ପୁଣି କୂଟନୀତିଜ୍ଞଙ୍କ କନ୍ୟାଙ୍କୁ ଟାର୍ଗେଟ୍: ପୂର୍ବତନ ପାକ୍ ରାଷ୍ଟ୍ରଦୂତଙ୍କ କନ୍ୟାଙ୍କୁ ହତ୍ୟା


ନୂର୍ ମୁକଦମ (ଫାଇଲ୍ ଫଟୋ)
ଇସଲାମାବାଦ: ପାକିସ୍ତାନରେ ଅବସ୍ଥାପିତ ଜଣେ ଆଫଗାନିସ୍ତାନ କୂଟନୀତିଜ୍ଞଙ୍କ କନ୍ୟାଙ୍କୁ କେତେକ ଅସାମାଜିକ ଅପହରଣ କରିନେଇଥିବା ବେଳେ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ପୁଣି ପାକିସ୍ତାନରେ ଜଣେ ପୂର୍ବତନ କୂଟନୀତିଜ୍ଞଙ୍କ କନ୍ୟାଙ୍କୁ ଟାର୍ଗେଟ୍ କରାଯାଇଛି। ଏକ ଗଣମାଧ୍ୟମରେ ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ, ଶୌକତ୍ ମୁକଦମ୍ ପୂର୍ବରୁ ପାକିସ୍ତାନ ପକ୍ଷରୁ ଦକ୍ଷିଣ କୋରିଆ ଓ କଜାଖସ୍ତାନ ପାଇଁ ରାଷ୍ଟ୍ରଦୂତ ଭୂମିକା ତୁଲାଇଥିଲେ। ତାଙ୍କର ୨୭ ବର୍ଷୀୟା କନ୍ୟା ନୂର ମୁକଦମଙ୍କୁ ଗତ ମଙ୍ଗଳବାର ରାଜଧାନୀ ଇସଲାମାବାଦରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ରାଜଧାନୀର ସେକ୍ଟର ଏଫ୍-୭/୪ ଅଞ୍ଚଳରେ ନୂରଙ୍କୁ ଗୁଳି କରି କେହି ହତ୍ୟା କରିଥିବା ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ ଏହି ମାମଲାରେ ପୋଲିସ୍ ସନ୍ଦେହ କରି ନୂରଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ଉକ୍ତ ଯୁବକଙ୍କ ନାମ ଜାହିର୍ ଜାଫର୍ ବୋଲି ଜଣାପଡ଼ିଥିବା ବେଳେ ନୂରଙ୍କୁ ହତ୍ୟା କରିବାରେ ତା’ର ଭୂମିକା ରହିଥିବା ସନ୍ଦେହ କରାଯାଉଛି। ତାକୁ ଗିରଫ କରି ଥାନାକୁ ଅଣାଯାଇଥିବା ଜଣେ ପୋଲିସ୍ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଶନିବାର ପାକିସ୍ତାନ ପାଇଁ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ନଜିବୁଲ୍ଲାହ ଅଲିଖିଙ୍କ କନ୍ୟାଙ୍କୁ ଅପହରଣ କରିନିଆଯାଇଥିଲା। କେତେକ ଅଜଣା ବ୍ୟକ୍ତି ଅଲିଖିଙ୍କ କନ୍ୟାଙ୍କୁ ଅପହରଣ କରିନେଇ ତାଙ୍କୁ ଇସଲାବାଦାରେ ନିର୍ଯାତନା ଦେଇଥିବା ଆଫଗାନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଲିଖିଙ୍କ କନ୍ୟାଙ୍କ ନାମ ସିଲସିଲା ଅଲିଖି ହୋଇଥିବା ବେଳେ ୨୫ ବର୍ଷୀୟା ସିଲସିଲା ଜିନ୍ନାହ ବଜାରରୁ ଫେରୁଥିବା ବେଳେ ତାଙ୍କୁ ଅସାମାଜିକମାନେ ଅପହରଣ କରିନେଇଥିଲେ। ଏ ସଂକ୍ରାନ୍ତରେ ଆଫଗାନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ ସିଲସିଲାଙ୍କୁ ଅପହର୍ତ୍ତାଙ୍କଠାରୁ ଉଦ୍ଧାର କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଫଗାନିସ୍ତାନ ସରକାର ଏପରି ଘୃଣ୍ୟ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହ ପାକିସ୍ତାନରେ ଅବସ୍ଥାପିତ ନିଜ ଦେଶର କୂଟନୀତିଜ୍ଞ ଓ ସେମାନଙ୍କ ପରିବାରର ନିରାପତ୍ତା ନେଇ ଆଫଗାନିସ୍ତାନ ସରକାର ଗଭୀର ଚିନ୍ତା ପ୍ରକଟ କରିଥିଲେ। ତା’ଛଡ଼ା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଏହି ମାମଲାରେ ଆବଶ୍ୟକ ଓ ତ୍ବରିତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ