ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ, ୬୨ ବିଧାୟକ ଓ ମନ୍ତ୍ରୀଙ୍କୁ ଧରି ସ୍ବର୍ଣ୍ଣମନ୍ଦିରରେ ପହଞ୍ଚିଲେ


ସ୍ବର୍ଣ୍ଣ ମନ୍ଦିରରେ ସିଦ୍ଧୁ ଓ ବିଧାୟକମାନେ ଦର୍ଶନ କରୁଛନ୍ତି
ଅମ୍ରିତସର: ନିକଟରେ କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ରାଜନୀତି ମଇଦାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଟକ୍କର ଦେଇ ଶେଷରେ ରାଜ୍ୟ ପିସିସି ସଭାପତି ପଦ ପାଇଛନ୍ତି। ଏହି ପଦ ପାଇବା ପରେ ବୁଧବାର ସିଦ୍ଧୁ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ଅମରିନ୍ଦରଙ୍କ ସହ ଚାଲିଥିବା ପାୱାର୍ ଟସଲରେ ନିଜର ଅସଲ ଶକ୍ତି ଓ ସମର୍ଥନ ଦେଖାଇବା ସକାଶେ ୬୨ ଜଣ କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କ ସହ ସ୍ବର୍ଣ୍ଣମନ୍ଦିରରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅମରିନ୍ଦରଙ୍କ କେତେକ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବେଳେ ସମସ୍ତେ ସ୍ବର୍ଣ୍ଣ ମନ୍ଦିରରେ ସମୂହ ଦର୍ଶନ କରିଛନ୍ତି। କ୍ୟାପଟେନ୍ ଅମରିନ୍ଦରଙ୍କ ସରକାରଙ୍କ ବିରୋଧରେ ସିଦ୍ଧୁ ଦେଇଥିବା ଟିପ୍ପଣୀରେ କ୍ଷୋଭ ପ୍ରକାଶ କରିଥିବା ବେଳେ ତାଙ୍କର କେତେକ ସହଯୋଗୀ ମଧ୍ୟ ସିଦ୍ଧୁଙ୍କ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇ ନ ଥିଲେ। କିନ୍ତୁ ଦଳର ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଝାଖଡ଼ କ୍ରିକେଟର୍‌ରୁ ରାଜନେତା ହୋଇଥିବା ସିଦ୍ଧୁଙ୍କ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ସିଦ୍ଧୁଙ୍କୁ ପଞ୍ଜାବ ପିସିସି ସଭାପତି ଭାବେ କଂଗ୍ରେସ ହାଇକମାଣ୍ଡ୍ ସୋନିଆ ଗାନ୍ଧି ଘୋଷଣା କରିଥିବା ବେଳେ ଆସନ୍ତା ଶୁକ୍ରବାର ସେ ଏହି ଦାୟିତ୍ବ ଗ୍ରହଣ କରିବେ।

ସ୍ବର୍ଣ୍ଣମନ୍ଦିରରେ ଦର୍ଶନ ଶେଷ କରିବା ପରେ ସିଦ୍ଧୁ ଓ ତାଙ୍କର ସହଯୋଗୀ ବିଧାୟକମାନେ ଦୁଇଟି ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ଦୁରଗିଆନା ମନ୍ଦିର ଓ ରାଜ ତୀର୍ଥସ୍ଥଳରେ ମଧ୍ୟ ପହଞ୍ଚିଥିଲେ। ଶୋଭାଯାତ୍ରା ଆରମ୍ଭ ପୂର୍ବରୁ ସିଦ୍ଧୁଙ୍କ ଅମ୍ରିତସର ବାସଭବନରେ ୬୨ ଜଣ କଂଗ୍ରେସ ବିଧାୟକ ଏକାଠି ହୋଇଥିଲେ। ସେଠାରୁ ସେମାନେ ଦୁଇଟି ଚାର୍ଟର୍ଡ ବିଳାସପୂର୍ଣ୍ଣ ବସରେ ସ୍ବର୍ଣ୍ଣ ମନ୍ଦିର ପରିସରରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମକର୍ତ୍ତାମାନେ ସେମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିବା ବିଧାୟକଙ୍କ ମଧ୍ୟରେ ରାଜା ୱାରିଙ୍ଗ୍, ରାଜ କୁମାର ଭେର୍କା, ଇନ୍ଦରବୀର ବୋଲାରିଆ, ବରିନ୍ଦର ଧିଲୋଁ, ମଦନ ଲାଲ୍ ଜଲପୁରୀ, ହରମିନ୍ଦର ଗିଲ, ହରଜୋତ୍ କମଲ, ହରମିନ୍ଦର ଜସି, ଯୋଗୀନ୍ଦର ପାଲ ଓ ପରଗତ୍ ସିଂ ପ୍ରମୁଖ। ଏହାଛଡ଼ା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ସୁଖଜିନ୍ଦର ସିଂ ରନ୍ଧାୱା, ଚରନଜିତ୍ ଚନ୍ନି ଓ ତ୍ରିପ୍ତ ରାଜିନ୍ଦର ସିଂ ବାଜୱା ଆଦି ମଧ୍ୟ ସିଦ୍ଧୁଙ୍କ ସହ ଏହି ଶୋଭାଯାତ୍ରାରେ ସାମିଲ୍ ଥିଲେ। ସୂଚନାଯୋଗ୍ୟ ଯେ କଂଗ୍ରେସ ପାର୍ଟି ହାଇକମାଣ୍ଡର୍ ସିଦ୍ଧୁଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିବା ସହ ୪ ଜଣ ବିଧାୟକ ସଙ୍ଗତ ସିଂ ଗିଲଜିଆନ୍, ସୁଖବିନ୍ଦର ସିଂ ଡ୍ୟାନି, କୁଲଜିତ୍ ସିଂ ନାଗ୍ରା ଓ ପୱନ୍ ଗୋଏଲଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସେମାନେ ମଧ୍ୟ ସିଦ୍ଧୁଙ୍କ ସହ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ