କାୟା ବଦଳାଉଛି ସରକାରୀ ସ୍କୁଲ୍‌: ଛାତ୍ରଛାତ୍ରୀ ଆକର୍ଷିତ


ମାଲକାନଗିରି ଜିଲ୍ଲାରେ ଥିବା ମାଙ୍ଗପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆକର୍ଷଣୀୟ ନବକଳେବର
ବିଦ୍ୟାଳୟକୁ ମଣିଷ ତିଆରି କାରଖାନା ବୋଲି କୁହାଯାଏ। ଯେଉଁଠି ପିଲାମାନଙ୍କର ଭବିଷ୍ୟତ ଓ ଚରିତ୍ର ଗଠନର ମୂଳଦୁଆ ପଡ଼ିଥାଏ। ପିଲାମାନଙ୍କ ପାଇଁ ଦ୍ବିତୀୟ ଘର ସଦୃଶ ହୋଇଥାଏ ବିଦ୍ୟାଳୟ। ଘର ବ୍ୟତୀତ ପିଲାମାନେ ଏଠି ଅଧିକ ସମୟ ବିତାଇଥାନ୍ତି। ଏଥିପାଇଁ ପ୍ରତ୍ୟେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଉତ୍ତମ ପରିବେଶ, ଶୈକ୍ଷିକ ବାତାବରଣ ଯୁକ୍ତ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ସ୍ବପ୍ନ ଦେଖିଥାନ୍ତି। ଏଥିପାଇଁ ବୋଧହୁଏ ଏବେ ଛତୁ ଫୁଟିବା ଭଳି ଘରୋଇ ସ୍କୁଲ୍‌ର ଉଦ୍ଭବ ହୋଇଛି। ଦିନ ଥିଲା ଯେତେବେଳେ ବାପା-ମା’ମାନେ ନିଜ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ସରକାରୀ ବିଦ୍ୟାଳୟକୁ ପଠାଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଅଭିଭାବକମାନେ ନିଜର ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ସ୍କୁଲ୍‌କୁ କେବଳ ଗରିବ ପିଲାମାନେ ହିଁ ଯାଇଥାନ୍ତି। ସେଠାରେ ପାଠପଢ଼ା ହୋଇ ନ ଥାଏ, ସେଠାକାର ପରିବେଶ ଭଲ ନ ଥାଏ। ସେଠି ଘରୋଇ ସ୍କୁଲ୍‌ ଭଳି ସୁବିଧା ସୁଯୋଗ ନ ଥାଏ ବୋଲି ମନରେ ଭ୍ରାନ୍ତ ଧାରଣା ବସା ବାନ୍ଧିଛି। କିନ୍ତୁ ଏବେ ବଦଳିଛି ସମୟ। ଏବେ ଘରୋଇ ସ୍କୁଲ୍‌ ଠାରୁ କୌଣସି ଗୁଣରେ କମ୍‌ ନୁହେଁ ସରକାରୀ ସ୍କୁଲ୍‌। ଓଡ଼ିଶାରେ ଏମିତି ଅନେକ ସରକାରୀ ସ୍କୁଲ୍‌ ଅଛି, ଯାହାକି ଘରୋଇ ସ୍କୁଲ୍‌ଠାରୁ ବହୁ ଗୁଣରେ ଅଧିକ। ସ୍ମାର୍ଟ କ୍ଳାସ୍‌ରୁମ୍‌, କଳାପଟା ବଦଳରେ ଡିଜିଟାଲ୍‌ ସ୍କ୍ରିନ୍‌, ସ୍ମାର୍ଟ ଲାଇବ୍ରେରୀ, ଲାବୋରେଟୋରୀ ଏମିତି କେତେ କ’ଣ ସୁବିଧା ଯୋଡ଼ି ହୋଇ ଯାଇଛି ସରକାରୀ ସ୍କୁଲ୍‌ରେ। ଏଥିସହ ସୁନ୍ଦର ଭାବେ ଏବେ ନୂଆବୋହୂ ପରି ସଜେଇ ହୋଇଛି ଅନେକ ସ୍କୁଲ୍‌। ସ୍କୁଲ୍‌ ପରିସରରେ ସୁନ୍ଦର ବଗିଚା ଠାରୁ ଆରମ୍ଭ କରି କନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର ଏହାର ଶୋଭାବର୍ଦ୍ଧନ କରୁଛନ୍ତି। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆସ୍ଥା ହରାଇ ବସିଥିବା ସରକାରୀ ସ୍କୁଲ୍‌ ପୁଣିଥରେ ସେମାନଙ୍କୁ ନିଜ କୋଳକୁ ଫେରାଇ ଆଣିବାରେ ସମର୍ଥ ହୋଇଛି।

‘ମୋ ସ୍କୁଲ୍‌’ ବଦଳାଇଦେଇଛି ଚିତ୍ର
ସରକାରୀ ସ୍କୁଲ୍‌ଗୁଡ଼ିକର ଚିତ୍ର ବଦଳାଇ ଦେଇଛି ‘ମୋ ସ୍କୁଲ୍‌’ ଯୋଜନା। ସ୍କୁଲ୍‌ର ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ୍‌ ହୋଇ ସ୍କୁଲ୍‌ର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହା ଫଳରେ ଦିନକୁ ଦିନ ସରକାରୀ ସ୍କୁଲ୍‌ର ଚିତ୍ର ବଦଳିବା ସହ ସ୍କୁଲ୍‌ ଏବେ ସ୍ମାର୍ଟ ସ୍କୁଲ୍‌ ହେବାରେ ଲାଗିଛି। ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରୁଥିବା ଅନୁଦାନରେ ବିଜ୍ଞାନାଗାର, କମ୍ପ୍ୟୁଟର ଲାବ୍‌, ଲାଇବ୍ରେରୀ, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତମ ଶୌଚାଳୟ, ଥଣ୍ଡା ପାନୀୟ ଜଳ, ଡିଜିଟାଲ ସ୍କ୍ରିନ୍‌ ଓ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟକ୍ରମ କରାଯାଉଛି। ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶରେ ସାମିଲ୍‌ ହୋଇଛି ମୋ ସ୍କୁଲ୍ ଅଭିଯାନ। ୨୦୧୭ ମସିହାରେ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ସ୍କୁଲ୍ ଆଡପସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଧାରା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୪୮ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନରେ ସାମିଲ୍‌ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ମୋ ସ୍କୁଲ୍ ଅଭିଯାନରେ ସାମିଲ୍‌ ହୋଇଛି। ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ବାଲେଶ୍ୱରରେ ସର୍ବାଧିକ ୧.୭୫ କୋଟି, କଟକରେ ୩୫ ଲକ୍ଷ ୭୪ ହଜାର, ବରଗଡ଼ରେ ୨୧ ଲକ୍ଷ ୪୫ ହଜାର, ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଏବଂ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି। ଏଠାରେ କେତେକ ସରକାରୀ ବିଦ୍ୟାଳୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯେଉଁସବୁ ଅନ୍ୟ ବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଛନ୍ତି।

ପାଇକରାପୁର ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ
ଦୀର୍ଘ ୪୪ ବର୍ଷର ପୁରାତନ ବିଦ୍ୟାଳୟର ଚେହେରା ବଦଳାଇ ଦେଇଛନ୍ତି ପୁରାତନ ଛାତ୍ରଛାତ୍ରୀ। ବିଦ୍ୟାଳୟର କାନ୍ଥବାଡ଼ଠାରୁ ଆରମ୍ଭ କରି ଶ୍ରେଣୀଗୃହରେ ରଙ୍ଗବେରଙ୍ଗର ଚିତ୍ର ଏବେ ସଭିଁଙ୍କ ମନ ମୋହୁଛି। ଏଥିସହ ବିଦ୍ୟାଳୟ ପରିସରରେ ମୟୁରଙ୍କ ନୃତ୍ୟ ସାଙ୍ଗକୁ ଉଦ୍ୟାନ ଓ ଶିଶୁ ବାଟିକା ସମସ୍ତଙ୍କୁ ଆକୃଷ୍ଣ କରୁଛି। ଆମେ କହୁଛୁ, ରାଜଧାନୀ ଉପକଣ୍ଠ ପାଇକରାପୁରସ୍ଥିତ ପଞ୍ଚାୟତ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ କଥା। ସ୍କୁଲ୍‌ ଅଗଣାରେ ଗଢ଼ି ଉଠିଥିବା ଉଦ୍ୟାନରେ ରହିଛି ଔଷଧୀୟ ବୃକ୍ଷ, ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ପନିପରିବା ବଗିଚା। ସ୍କୁଲ୍‌ କାନ୍ଥରେ ପିଲାଙ୍କ ପାଠପଢ଼ାର କାହାଣୀକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି। ବିଦ୍ୟାଳୟ ପରିସରରେ ଖେଳକୁଦ ପାଇଁ ତିଆରି ହୋଇଛି ଶିଶୁ ବାଟିକା। ଏଥିସହ ବିଦ୍ୟାଳୟର ମୁଖ୍ୟ ଆକର୍ଷଣ ସାଜିଛି କୃତ୍ରିମ ଜଳପ୍ରପାତ। ସେହିପରି ପିଲାମାନଙ୍କ ପାଇଁ ମଧ୍ୟ ଗଣିତ ଉଦ୍ୟାନର ପରିକଳ୍ପନା କରାଯାଇଛି। ପିଲାଙ୍କ ଶିକ୍ଷା ସହ ସୌନ୍ଦର୍ଯ୍ୟକରଣ ପାଇଁ ତ୍ରିକୋଣ, ଚର୍ତୁଭୁଜ, ଗୋଲେଇ, ୩-ଡି, ୨-ଡି ଆକୃତିର ମଡେଲ୍‌ ସବୁ ପ୍ରସ୍ତୁତ କରାଯାଇଛି। ଏଣୁ ପିଲାମାନେ ହସଖୁସିରେ ଏଠି ଗଣିତ ପଢ଼ୁଛନ୍ତି। କେବଳ ସେତିକି ନୁହେଁ ପିଲାମାନଙ୍କ ପାଇଁ ପ୍ରାକୃତିକ ଓ ସ୍ବାସ୍ଥ୍ୟକର ପରିବେଶ ଏହି ବିଦ୍ୟାଳୟରେ ରହିଛି। ପିଲାଙ୍କ ପାଠପଢ଼ା ସାଙ୍ଗକୁ ଦକ୍ଷତା ବିକାଶ ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା ମଧ୍ୟ ଏଠି କରାଯାଇଛି।

ମାଙ୍ଗପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଥିବା ମାଙ୍ଗପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିଲେ ସରକାରୀ ସ୍କୁଲ୍‌ ପ୍ରତି ଥିବା ଧାରଣ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ। ପିଲାମାନଙ୍କୁ ଏଠାରେ ପଢ଼ାଇବା ପାଇଁ ମନ ବଳିବ। ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଥିବା ଅଭିଭାବକମାନଙ୍କୁ ନିଶ୍ଚିତ ଭାବେ ଏହି ସରକାରୀ ବିଦ୍ୟାଳୟ ଆକର୍ଷିତ କରିବ। ବିଦ୍ୟାଳୟଟି ବାହାରୁ ମନ୍ଦିର ଭଳି ଦେଖାଯାଉଛି। ଭିତରକୁ ଗଲେ ପାର୍କର ଭ୍ରମ ସୃଷ୍ଟି ହେଉଛି। କିନ୍ତୁ ଏହା ମନ୍ଦିର ନୁହେଁ କି କୌଣସି ପାର୍କ ନୁହେଁ। ଏହା ଏକ ଶିକ୍ଷାନୁଷ୍ଠାନ। ସୁନ୍ଦର ପରିବେଶ ଓ ଶୈଖିକ ବାତାବରଣ ପାଇଁ ଏହା ଓଡ଼ିଶା ସମସ୍ତ ଓଡ଼ିଶା ତଥା ଓଡ଼ିଶା ବାହାରେ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିଦ୍ୟାଳୟ ପରିସରରେ ଗଣେଶ, ସରସ୍ବତୀ, ବୁଦ୍ଧ ଏବଂ ସୁଭାଷ ବୋଷଙ୍କର ଏକ ଆକର୍ଷଣୀୟ ମୂର୍ତ୍ତି ରହିଥିବା ବେଳେ ଏକ ପାର୍କ ମଧ୍ୟ ରହିଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ବେଶ୍‌ ଆକର୍ଷିତ କରୁଛି।  ବର୍ତ୍ତମାନ ଏହି ବିଦ୍ୟାଳୟଟି ଆଦର୍ଶ ବିଦ୍ୟାଳୟ ତାଲିକାରେ ରହିଛି। ସ୍କୁଲ୍‌ ପ୍ରଵେଶ ଦ୍ୱାରଠୁ ପିଲାମାନେ ପାଠ ପଢ଼ିବା ଆରମ୍ଭ କରିଥାନ୍ତି। ବିଭିନ୍ନ ପ୍ରକାର ଚିତ୍ର ମାଧ୍ୟମରେ ପିଲାମାନେ ଏହା ଉପଭୋଗ କରି ବୁଲି ବୁଲି ପାଠ ପଢ଼ି ପାରୁଛନ୍ତି। ଶ୍ରେଣୀ ଗୃହ ମଧ୍ୟ ପରିଷ୍କାର ପରିଛନ୍ନ। ତେବେ ଏଭଳି ଭାବରେ ଏହି ସ୍କୁଲ୍‌କୁ ସଜେଇଛନ୍ତି ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ପିଲାମାନେ। ତେବେ ଏହି ସବୁର ମୁଖ୍ୟ ପରିଚାଳକ ହେଉଛନ୍ତି ଏହି ସ୍କୁଲ୍‌ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ।

କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ପାଇଁ ଏବେ ଉଦାହରଣ ପାଲଟିଛି। ବେସରକାରୀ ବିଦ୍ୟାଳୟକୁ ଶିକ୍ଷା, ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣରେ ପଛରେ ପକାଇ ଦେଇଛି ଏହି ସରକାରୀ ବିଦ୍ୟାଳୟ। ଏହି ସ୍କୁଲ୍‌ ବାଟ ଦେଇ ଯିଏ ଥରେ ଯାଉଛି, ଘଡ଼ିଏ ସେଇଠି ଅଟକି ରହୁଛି। ସ୍କୁଲ୍‌କୁ ଟ୍ରେନ୍‌ ଭଳି ସଜାଇ ଦିଆଯାଇଛି। ଟ୍ରେନ୍‌ର ନାଁ ରହିଛି ପାତାଳୀ ଏକ୍ସପ୍ରେସ୍। ଆଉ ଷ୍ଟେସନ୍‌ର ନାମ କରାଇଝୁଲି। ଏହି ଟ୍ରେନ୍‌ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଯାଉଛି ବୋଲି ଲେଖାଅଛି। ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଛି। ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ ମଡେଲ୍‌ ନିର୍ମାଣ ହୋଇଛି, ଯାହାଦ୍ୱାରା କି ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆଗ୍ରହୀ ହେବେ। ସ୍ବଚ୍ଛ, ସବୁଜ ଓ ସୁନ୍ଦର ଶୈକ୍ଷିକ ପରିବେଶ ସମସ୍ତଙ୍କ ନଜରରେ ଭିନ୍ନ ପରିଚୟ ସୃଷ୍ଟି କରୁଛି। ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଦ୍ୟାଳୟକୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବିଦ୍ୟାଳୟର ପ୍ରାଚୀର, ସାଇକେଲ୍‌ ଷ୍ଟାଣ୍ଡ୍‌, ଶୌଚାଳୟ, ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଆଙ୍କିବା ସହ ବଗିଚା ପ୍ରସ୍ତୁତ ହୋଇଛି। ବିଦ୍ୟାଳୟ ବଗିଚାରେ ଭଳକି ଭଳି ଫୁଲ ଗଛ ଲାଗିଛି। ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇଛି। ସେହିପରି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଲାଇବ୍ରେରୀର ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ କାନ୍ଥରେ ଦେଶ ଓ ରାଜ୍ୟର ପ୍ରାକ୍ତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ନାମ ରହିଛି। କବିକୃତି କାନ୍ଥରେ ବିଶିଷ୍ଟ କବିଙ୍କ ନାମ ଓ ଫଟୋଚିତ୍ର ଅଙ୍କନ ହୋଇଛି। ବିଶିଷ୍ଟ କ୍ରୀଡାବିତ୍‌ଙ୍କ ବିଷୟରେ ପିଲାମାନେ ଜାଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ଚିତ୍ତ ବିନୋଦନ ପାଇଁ ପାର୍କ ଓ ଦୋଳି ରହିଛି।

ଅଙ୍ଗନବାଡ଼ି କେନ୍ଦ୍ର ବି କମ୍‌ ନୁହେଁ
ଆକର୍ଷଣୀୟ ଶିକ୍ଷା ଉପକରଣ ଏବଂ ଅତ୍ୟାଧୁନିକ ଶୈଳୀର ପାଠପଢ଼ା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନେ ମନବଳାଉଥିବା ବେଳେ ଏବେ ଅଙ୍ଗନବାଡ଼ି କେନ୍ଦ୍ରର ବଦଳୁଥିବା ରୂପରେଖ ସମସ୍ତଙ୍କୁ ଆକର୍ଷିତ କରୁଛି। ଓଡ଼ିଶାରେ ଏବେ ଅନେକ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଗଢ଼ି ଉଠିଛି, ଯାହା ଘରୋଇ ପ୍ଲେସ୍କୁଲ୍‌ ଠାରୁ ଢ଼େର ଉର୍ଦ୍ଧ୍ବରେ। କେଉଁଠି କାନ୍ଥରେ ଲେଖା ହୋଇଛି ସଚେତନତାର ବାର୍ତ୍ତା ତ ଆଉ କେଉଁଠି ଚିତ୍ରିତ ହୋଇଛି ପଶୁ ପକ୍ଷୀଙ୍କ ଛବି। ଆଉ ଛାତକୁ ଏଭଳି ସଜାଯାଇଛି ଯେ, ତାହା ଆକଶର ଭ୍ରମ ସୃଷ୍ଟି କରୁଛି। ତଳେ ପଡ଼ିଛି ପରିସ୍କାର ପରିଚ୍ଛନ୍ନ ମ୍ୟାଟ୍। ପିଲାଙ୍କ ବସିବା ପାଇଁ ରହିଛି ବିଭିନ୍ନ ରଙ୍ଗର ଆକର୍ଷଣୀୟ ଚେୟାର ଏବଂ ଟେବଲ୍। ଗାଁରେ ଥାଇ ବି ସହରୀ ବାତାବରଣ ଅନୁଭବ କରିବା ଲାଗି ପିଲାମାନଙ୍କ ପାଇଁ ଗଢ଼ା ଯାଇଛି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର। କେନ୍ଦ୍ରାପଡ଼ା, ମାଲକାନାଗରି ଆଦି ଜିଲ୍ଲାରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ଏବେ ସଭିଁଙ୍କୁ ଆକର୍ଷିତ କରୁଛି।

କେବଳ ଏହି କେତୋଟି ସ୍କୁଲ୍‌ ନୁହେଁ, ସାରା ଓଡ଼ିଶାରେ ରହିଛି ଏମିତି ଅନେକ ସ୍କୁଲ୍‌, ଯାହାକି ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ସହଯୋଗରେ ଖୁବ୍‌ ସୁନ୍ଦର ହେବା ସହ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶୈକ୍ଷିକ ମାନ ବା ଗୁଣବତ୍ତା ଘରୋଇ କି ସରକାରୀ ଉଭୟ ଭାବନାଠାରୁ ଉର୍ଦ୍ଧ୍ବରେ। ଶିକ୍ଷାର ମାନ ନିର୍ଭର କରେ ଶିକ୍ଷକମାନଙ୍କ ଅଙ୍ଗୀକାରବଦ୍ଧତାରେ। ଯାହା ପ୍ରତିଫଳିତ ହୋଇଥାଏ ପିଲାମାନଙ୍କ ସାମଗ୍ରିକ ବିକାଶରେ। ଶିକ୍ଷାର ମାନ କହିଲେ ଖାଲି ପିଲା ପାଉଥିବା ଡିଭିଜନ ବା ରଖୁଥିବା ନମ୍ବରକୁ ବୁଝାଏ ନାହିଁ। ଏହା ଶିଶୁର ଅନୁଷ୍ଠାନିକ ଜ୍ଞାନ ଉପରେ ନିର୍ଭରଶୀଳ। ଯାହାକି ଶାରୀରିକ, ମାନସିକ, ସାମାଜିକ ଓ ନୈତିକ ବିକାଶ ସହ ପ୍ରସ୍ପୁଠିତ ହୋଇଥାଏ। ଏଭଳି ଏକ ଗୁରୁ ଦାୟିତ୍ୱ ବହନ କରିଥାଏ ବିଦ୍ୟାଳୟ ଯାହାକି ସଠିକ୍‌ ଭାବରେ ଗଢ଼ିଥାଏ ପିଲାଙ୍କୁ। ତେଣୁ ବିଦ୍ୟାଳୟ ସରକାରୀ ହେଉ କିମ୍ବା ବେସରକାରୀ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଏହାର ଗୁଣବତ୍ତା କେତେ ତାହା ଅଧିକ ମହତ୍ତ୍ବ ରଖେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।