ସୁନା ବେଶରେ ସୁସଜ୍ଜିତ ହୋଇ ବିଶ୍ୱବାସୀଙ୍କୁ ଦର୍ଶନ ଦେଲେ ତିନି ଠାକୁର


ସୁନାବେଶରେ ସୁସଜ୍ଜିତ ଶ୍ରୀଜୀଉ
ପୁରୀ: ନବଦିନାତ୍ମକ ଯାତ୍ରା ଶେଷ କରି ମଙ୍ଗଳବାର ବାହୁଡ଼ି ଆସିଥିଲେ ତିନି ଠାକୁର। ମାଉସୀ ମା’ ଘରେ ପୋଡ଼ପିଠା ଖାଇ ଫେରିବା ପରେ ବୁଧବାର ସନ୍ଧ୍ୟାରେ ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଚିତ ହୋଇଛନ୍ତି ଦାରୁ ବିଗ୍ରହ। ରଥ ଉପରେ ବିରଳ ସୁନାବେଶ ବା ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ। ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ଅଗଣିତ ଭକ୍ତଙ୍କ ସମାଗମ ହୋଇଥାନ୍ତା, ହେଲେ କୋଭିଡ୍ କଟକଣା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦାଣ୍ଡକୁ ଯାଇନାହାନ୍ତି ଶ୍ରଦ୍ଧାଳୁ। ଭକ୍ତଶୂନ୍ୟ ହୋଇଛି ବଡ଼ଦାଣ୍ଡ, ଭକ୍ତଶୂନ୍ୟ ହୋଇଛି ସିଂହଦ୍ୱାର। ତେବେ ପ୍ରଶାସନର କୋରୋନା କଟକଣା ପାଇଁ ସିଧାସଳଖ ଶ୍ରୀଜୀଉମାନଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି ଭକ୍ତ। ଦୂରଦର୍ଶନର ସିଧା ପ୍ରସାରଣ ଓ ମୋବାଇଲ ଜରିଆରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ସୌଭାଗ୍ୟ ଲାଭ କରିଛନ୍ତି।

ପରମ୍ପରା ଅନୁସାରେ ପ୍ରତି ବର୍ଷ ଆଷାଢ଼ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ରଥ ଉପରେ ସୁନାବେଶ ବା ବଡ଼ ତଡ଼ାଉ ବେଶ ହୋଇଥାଏ। ଶ୍ରୀଜୀଉଙ୍କ ସୁନାବେଶ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ବୁଧବାର ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଥିଲା। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶଶେଷ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାଜିଷ୍ଟ୍ରେଟ ଓ ପୋଲିସ୍‌ଙ୍କ ଉପସ୍ଥିତିରେ ପାଳିଆ ସେବକ, ଖୁଣ୍ଟିଆ ମେକାପ, ମନ୍ଦିର ଅଧିକାରୀ, ଶ୍ରୀମନ୍ଦିର ଗାରଦ କର୍ମଚାରୀ ରତ୍ନ ଭଣ୍ଡାରରୁ ସୁବର୍ଣ୍ଣ ଅଳଙ୍କାର ମାନ ଆଣି ରଥ ଉପରେ ରଖିଥିଲେ।

ପାଳିଆ ପୁଷ୍ପାଳକ, ଦଇତାପତି, ତଳୁଚ୍ଛ, ଭିତରୁଚ୍ଛ ସେବାୟତ ମାନେ ପାଟ ବସ୍ତ୍ର ଓ ସୁବର୍ଣ୍ଣ ଅଳଙ୍କାରରେ ତିନିଠାକୁର ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସଜାଇ ଥିଲେ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର ବଳଭଦ୍ର। ଦେବଦଳନ ରଥରେ ଅବର୍ଣ୍ଣନନୀୟ ଦେବୀ ସୁଭଦ୍ରାଙ୍କ ସୁବର୍ଣ୍ଣ ବେଶର ଶୋଭା। ଠିକ୍ ସେମିତି ନନ୍ଦିଘୋଷ ରଥରେ ଶଙ୍ଖ-ଚକ୍ର ଆୟୁଧ ଧାରଣ କରି ମନ ମୋହୁଛନ୍ତି କାଳିଆ ସାଆନ୍ତ। ଶ୍ରୀଜୀଉମାନଙ୍କୁ ଲାଗି ହୋଇଛି ପ୍ରାୟ ୧୩୮ ପ୍ରକାର ସୁନା-ରୂପା ଓ ଅନ୍ୟ ମୂଲ୍ୟବାନ ଧାତୁ ଖଚିତ ଅଳଙ୍କାର। ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦିରେ ବେଶ କରାଯାଇଥିଲା। ସେହିପରି ଦେବୀ ସୁଭଦ୍ରା କିରିଟି, ଓଡ଼ିଆଣି, କାନ, ତଗଡ଼ି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ପରିଧାନ କରିଛନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି ଆଦି ସୁନାଅଳଙ୍କାର ସହ ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡ଼ ଚଢ଼ାଉ ବେଶରେ ଦର୍ଶନ ଦେଇଛନ୍ତି।

ସୁନାବେଶ ପରେ ରାତି ୮ଟାରୁ ୯ଟା ମଧ୍ୟରେ ସାଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ସୁନାବେଶ ପାଇଁ ପୁରୀର କେତେକ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କର୍ଫ୍ୟୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ