ଦିନକରେ ୪୧ ହଜାର ୩୮୩ ଜଣ ସଂକ୍ରମିତ, ୫୦୭ ଜଣଙ୍କ ମୃତ୍ୟୁ


ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ନମୁନା ପରୀକ୍ଷା କରାଯାଉଛି (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୪୧ ହଜାର ୩୮୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ ହୋଇଥିବା ବେଳେ ୫୦୭ ଜଣ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେହିପରି କେରଳରେ ଗତ ବୁଧବାର ଦିନକ ଭିତରେ ସର୍ବାଧିକ ୧୭ ହଜାର ୪୮୧ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୧୬୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ଭିତରେ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ୧୭ ହଜାର ୪୮୧ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ଦ୍ବିତୀୟ ସର୍ବାଧିକ ୮ ହଜାର ୧୫୯ ଜଣ, ଆନ୍ଧ୍ର ପ୍ରଦେଶରେ ୩ୟ ସର୍ବାଧିକ ୨ ହଜାର ୫୨୭ ଜଣ, ଓଡ଼ିଶାରେ ୧ ହଜାର ୯୨୭ ଜଣ ଓ ତାମିଲନାଡ଼ୁରେ ୧ ହଜାର ୮୯୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ଦିନକ ଭିତରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେଥି ମଧ୍ୟରୁ ୭୭.୩ ପ୍ରତିଶତ ଉପରୋକ୍ତ ୫ଟି ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ୪୨.୨୪ ପ୍ରତିଶତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି ଓ ଦ୍ବିତୀୟ ସର୍ବାଧିକ ୧୦୫ ଜଣ ସଂକ୍ରମିତ କେରଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତା’ଛଡ଼ା ଦେଶରେ ଇତିମଧ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୭.୩୫ ପ୍ରତିଶତ କୋଭିଡ୍ ଭୂତାଣୁ ବିରୋଧରେ ବିଜୟ ଲାଭ କରିସାରିଛନ୍ତି।

ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି। ଅର୍ଥାତ୍ ଗତ ବୁଧବାର ଦିନକ ଭିତରେ ୩୮ ହଜାର ୬୫୨ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଗତ ୨୪ ଘଣ୍ଟାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ୨ ହଜାର ୨୨୪ ଜଣ ଯୋଡ଼ିହେବାରୁ ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୯ ହଜାର ୩୯୪ ରହିଛି। ଅନ୍ୟପକ୍ଷରେ ଦେଶରେ ଜାରି ରହିଥିବା ଟିକାଦାନ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଲକ୍ଷ ୭୭ ହଜାର ୬୭୯ ଜଣଙ୍କୁ ଟିକା ଦିଆଯାଇସାରିଥିବାରୁ ମୋଟ ୪୧ କୋଟି ୭୮ ଲକ୍ଷ ୫୧ ହଜାର ୧୫୧ ଜଣ ଏହି ଟିକା ନେଇସାରିଛନ୍ତି। ତା’ଛଡ଼ା ଗତ ଦିନକ ଭିତରେ ୧୭ ଲକ୍ଷ ୧୮ ହଜାର ୪୩୯ ଜଣଙ୍କ ନମୁନା ପରୀକ୍ଷା ହେବା ଫଳରେ ମୋଟ ନମୁନା ଯାଞ୍ଚ୍ ପରିମାଣ ୪୫ କୋଟି ୯ ଲକ୍ଷ ୧୧ ହଜାର ୭୧୨ରେ ପହଞ୍ଚିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ