ନାରୀ
ପୁଅଙ୍କଠୁ କମ ନୁହେଁ ଝିଅ: ୫ ଭଉଣୀ ପ୍ରଶାସନିକ ଅଧିକରୀ, ଏକସଙ୍ଗେ ୩ କୃତକାର୍ଯ୍ୟ

ରାଜସ୍ଥାନ ପ୍ରଶାସନିକ ସେବାରେ ନିଯୁକ୍ତ ୫ ଭଉଣୀ
ମହିଳାମାନଙ୍କୁ ଯଦି ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଏ, ତେବେ ସେମାନେ ସବୁ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖିଥାନ୍ତି। ଏଭଳି ଏକ ଉଦାହରଣ ୩ ଭଉଣୀ ଦେଇଛନ୍ତି। ରାଜସ୍ଥାନର ହନୁମାନଗଡ଼ର ୩ ଭଉଣୀ ଏକସଙ୍ଗେ ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ) ପରୀକ୍ଷା ପାସ କରିଛନ୍ତି।
ପରିବରର ୫ ଝିଅ ପ୍ରଶାସନିକ ଅଧିକାରୀ ନିଯୁକ୍ତ
ସୂଚନାଯୋଗ୍ୟ ଯେ ଉକ୍ତ ପରିବାରର ୨ ଭଉଣୀ ପୂର୍ବରୁ ଅଫିସର ପଦରେ ନିଯୁକ୍ତ ଥିଲେ। ଏବେ ଏହି ୩ ଭଉଣୀ ବି ସଫଳତା ପାଇ ଦୁଇ ଭଉଣୀଙ୍କ ସହ ସାମିଲ ହୋଇଛନ୍ତି। ଏହିଭଳି ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ପଦରେ ନିଯୁକ୍ତ ହେବାରେ ସଫଳ ହୋଇଛନ୍ତି।
୩ ଭଉଣୀ ଏକସଙ୍ଗେ ପାସ କଲେ ଆରଏଏସ
ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କସାନ ଏହି ଖବରକୁ ଟ୍ବିଟରରେ ଶେୟାର କରିଛନ୍ତି। ଆରଏଏସ ପାସ କରିଥିବା ୩ ଭଉଣୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି ଏହା ଏକ ଭଲ ଖବର। ଅଂଶୁ, ରିତୁ ଓ ସୁମନ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ହେବାରେ ସଫଳ ହୋଇଛନ୍ତି। ଏମାନେ ସମସ୍ତେ ହନୁମାନଗଡ଼ର ବାସିନ୍ଦା। ୩ ଜଣ ଯାକ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷା ପାସ କରିଛନ୍ତି।
ପିତାମାତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ
ପ୍ରବୀଣ ଲେଖିଛନ୍ତି ଯେ ଏହି ୩ ଜଣ ନିଜ ମା’ ବାପାଙ୍କୁ ଗର୍ବିତ କରିଛନ୍ତି। ୫ ଭଉଣୀଙ୍କ ମଧ୍ୟରୁ ପୂର୍ବରୁ ରୋମା ଓ ମଞ୍ଜୁ ଆଇଏଏସ ଅଫିସର ଥିଲେ। ଏବେ ସହଦେବ ସହରନଙ୍କ ୫ ଝିଅ ପ୍ରଶାସନିକ ଅଧିକାରୀ ହୋଇଯାଇଛନ୍ତି। ଏହି ଖବର ଆସିବା ପରେ ସୋସାଲ ମିଡିଆରେ ଲୋକେ ଏହି ୫ ଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ସମସ୍ତେ ତାଙ୍କର ବାହାବା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଅଭିନନ୍ଦନ ଜଣାଇଲେ
ଏହି ପରୀକ୍ଷାରେ ଝୁନଝୁନର ମୁକ୍ତା ରାୱ ଟପ କରିଛନ୍ତି। ଟୋଙ୍କର ବାସିନ୍ଦା ମନମୋହନ ଶର୍ମା ଦ୍ବିତୀୟ ଓ ଜୟପୁରର ଶିୱାକ୍ଷୀ ଖଣ୍ଡାଲ ତୃତୀୟ ସ୍ଥାନରେ ଅଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ରାଜ୍ୟ ପ୍ରଶାସନିକ ସେବାରେ ଟପ କରିଥିବା ପ୍ରାର୍ଥୀଙ୍କୁ ଟ୍ବିଟ କରି ଶୁଭକାମନା ଜଣାଇଛନ୍ତି।