ଚାଷୀ ପାର୍ଲାମେଣ୍ଟ୍ ପାଇଁ ଜନ୍ତର ମନ୍ତରଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା


ଜନ୍ତର ମନ୍ତରରେ କଡ଼ା ସୁରକ୍ଷା, ସିଙ୍ଗୁ ସୀମାରେ ବସରେ ଯିବା ସକାଶେ ଚାଷୀମାନେ ପ୍ରସ୍ତୁତ
ନୂଆଦିଲ୍ଲୀ: ଦେଶର ହଜାର ହଜାର ଚାଷୀ ଗତ ବର୍ଷ ନଭେମ୍ବର ଶେଷ ସପ୍ତାହରୁ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇ ଆସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଉକ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଏହାର ନେତୃତ୍ବ ନେଉଥିବା ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ନିଜର ଦାବିକୁ ଅଧିକ ଜୋରଦାର କରିବା ସକାଶେ ଆନ୍ଦୋଳନରତ ଚାଷୀମାନେ ରାଜଧାନୀର ଜନ୍ତର ମନ୍ତରଠାରେ ଗୁରୁବାର ଚାଷୀ ପାର୍ଲାମେଣ୍ଟ୍ ପାଇଁ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପାଖାପାଖି ୨ ଶହ ଚାଷୀ ସିଙ୍ଗୁ ସୀମାରୁ ବସରେ ଭର୍ତ୍ତି ହୋଇ ଜନ୍ତର ମନ୍ତରଠାରେ ପହଞ୍ଚିବେ। ସେଠାରେ ଆନ୍ଦୋଳନ ପାଇଁ ଯଦିଓ ଚାଷୀମାନଙ୍କୁ ଅନୁମତି ଦିଆଯାଇଛି, ତଥାପି ସେମାନେ ଗତ ଜାନୁଆରୀ ୨୬ ପରି ଅନ୍ୟାନ୍ୟ କୌଣସି ଅଞ୍ଚଳକୁ ଯିବେ ନାହିଁ ବୋଲି ସରକାର ସର୍ତ୍ତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ତର ମନ୍ତରଠାରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ଚାଷୀ ଆନ୍ଦୋଳନ ଯେପରି କୌଣସି ପ୍ରକାର ସୀମା ଉଲ୍ଲଙ୍ଘନ ନ କରେ, ସେଥି ସକାଶେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଗତ ସାଧାରଣତନ୍ତ୍ର ଦିବସରେ ଚାଷୀମାନଙ୍କୁ ଟ୍ରାକ୍ଟର ରାଲି ପାଇଁ ଦିଆଯାଇଥିବା ଅନୁମତି ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିଛି। ସଦ୍ୟ ମିଳିଥିବା ସୂଚନାନୁସାରେ, ଚାଷୀମାନେ ଜନ୍ତର ମନ୍ତରଠାରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚିବାକୁ ଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେମାନେ ସିଙ୍ଗୁ ସୀମାରେ ପହଞ୍ଚିସାରିଛନ୍ତି।

ଅନ୍ୟପକ୍ଷରେ ଚାଷୀମାନଙ୍କୁ ଟିକ୍ରି ସୀମାରେ କୌଣସି ପ୍ରକାର ଆନ୍ଦୋଳନ କରିବା ସକାଶେ ଅନୁମତି ଦିଆଯାଇ ନ ଥିବା ଦିଲ୍ଲୀ ଉପକଣ୍ଠ ଅଞ୍ଚଳର ଡିସିପି ପରବିନ୍ଦର ସିଂ କହିଛନ୍ତି। ସେହିପରି ଚାଷୀ ପାର୍ଲାମେଣ୍ଟକୁ ଉତ୍ସାହିତ କରିବା ସକାଶେ ସିଙ୍ଗୁ, ଟିକ୍ରି ଓ ଗାଜିପୁର ସୀମାବର୍ତ୍ତୀ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନିନ୍ଦା କରିଛନ୍ତି। ଜନ୍ତର ମନ୍ତରଠାରେ ୨ ଶହରୁ ଊର୍ଦ୍ଧ୍ବ ଚାଷୀ ସଂସଦର ଚଳିତ ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଆନ୍ଦୋଳନ ଜାରି ରଖିବେ। ସେହିପରି ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଭାରତୀୟ କିସାନ୍ ୟୁନିଅନ୍ (ବିକେୟୁ) ମୁଖ୍ୟ ରାକେଶ ଟିକାୟତ ମଧ୍ୟ ସିଙ୍ଗୁ ସୀମାରେ ପହଞ୍ଚିସାରିଛନ୍ତି। ଚାଷୀ ପାର୍ଲାମେଣ୍ଟ୍ ସଂକ୍ରାନ୍ତରେ ଟିକାୟତ କହିଛନ୍ତି ଯେ ଆମ ଆନ୍ଦୋଳନକୁ ଇତିମଧ୍ୟରେ ୮ ମାସ ପୂରିବାକୁ ବସିଲାଣି। ଆମେ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଆସିଛୁ। ଜନ୍ତର ମନ୍ତରଠାରେ ମଧ୍ୟ ପଞ୍ଚାୟତ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିବ। ଏହାଦ୍ବାରା ଆମେ କେନ୍ଦ୍ର ସରକାରଙ୍କ ଆମ ଦାବି ବିଷୟରେ ଅଧିକ ସଠିକ୍ ଭାବେ ବୁଝାଇପାରିବାରେ ସମର୍ଥ ହେବୁ ବୋଲି ଟିକାୟତ କହିଛନ୍ତି। ୫ଟି ବସରେ ଆମ ଚାଷୀଭାଇମାନେ ଜନ୍ତର ମନ୍ତରରେ ପହଞ୍ଚିବେ ଓ ସେଠାରେ ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଟିକାୟତ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ