ଜଙ୍ଗଲରେ ଅଛନ୍ତି ମାତ୍ର ୩୯୦୦ ବାଘ


ପ୍ରତୀକାତ୍ମକ ଫଟୋ
କେରଳ-ତାମିଲନାଡ଼ୁ ସୀମାରେ ଥିବା ଏକ ମନ୍ଦିର ନିକଟରୁ କେରଳ ବନ ବିଭାଗ ଏକ ବାଘ ଶିଶୁକୁ ଉଦ୍ଧାର କରିଥିଲା। ଶିଶୁଟିର ମା’ ତାକୁ ଆଣି ମନ୍ଦିର ନିକଟରେ ଛାଡ଼ି ଚାଲିଯାଇଥିଲା। ବାଘଛୁଆଟି ବହୁତ ଦୁର୍ବଳ ହୋଇପଡ଼ିଥିଲା। ବନ ବିଭାଗ ଏହାର ନାମ ଦେଇଥିଲେ ମଙ୍ଗଳା। ମଙ୍ଗଳା ବନ ବିଭାଗର ପ୍ରତ୍ୟକ୍ଷ ହେପାଜତରେ ୯ ମାସ ରହିବା ପରେ ଏବେ ନିଜେ ଶିକାର କରିପାରିବାର ଶକ୍ତି ପାଇଛି। ମଙ୍ଗଳାକୁ ପଶ୍ଚିମଘାଟ ପର୍ବତମାଳାର ପେରିଆର ସଂରକ୍ଷିତ ଜଙ୍ଗଲରେ ନେଟିଂ କରାଯାଇ ରଖାଯାଇଥିବା ବେଳେ ଜୁଲାଇ ୨୯ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ତାକୁ ପୂର୍ଣ୍ଣ ସ୍ବାଧୀନତା ଦେବା ସହ ଜଙ୍ଗଲ ଭିତରକୁ ଛାଡ଼ି ଦିଆଯାଇଛି। ଜଙ୍ଗଲ ଜନ୍ତୁ ଜଙ୍ଗଲ ଭିତରେ ରହିଲେ ହିଁ ଠିକ ହୋଇପାରିବେ ବୋଲି ବନ ବିଭାଗ ଓ ପରିବେଶବିତମାନେ ପୂର୍ବରୁ ମତପୋଷଣ କରିଛନ୍ତି।

ସମୟ ଥିଲା ଯେତେବେଳେ ବାଘ ସଂଖ୍ୟା କ୍ରମଶଃ ବିଲୁପ୍ତ ହେବାକୁ ଆରମ୍ଭ କରିଥିଲା। କିନ୍ତୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ମାନଙ୍କ ସହଯୋଗ ଫଳରେ ବିଲୁପ୍ତମୁଖୀ ବାଘ ସଂଖ୍ୟା ପୁଣିଥରେ ବଢ଼ିବାକୁ ଆରମ୍ଭ କରିଛି। ଦେଶରେ ସଫଳତାର ସହ ବ୍ୟାଘ୍ର ପ୍ରକଳ୍ପ ପରିଚାଳନା ବାଘ ବଂଶ ବୃଦ୍ଧିରେ ସହାୟକ ହୋଇପାରିଛି। ବାଘ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ବିଶ୍ବ ସ୍ତରରେ ଜୁଲାଇ ୨୯କୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଇଥାଏ।

ସର୍ବ ପ୍ରଥମେ ୨୦୧୦ ମସିହାରେ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଏକ ସମ୍ମିଳନୀରେ ବ୍ୟାଘ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତାବ ଉଠିଥିଲା। ଏହାପରେ ସାମୂହିକ ଭାବେ ନିଷ୍ପତ୍ତି ନିଆଯାଇ ଜୁଲାଇ ୨୯ରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ଆରମ୍ଭ ହେଲା। ଉଦ୍ଦେଶ୍ୟ ଥିଲା, ଏହି ବିଶାଳ ଓ ଶକ୍ତିଶାଳୀ ଜଙ୍ଗଲୀ ଜନ୍ତୁଟିକୁ ବିଲୁପ୍ତିରୁ ରକ୍ଷା କରିବା। ତା’ ପୂର୍ବରୁ ବାଘ ଶିକାରୀମାନେ ବ୍ୟାପକ ଶିକାର କରୁଥିଲେ ଏବଂ ବିଭିନ୍ନ ଦେଶରେ ସେମାନଙ୍କୁ ସମ୍ମାନ ମଧ୍ୟ ମିଳୁଥିଲା। ଜଙ୍ଗଲ ଭିତରେ ଶିକାରୀ ଗୁଳିରେ ଘାଇଲା ବାଘ ପରବର୍ତ୍ତୀ ସମୟରେ ନରଖାଦକ ହୋଇ ଦୌରାତ୍ମ୍ୟ ସୃଷ୍ଟି କରୁଥିଲା ଏବଂ ଜନ-ଜନ୍ତୁ ବିବାଦର କାରଣ ପାଲଟିଥିଲା। ଏଭଳି ଏକ ଦିବସ ଜରିଆରେ ବ୍ୟାଘ୍ର ସୁରକ୍ଷା ସହ ବ୍ୟାପକ ସଚେତନତା କରାଯାଇଆସୁଛି।

ବାଘ ପାଇଁ ଦିନେ ନାଁ ଥିଲା, ଏବେ ବିରଳ
ବାଘ ସଂଖ୍ୟାକୁ ନେଇ ଦିନେ ଶିମିଳିପାଳ ବିଶ୍ବର ନଜରରେ ଥିଲା। ଏହାର ପରିସଂସ୍ଥା ବାଘଙ୍କ ପାଇଁ ଉପଯୁକ୍ତ ବୋଲି ମତ ପ୍ରକାଶ ପାଉଥିଲା। ବିରଳ କଳାବାଘ ପାଇଁ ଚର୍ଚ୍ଚିତ ଶିମିଳିପାଳ ବହୁ ଅତୀତରୁ ବାଘୁଣୀ ଖଇରୀ ପାଇଁ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ଏବେ ସମୟ ଏପରି ଯେ ବାଘ ସଂଖ୍ୟା କେତେ ତାକୁ ନେଇ ବିଗତ ୩-୪ ବର୍ଷ ହେଲା କେନ୍ଦ୍ର-ରାଜ୍ୟ ମଧ୍ୟରେ ତୁତୁ ମେମେ ଚାଲିଛି। ସ୍ଥାନୀୟ ବାସିନ୍ଦା ଅନେକ ବର୍ଷ ଧରି ବାଘର ଛାଇ ସୁଦ୍ଧା ଦେଖିନାହାନ୍ତି କି ବାଘ ଦ୍ବାରା କେହି ଆହତ ହେବାର ଖବର ମଧ୍ୟ ଶୁଣି ନାହାନ୍ତି।

୨୦୧୮ ବ୍ୟାଘ୍ର ଗଣନାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ରାଜ୍ୟରେ ୨୮ ଓ ଶିମିଳିପାଳରେ ୯ଟି ବାଘ ଥିବା କହିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଚିତ୍ର ଅଲଗା ଥିଲା। କୁହାଯାଇଥିଲା ଯେ ଶିମିଳିପାଳରେ ୯ ନୁହେଁ, ଅଛନ୍ତି ୧୭ଟି ବାଘ। ତେବେ ଗତବର୍ଷ ଶିମିଳିପାଳରେ ହୋଇଥିବା ଫେଜ-୪ ତଦାରଖରେ ୯ଟି ବାଘୁଣୀ, ୩ଟି ବାଘ ଓ ୨ଟି ଛୁଆ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଆଗାମୀ ଅକ୍ଟୋବର ମାସରେ ବର୍ଷାଋତୁ ପରେ ପରେ ଶିମିଳିପାଳର ବ୍ୟାଘ୍ର ଗଣନା ଆରମ୍ଭ ହେବ। ଜାନୁଆରୀରେ ରିପୋର୍ଟ ଆସିଲେ ସଦ୍ୟ ତଥ୍ୟ ଜଣାପଡ଼ିବ।

ବାଘ ବଢ଼ୁଛନ୍ତି, ବଢ଼ୁନି ଘଞ୍ଚ ଜଙ୍ଗଲ
୨୦୧୦ରେ ଦେଶରେ ବାଘ ସଂଖ୍ୟା ୧୭୦୬ ଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୨୬ରେ ପହଞ୍ଚିଥିଲା। ଏଥିରୁ ସ୍ପଷ୍ଟ ଯେ ଦେଶରେ ବାଘ ସଂଖ୍ୟା ବଢ଼ୁଛି। ଗତବର୍ଷ ହୋଇଥିବା ଦେଶର ବ୍ୟାଘ୍ର ଗଣନାରୁ ଏମାନଙ୍କ ସଂଖ୍ୟା ୩୩ ପ୍ରତିଶତ ବଢ଼ିଥିବା ସାମ୍ନାକୁ ଆସିଛି। କିନ୍ତୁ ବଡ଼ ସମସ୍ୟା ହେଉଛି ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ନାହିଁ। ବ୍ୟାଘ୍ର ପ୍ରକଳ୍ପର ପ୍ରାକ୍ତନ ନିର୍ଦେଶକ ରାଜେଶ ଗୋପାଳଙ୍କ କହିବା କଥା ହେଉଛି ବାଘଙ୍କ ପାଇଁ ଚାରଣ ଭୂମି ନାହିଁ। ଯେତିକି ଅଞ୍ଚଳରେ ଯେତେ ବାଘ ରହିବା କଥା ଏବେ ତା’ ଠାରୁ ଢେର ବାଘ ଅଧିକ ଅଛନ୍ତି। ଦେଶରେ ମୋଟ ୭.୦୮ ଲକ୍ଷ ବର୍ଗ କିମି ଜଙ୍ଗଲ ରହିଛି। ଏଥିରୁ ୪୪ ପ୍ରତିଶତ ଅଞ୍ଚଳ କମ ଆଚ୍ଛାଦିତ (୧୦ରୁ ୪୦ ପ୍ରତିଶତ ଘଞ୍ଚତା) ବନାଞ୍ଚଳ। ଏହା କେବେ ବି ବାଘଙ୍କ ପାଇଁ ଅନୁକୂଳ ନୁହେଁ। ମଙ୍ଗଳା ଭଳି ବାଘକୁ ଏପରି କମ ଘଞ୍ଚତା ପୂର୍ଣ୍ଣ ଜଙ୍ଗଲ କେବେ ବି ଅଭୟ ଆଶ୍ରୟ ଦେଇପାରିବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।