କୃଷ୍ଣଚନ୍ଦ୍ରଙ୍କ କୃଷ୍ଣକଳା: ନାକରେ ବଜାଉଛନ୍ତି ବଂଶୀ


ବଂଶୀ ବଜାଉଛନ୍ତି କୃଷ୍ଣଚନ୍ଦ୍ର କବି (ଫାଇଲ୍‌ ଫଟୋ)
ଈଶ୍ୱରଙ୍କ ସୃଷ୍ଟିର ଏ ଦୁନିଆ ବହୁତ ସୁନ୍ଦର ଆଉ ବିଚିତ୍ର ମଧ୍ୟ। କୁହନ୍ତି, ଭଗବାନ ହୃଦୟରେ ବସନ୍ତି। ଯଦି କିଛି ଛଡ଼ାଇ ନିଅନ୍ତି, ପ୍ରକାରାନ୍ତରେ ଅନେକ କିଛି ଦେଇ ମଧ୍ୟ ଥାନ୍ତି। ବିଧାତା ତାଙ୍କୁ ଆଖି ସିନା ଦେଇନି, ହେଲେ ଏକ ସ୍ବତନ୍ତ୍ର କଳାରେ ତାଙ୍କୁ ନିପୁଣ କରିଛି। ବଂଶୀକୁ ନାକରେ ଫୁଙ୍କି ସ୍ବର ସଂଯୋଜନା କରୁଥିବା ଜଣେ ଅସାଧାରଣ ପ୍ରତିଭା ହେଉଛନ୍ତି କୃଷ୍ଣଚନ୍ଦ୍ର କବି। ଜନ୍ମରୁ ହିଁ ଦୃଷ୍ଟିବାଧିତ ହେଉଛନ୍ତି କୃଷ୍ଣଚନ୍ଦ୍ର। ବୟସ ଆସି ୭୦ ଛୁଇଁଲାଣି। ବଂଶୀର ସୁମଧୁର ସ୍ବର ତାଙ୍କୁ ପିଲାଟି ବେଳୁ ହିଁ ବଂଶୀ ବାଦନ ପାଇଁ ଆକର୍ଷିତ କରିଛି। ପ୍ରଭୁ ସ୍ମରଣେ ଯେବେ ସେ ବଂଶୀ ସ୍ପର୍ଶ କରନ୍ତି, ସେବେ ଭାସିଆସେ ସୁମଧୁର ସ୍ବର। ତାଙ୍କର ଏହି ନିଆରା ପ୍ରତିଭା ତାଙ୍କୁ ଦେଇଛି ଆଜି ସ୍ବତନ୍ତ୍ର ପରିଚୟ। ତାଙ୍କୁ ନେଇ ଗର୍ବ କରନ୍ତି ଗାଁ ଓ ସ୍ଥାନୀୟ ଲୋକେ।

କଟକ କିଶନନଗର ଥାନା ରାମଚନ୍ଦ୍ରପୁର ଗ୍ରାମରେ କୃଷ୍ଣଚନ୍ଦ୍ରଙ୍କ ଘର। ପିଲାଟି ଦିନରୁ କୃଷ୍ଣଚନ୍ଦ୍ର ଜଣେ କଳାକାର ହେବାକୁ ଇଚ୍ଛା ରଖିଥିଲେ। ରେଡ଼ିଓରୁ ବିଭିନ୍ନ ସୁନାମଧନ୍ୟ କଳାକାରଙ୍କ ବଂଶୀ ବାଦନ ଶୁଣି ଶୁଣି ନାକରେ ବଂଶୀ ବଜାଇବା ଆରମ୍ଭ କରିଥିଲେ। କେହି ଗୁରୁ ନ ଥିଲେ ବି ଈଶ୍ୱରଙ୍କୁ ଗୁରୁ ଭାବେ ଗ୍ରହଣ କରି ବଂଶୀ ବଜାଇବା ଆରମ୍ଭ କରିଥିଲେ କୃଷ୍ଣଚନ୍ଦ୍ର। ଆଉ ଧିରେ ଧିରେ ଏଥିରେ ହୋଇଗଲେ ପାରଙ୍ଗମ। ନାକରେ ବଂଶୀ ବଜାଇବା କଷ୍ଟସାଧ୍ୟ ହେଲେ ମଧ୍ୟ ତାଙ୍କୁ ଏହା ସହଜ ଲାଗେ ବୋଲି ସେ କୁହନ୍ତି। କେବଳ ବଂଶୀ ନୁହେଁ, ବିଭିନ୍ନ ଶୈଳୀରେ ଶଙ୍ଖ ଫୁଙ୍କି ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି। ଏହାବ୍ୟତୀତ ସେ ଭଲ ଯୋଗାଭ୍ୟାସ ମଧ୍ୟ କରିପାରନ୍ତି।

କୃଷ୍ଣ ପ୍ରେମରେ ବନ୍ଧା ମଣିଷଟିଏ କୃଷ୍ଣଚନ୍ଦ୍ର। କୃଷ୍ଣଚନ୍ଦ୍ର ବିବାହ କରି ନାହାନ୍ତି। ସାହି ପଡ଼ିଶା ଓ ଭାଇମାନଙ୍କ ଗହଣରେ ବିତାଉଛନ୍ତି ଜୀବନର ଅପରାହ୍ନ। ବଞ୍ଚିବାର ଆଧାର ସାଜିଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତି ଆଉ ବଂଶୀ ବାଦନ। କୃଷ୍ଣଚନ୍ଦ୍ର ହେଉଛନ୍ତି ଜଣେ ନିଆରା ବଂଶୀ ବାଦକ। ଅନ୍ୟ ବାଦକମାନେ ବଂଶୀକୁ ଓଠରେ ଫୁଙ୍କି ବଜାଉ ଥିବା ବେଳେ କୃଷ୍ଣଚନ୍ଦ୍ର ଏହାକୁ ନାକରେ ଫୁଙ୍କି ବଜାନ୍ତି। କେବେ କେଉଁ ଗୁରୁଙ୍କଠାରୁ ସେ ଏହାର ପ୍ରଶିକ୍ଷଣ ମଧ୍ୟ ନେଇ ନାହାନ୍ତି। କିନ୍ତୁ ଶ୍ରୀକୃଷ୍ଣଙ୍କୁ ଗୁରୁମାନି ୬୦ ବର୍ଷ ହେଲାଣି ବଂଶୀକୁ ସଖା କରିଛନ୍ତି କୃଷ୍ଣଚନ୍ଦ୍ର। ସକାଳୁ ସଞ୍ଜ ଯାଏ ବଂଶୀଟିଏ ଧରି ବୁଲୁଥାନ୍ତି। ଆଉ ବେଶ୍ ଚମତ୍କାର ଭାବେ ନାକରେ ହିଁ ବଜାନ୍ତି କୃଷ୍ଣଚନ୍ଦ୍ର।

ସଭିଁଙ୍କୁ ଜଣା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ହେଉଛି ବଂଶୀ। ଏହି ମର୍ମରେ ଜଣେ ସରଳ ଓ ସଚ୍ଚୋଟ ଓ ନିଷ୍କପଟ କୃଷ୍ଣଭକ୍ତ ଭାବେ ସେ ଭାବ ଦିଅନ୍ତି ଆଉ ଆପେ ଆପେ ତାଙ୍କ ବଂଶୀରୁ ବାହାରେ ଅନର୍ଗଳ ଭକ୍ତିଭରା ସ୍ବର। ସେ ବଂଶୀବାଦନ କେଉଁଠୁ ଶିଖିନାହାନ୍ତି ହେଲେ ଆପେ ଆପେ ସେ ବଂଶୀ ବଜାଉଥିବା କହିଛନ୍ତି କୃଷ୍ଣଚନ୍ଦ୍ର। ସେ କେବେ ବି ଭଗବାନ କୃଷ୍ଣଙ୍କ ମୂର୍ତ୍ତି ବା ଫଟୋକୁ ଦେଖିନାହାନ୍ତି। ହେଲେ ବଂଶୀରେ ହିଁ ତାଙ୍କୁ ଅନୁଭବ କରୁଥିବା କହିଛନ୍ତି। ପ୍ରତିଦିନ ସନ୍ଧ୍ୟା ହେଲେ ତାଙ୍କ ଘରୁ ଭାସିଆସେ ବଂଶୀର ସୁମଧରୁ ସ୍ବର। ଆଉ ଏହା ଶୁଣିବାକୁ ତାଙ୍କ ଘରେ ଲାଗି ରୁହେ ଗହଳି ଚହଳି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବଂଶୀ ଶୁଣିବାକୁ ତାଙ୍କ ପାଖକୁ ଚାଲି ଆସନ୍ତି। ସ୍ଥାନୀୟ ଅଞ୍ଚଳରେ ହେଉଥିବା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କୃଷ୍ଣଚନ୍ଦ୍ରଙ୍କୁ ଖୋଜାପଡ଼େ। ଏହି ନିଆରା କଳା ପାଇଁ ଦୃଷ୍ଟିହୀନ ମଣିଷଟି ଆଜି ସମସ୍ତଙ୍କ ଆଦରର ପାତ୍ର ହୋଇଯାଇଛନ୍ତି। ତେବେ ଜୀବନର ପରିଣତ ବୟସରେ ସରକାର ଯଦି ତାଙ୍କ ଉପରେ ଦୟା ପରବସ ହୋଇ କଳାକାର ଭତ୍ତା ଟିକକ ଦିଅନ୍ତେ ତେବେ ଶେଷ ଜୀବନ ସେ ଭଲରେ କାଟି ପାରନ୍ତେ, ବୋଲି ତାଙ୍କ ସାନଭାଇ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ