ତି। ଅନେକ ଆଶା କରୁଥିଲେ ଯେ ୨୦୨୧ ଅଗଷ୍ଟ ପ୍ରଥମ ରବିବାର ବେଳକୁ ବଜାର ଖୋଲିଯାଇଥିବ ଓ ସ୍ୱାଭାବିକ ହୋଇଯାଇଥିବ ଜୀବନଯାତ୍ରା। କିନ୍ତୁ ସେଭଳି ହୋଇ ନାହିଁ। ଏବେ ବି କଟକ ଓ ଖୋର୍ଦ୍ଧା ସମେତ ଅନେକ ଅଞ୍ଚଳରେ ଦୈନିକ ସଂକ୍ରମଣ ହ୍ରାସ ପାଇନାହିଁ। ଦ୍ବୈତ ମହାନଗରୀ କଟକ ଓ ଭୁବନେଶ୍ୱରରେ ବଳବତ୍ତର ରହିଛି ସପ୍ତାହାନ୍ତ ଶଟଡାଉନ। କଟକ ଓ ଭୁବନେଶ୍ୱରରେ ଏଥର ମଧ୍ୟ ବନ୍ଧୁତ୍ୱ ଦିବସ ଅନଲାଇନ ଶୁଭେଚ୍ଛା ଜରିଆରେ ସୀମିତ ରହିଥିବା ଦେଖିବାକୁ ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।